ଏଯାଏଁ ୫୦୦ରୁ ଉର୍ଦ୍ଧ୍ଵ ଅନାଥ ଶବ ଗୁଡ଼ିକର ଅନ୍ତିମ ସଂସ୍କାର କରିଛନ୍ତି ସାଲୁ ସୈନୀ, ସମାଜ ସେବାରେ ନିଜକୁ କରିଛନ୍ତି ବ୍ରତୀ

ନୂଆଦିଲ୍ଲୀ, ୧୬/୧୨ : ଅନାଥ ଶବ ଗୁଡ଼ିକର ଅନ୍ତିମ ସଂସ୍କାର କରୁଛନ୍ତି ଉତ୍ତର ପ୍ରଦେଶ ମୁଜାଫରନଗରର ସାଲୁ ସୈନୀ। ଦୀର୍ଘ ୧୫ ବର୍ଷ ଧରି ସମାଜ ସେବାରେ ନିଜକୁ ବ୍ରତୀ କରିଥିବା ସାଲୁ ଏଯାବତ୍ କରିଛନ୍ତି ୫୦୦ରୁ ଉର୍ଦ୍ଧ୍ଵ ଅନାଥ ଶବଙ୍କ ଅନ୍ତିମ ସଂସ୍କାର। କରୋନା ସମୟରେ ଆରମ୍ଭ କରିଥିବା ଏହି କାମ ଏବେ ସାଲୁଙ୍କ ଜୀବନର ମୂଳ ଲକ୍ଷ୍ୟ ପାଲଟିଛି। ସେ ମହିଳାଙ୍କୁ ଆତ୍ମନିର୍ଭର ଏବଂ ଆତ୍ମରକ୍ଷା ପାଇଁ ବିଭିନ୍ନ କ୍ୟାମ୍ପ କରୁଛନ୍ତି। ସେ ସାକ୍ଷୀ ୱେଲଫେୟାର ଟ୍ରଷ୍ଟ ନାମକ ଏକ ଏନଜିଓ ପରିଚାଳନା କରୁଛନ୍ତି। କ୍ରାନ୍ତିକାରୀ ସାଲୁ ସୈନୀ ନାମରେ ସେ ଏବେ ଖୁବ୍ ପରିଚିତ ହୋଇପାରିଛନ୍ତି।

ଯେଉଁ ଲୋକମାନଙ୍କର କେହି ନାହାଁନ୍ତି କମ୍ଵା ଅର୍ଥ ଅଭାବ ଯୋଗୁଁ ଯେଉଁ ଲୋକମାନେ ନିଜ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର କରିବାରେ ସମର୍ଥ ନୁହଁନ୍ତି ସାଲୁ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଏହି କାମ ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ତାଙ୍କ ନାମ ସ୍ଥାନିତ ହୋଇଛି। ଏନେଇ ସେ କହିଛନ୍ତି ଯେ, କଠିନ ପରିସ୍ଥିତି ତାଙ୍କୁ ସମାଜ ସେବା ପାଇଁ ପ୍ରେରଣା ଦେଇଛି।

ଉତ୍ତର ପ୍ରଦେଶର ଗଡ଼ ମୁକ୍ତେଶ୍ଵରରେ ରହୁଥିବା ସାଲୁଙ୍କର ବିବାହ ବିଛେଦ ହୋଇଥିଲା। ଏହାପରେ ସେ ତାଙ୍କର ଦୁଇ ପିଲାଙ୍କ ସହ ରହୁଥିଲେ। ନିଜ ଜୀବନର ସଙ୍ଘର୍ଷ ଦେଖି ସାଲୁ ଅନ୍ୟ ମହିଳାମାନଙ୍କୁ ଆତ୍ମନିର୍ଭର କରିବାକୁ ଯୋଜନା କରିଥିଲେ। ଏହାପରେ ସେ ନିଜ ଚେଷ୍ଟାରେ ଏକ ଏନଜିଓ ଖୋଲିଥିଲେ। ସେ ମହିଳାମାନଙ୍କୁ ଭୋକେସନାଲ ଟ୍ରେନିଂ ଦେଉଥିଲେ। ସେ ନିଜେ ଠେଲାରେ କପଡ଼ା ମଧ୍ୟ ବିକ୍ରି କରୁଥିଲେ। ତଥାପି ମଧ୍ୟ ସେ ଲୋକମାନଙ୍କୁ ସାହାଯ୍ୟ କରିବା ଛାଡିନଥିଲେ। ଧୀରେ ଧୀରେ ତାଙ୍କ ସହ ଅନ୍ୟ ଲୋକମାନେ ଯୋଡ଼ି ହୋଇଥିଲେ।

ସାଲୁ କହିଛନ୍ତି ଯେ, କରୋନା ସମୟରେ ଅନ୍ତିମ ସଂସ୍କାର ପରେ ବହୁ ଲୋକ ତାଙ୍କ ସମ୍ପର୍କୀୟଙ୍କ ଅସ୍ଥି ବିସର୍ଜନ କରିବାକୁ ଡରୁଥିଲେ। ଏହି ସମୟରେ ସେ ନିଜେ ଶ୍ମଶାନ ଯାଇ ଅସ୍ଥି ଆଣି ବିସର୍ଜନ କରୁଥିଲେ। ତେବେ ଅନ୍ୟମାନଙ୍କ ପାଇଁ ବଞ୍ଚୁଥିବା ଲୋକ ଏହି ସମାଜରେ ଖୁବ୍ କମ୍ ମିଳନ୍ତି।

Leave a Reply

Your email address will not be published. Required fields are marked *