କାନପୁର ସହରର ଅନନ୍ୟ ବିଦ୍ୟାଳୟ ‘ଗୁରୁକୁଲମ୍’, ମାଗଣାରେ ଅଧ୍ୟୟନ କରୁଛନ୍ତି ୧୫୦ ଗରିବ ଶିଶୁ

କାନପୁର, ୧୬/୧୨ : କାନପୁର ସହରର ଏକ ଅନନ୍ୟ ବିଦ୍ୟାଳୟ ‘ଗୁରୁକୁଲମ୍’। ଏଠାରେ ମନ ଖୁସିରେ ପାଠ ପଢ଼ୁଛନ୍ତି ପିଲାମାନେ। କାରଣ ଏଠାରେ ଅଧିକ ମାର୍କ ପାଇବା ପାଇଁ କାହା ଉପରେ ନାହିଁ କୌଣସି ପ୍ରକାର ଚାପ। ପରିବାର ଉପରେ ନାହିଁ ସ୍କୁଲ ଫି ଦେବାର ବୋଝ। ଏହି ବିଦ୍ୟାଳୟରେ ଗରିବ ପିଲାମାନଙ୍କୁ ମାଗଣାରେ ଦିଆଯାଏ ଶିକ୍ଷା। ସେଥିପାଇଁ ଏହା ‘ଖୁସିୟୋଁ କି ପାଠଶାଲା’ ନାମରେ ମଧ୍ୟ ପରିଚିତ।

ସୂଚନାଯୋଗ୍ୟ, ୩୧ ବର୍ଷୀୟ କାନପୁର ବାସୀନ୍ଦା ଉଦ୍ଦେଶ୍ୟ ସଚ୍ଚିନ ଏହି ବିଦ୍ୟାଳୟ ଖୋଲିଛନ୍ତି। ଏହି ବିଦ୍ୟାଳୟରେ ସେ ୧୫୦ ଅନାଥ ପିଲାଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ପିଲାଦିନେ ଉଦ୍ଦେଶ୍ୟ ତାଙ୍କ ବାପାଙ୍କୁ ସ୍କୁଲ ଫିସ ଦେବା ପାଇଁ କଠିନ ପରିଶ୍ରମ କରୁଥିବାର ଦେଖି ସମାଜ ପାଇଁ ନିଜେ କିଛି କରିବା ପାଇଁ ଚିନ୍ତା କରିଥିଲେ। ଏଥିପାଇଁ ସେ କଠିନ ପରିଶ୍ରମ ମଧ୍ୟ କଲେ ଏବଂ ସମସ୍ତ ପରୀକ୍ଷାରେ କୃତକାର୍ଯ୍ୟ ମଧ୍ୟ ହେଲେ। କିନ୍ତୁ ଭାଗ୍ୟର ବିଡମ୍ବନା ସେ କୌଣସି କମ୍ପାନୀରେ ମନୋନୀତ ହୋଇପାରିଲେ ନାହିଁ। ଏହି କାରଣରୁ ସେ ବରଫ କାରଖାନାରେ କାମ କରିବା ଆରମ୍ଭ କରିଥିଲେ। ସେଠାରେ ସେ ଅନେକ ଥର ଅନୁଭବ କରିଥିଲେ ଯେ ସେ ତାଙ୍କର ଅଧ୍ୟୟନ ଏବଂ ପରିଶ୍ରମକୁ ନଷ୍ଟ କରୁଛନ୍ତି।

ଏହାପରେ ସେ ତାଙ୍କ ଶିକ୍ଷାକୁ ସମାଜର ସେବା କରିବା ପାଇଁ ବ୍ୟବହାର କରିବାକୁ ସ୍ଥିର କଲେ। ସେ ଅନୁଭବ କଲେ ଯେ ତାଙ୍କ ପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବସ୍ତିରେ ରହୁଥିଲେ। ଯେଉଁମାନଙ୍କର ପିଲାମାନେ ଦାରିଦ୍ର୍ୟତା କାରଣରୁ ବିଦ୍ୟାଳୟକୁ ଯାଆନ୍ତି ନାହିଁ ଏବଂ ବେକାରୀ ସମସ୍ୟା ସହ ସଂଘର୍ଷ କରନ୍ତି। ଏହି ଗରିବ ପିଲା ମାନଙ୍କ ପାଇଁ ଉଦ୍ଦେଶ୍ୟ ଏକ ବିଦ୍ୟାଳୟ ଖୋଲିବାକୁ ସ୍ଥିର କଲେ। ଏହା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। କାରଣ ଏକ ସ୍କୁଲ ଖୋଲିବା ସାଧାରଣ ଲୋକଙ୍କ ପାଇଁ ସହଜ କାମ ନୁହେଁ। ତେଣୁ ସେ ୨୦୧୯ ରେ ନବମ ଓ ଦଶମ ଶ୍ରେଣୀର ୫ ପିଲାଙ୍କୁ ମାଗଣା କୋଚିଂ ଦେବା ଆରମ୍ଭ କଲେ। ତା’ପରେ ଧୀରେ ଧୀରେ ବସ୍ତିର ପିଲାମାନଙ୍କୁ ମଧ୍ୟ ଶିକ୍ଷା ଦେବା ଆରମ୍ଭ କଲେ। ଏହି ଭଳି ଭାବେ ତାଙ୍କ ସ୍କୁଲରେ ପିଲାମାନଙ୍କ ସଂଖ୍ୟା ବଢ଼ିଲା।

ଉଦ୍ଦେଶ୍ୟ ଥିଲା ଏହି ସମସ୍ତ ପିଲାମାନଙ୍କୁ କୌଣସି ଦେୟ ବିନା ଶିକ୍ଷା ଦେବା। ୨୦୨୧ ଫେବୃଆରୀ ୨୧ ରେ ସେ ଏକ ଘର ଭଡା କରି ଗୁରୁକୁଲମ୍ ସ୍କୁଲ୍ ଆରମ୍ଭ କରିଥିଲେ। ଯେଉଁଠାରେ ଆଜି ୧୫୦ ଛାତ୍ରଙ୍କୁ ୩ ଶିକ୍ଷକ ଶିକ୍ଷା ଦେଉଛନ୍ତି।

ଏଠାରେ, ଅଧ୍ୟୟନ ସହିତ, ବ୍ୟବହାରିକ ବିଷୟରେ ପିଲାମାନଙ୍କୁ ଶିକ୍ଷା ଦିଆଯାଏ। ଯାହା ଜୀବନରେ ଉପଯୋଗୀ। ବ୍ୟବସାୟ ଦକ୍ଷତା, ଲାଇଫ୍ ହ୍ୟାକ୍, ସାଇକୋଲୋଜି, ଥିଏଟର ଏବଂ ନୈତିକ ଅଧ୍ୟୟନ ମଧ୍ୟ ଶିକ୍ଷା ଦିଆଯାଏ | ଏହା ସହିତ ପିଲାମାନେ ଅଧ୍ୟୟନ ବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କ୍ରୀଡ଼ାରେ ଅଂଶଗ୍ରହଣ କରନ୍ତି। ପିଲାମାନେ ନିଜ ନିଜର ସ୍ବାଧୀନରେ ଇଚ୍ଛା ଅନୁସାରେ ଅଧ୍ୟୟନ କରୁଛନ୍ତି।

Leave a Reply

Your email address will not be published. Required fields are marked *