50 ବର୍ଷ ବୟସରେ ଏହି ମହିଳା ଚାଖିଲେ ସଫଳତାର ଘିଅ

କିଛି ଗୋଟେ ଆରମ୍ଭ କରିବା ପାଇଁ କଦାପି ସମୟ ବିଳମ୍ବ ହୋଇନପାରେ।  ପାରିପାର୍ଶିକ ସ୍ଥିତି ବି ପ୍ରତିବନ୍ଧକ ସୃଷ୍ଟି କରିପାରିବନି।  ଯଦି ଆପଣଙ୍କ ପାଖରେ ଇଚ୍ଛା ଶକ୍ତି ଅଛି ସବୁ କିଛି ସମ୍ଭବ ହୋଇପାରିବ । ସେହି ଇଚ୍ଛା ଶକ୍ତି ବଳରେ ଆପଣ ଛୋଟରୁ ଆରମ୍ଭ କରିପାରିବେ ଏବଂ ସଫଳତାର ପାହାଡ଼ ଚଢ଼ିପାରିବେ। କମଲଜିତ କୌରଙ୍କ ଉଦାହରଣ ନିଅନ୍ତୁ ।  କରୋନାରୁ ସୁସ୍ଥ ହେବା ପରେ ସେ ଭାବିଲେ ଈଶ୍ବର ତାଙ୍କୁ ନୂଆ ଜୀବନ ଜୀଈବା ପାଇଁ ସୁଯୋଗ ଦେଇଛନ୍ତି।  ତେଣୁ ସେ ନିଜର ଅଭିଜ୍ଞତା ଅନୁଭୂତିକୁ ନେଇ ଆରମ୍ଭ କଲେ ଏକ ଛୋଟ ବ୍ୟବସାୟ ।  ମାତ୍ର କିଛି ମାସ ଭିତରେ ତାଙ୍କର ଏହି ଛୋଟ ବ୍ୟବସାୟ ଦେଶର ଏକ ବ୍ରାଣ୍ଡରେ ପରିଣତ ହୋଇଛି ।  ପାରମ୍ପରିକ ବିଲୋନା ପ୍ରଣାଳୀରେ ପ୍ରସ୍ତୁତ ତାଜା ଘିଅକୁ ବିକ୍ରି କରିବା ପାଇଁ କମଲଜିତ ଜାନୁଆରୀରେ ଆରମ୍ଭ କଲେ କିମୁଙ୍କ କିଚେନ। ବାସ୍ ତାପରେ ସେ ସଫଳତାର ଘିଅ ଭାତ ଖାଇବା ଅଭ୍ୟାସ କରିଦେଲେଣି।

ପଞ୍ଜାବର ଲୁଧିଆନାର ଏକ ଛୋଟ ଗାଁ ଜାହାଙ୍ଗୀରରେ ଜନ୍ମଗ୍ରହଣ କରିଥିଲେ କମଲଜିତ କୌର ବା କିମୁ  ।  ବାହାଘର ପରେ ସେ ମୁମ୍ବାଇ ଆସିଥିଲେ।  କିନ୍ତୁ ପଞ୍ଜାବର ସ୍ମୃତି ତାଙ୍କ ପାଖରେ ରହିଥିଲା । ପଞ୍ଜାବର ସୋରିଷ, ଗହମ କ୍ଷେତ, ବାଡ଼ି ପନିପରିବା, ତାଜା କ୍ଷୀର ଏବଂ ଘର ଘିଅର ସ୍ମୃତି ।  50 ବର୍ଷ ବୟସ ହେବା ବେଳକୁ ସେ ତାଙ୍କ ସ୍ମୃତିକୁ ନିଜ ବ୍ୟବସାୟର ଅଂଶ ବିଶେଷ କଲେ ।  ଆରମ୍ଭ କଲେ କିମୁ କିଚେନ ।   କିମୁ ଗତ ବର୍ଷ କରୋନାରେ ଆକ୍ରାନ୍ତ ହୋଇଥିଲେ।  ଅବସ୍ଥା ଖରାପ ବି ହୋଇଯାଇଥିଲା।  କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ସେ ସୁସ୍ଥ ହୋଇଗଲେ।  ଅନୁଭବ କଲେ ଯେ ତାଙ୍କୁ ଜୀବନରେ “ଦ୍ୱିତୀୟ ସୁଯୋଗ” ଦିଆଯାଇଛି – ଯାହାକୁ ସେ ନଷ୍ଟ କରିବା ଅନୁଚିତ । କୌଣସି ଆନୁଷ୍ଠାନିକ ଶିକ୍ଷାଲାଭ କରିନଥିବା 50 ବର୍ଷ ବୟସ୍କା ଏହି ମହିଳା ନିଜ ମିଶନରେ ଆଗେଇଲେ। ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ଠାରୁ ବି ତାଙ୍କୁ ବହୁ ସମର୍ଥନ ମିଳିଲା। କିମୁଙ୍କ କିଚେନ ଆରମ୍ଭ ହେଲା।  ଯେଉଁଥିରେ ସେ ଘିଅ ପ୍ରସ୍ତୁତ କରିବାକୁ ସ୍ଥିର କଲେ।  କୌଣସି ସଂରକ୍ଷଣ କିମ୍ବା ରାସାୟନିକ ପଦାର୍ଥ ବିନା ସେ  ପାରମ୍ପରିକ ବିଲୋନା ପଦ୍ଧତି ଦ୍ୱାରା, ଘିଅ ପ୍ରସ୍ତୁତ କଲେ ।  ପ୍ରଥମେ ପଡ଼ୋଶୀ, ଏହାପରେ କଲୋନି ତାପରେ ସହରର ଅନ୍ୟସ୍ଥାନକୁ ସେ ସପ୍ଲାଏ କଲେ ।

ଏବେ ମୁମ୍ବାଇରେ କିମୁ ଦେଶୀ ଘି ଏକ ବ୍ରାଣ୍ଡ ହୋଇଯାଇଛି।କରୋନା ସମୟରେ ଦେଶୀ ଓ ପାରମ୍ପରିକ ଜିନିଷ ପ୍ରତି ଲୋକଙ୍କ ଆଦର ବଢ଼ିଥିବାରୁ କିମୁଙ୍କ ଘିଅର ଡିମାଣ୍ଡ ବଢିଛି।  ଯେହେତୁ ସେ କୌଣସି ରାସାୟନିକ ବ୍ୟବହାର କରୁନାହାନ୍ତି ତେଣୁ ଲୋକେ ଏହାକୁ ପସନ୍ଦ କରୁଛନ୍ତି। ତା ଛଡ଼ା ଶୁଦ୍ଧ ଦେଶୀ ଘିଅର ଦାମ ମୁମ୍ବାଇରେ 3 ହଜାର ଉପରେ ଥିବା ବେଳେ କିମୁ କିନ୍ତୁ ଏହାକୁ କିଲୋ 11ଶହ ଟଙ୍କାରେ ଦେଉଛନ୍ତି । ଘର ଲୋକଙ୍କ ସମର୍ଥନ ଏବଂ ଏକ ମାର୍କେଟିଂ ସହଯୋଗ ମିଳିବା ପରେ କିମୁ ଏବେ ଦେଶର ବଡ଼ ଘିଅ କମ୍ପାନିଙ୍କୁ ଟକ୍କର ଦେବା ଆରମ୍ଭ କଲେଣି। ଏବେ ଏହା ଅନଲାଇନରେ ବି ଉପଲବ୍ଧ ହେଲାଣି ।

ଏହି କାହାଣୀଟିକୁ ଆମେ ଆପଣଙ୍କ ପାଖକୁ ଏହି ଉଦ୍ଦେଶ୍ୟ ଆଣିଛୁ ଆପଣ ଏହା ଦ୍ବାରା ପ୍ରେରଣା ପାଇ ନିଜେ କିଛି କରିବାକୁ ଆଗ୍ରହ ପ୍ରକାଶ କରନ୍ତୁ। ଶୁଦ୍ଧ ଘିଅ ପ୍ରସ୍ତୁତ କରିବା କିଛି ଖରାପ ଆଇଡିଆ ନୁହେଁ, ବିଶେଷ କରି ଯ଼ଦି ଆପଣ ଗ୍ରାମାଞ୍ଚଳରେ ରହିଛନ୍ତି ଏବଂ ଗାଈ କ୍ଷୀର ଜଦି ଆପଣଙ୍କୁ ଉପଲବ୍ଧ ହେଉଛି।

Leave a Reply

Your email address will not be published. Required fields are marked *