ଜାଣନ୍ତୁ ଓମିକ୍ରନର ଲକ୍ଷଣ କଣ ?

ଦକ୍ଷିଣ ଆଫ୍ରିକାରେ ନୂଆ କରୋନା ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରଠାରୁ ସାରା ବିଶ୍ବ ଯେମିତି ପୁଣି କଟକଣା ମୁହାଁ ହେବାରେ ଲାଗିଛି । ଭାରତ ସମେତ ବିଭିନ୍ନ ଦେଶ ବିମାନ କଟକଣା ଆରମ୍ଭ କରିଦେଲେଣି। ଭାରତ ବିଦେଶରୁ ଆସୁଥିବା ଯାତ୍ରୀଙ୍କର ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଟକଣା କରିବା ଲାଗି ଘୋଷଣା କରିଛି। ଏଣିକି ବିଦେଶରୁ ଆସୁଥିବା ଯ଼ାତ୍ରୀମାନେ ସେମାନଙ୍କର ଆଗୁଆ ସୂଚନା ଦେବେ। ଏପରିକି ୟୁରୋପୀୟ ଦେଶ ସମେତ ଦକ୍ଷିଣ ଆଫ୍ରିକା ଓ ଅନ୍ୟ 10ଟି ଦେଶରୁ ଆସୁଥିବା ଯ଼ାତ୍ରୀଙ୍କର ବିମାନ ବନ୍ଦରରେ କରୋନା ପରୀକ୍ଷା କରାଯ଼ିବ। ଏମାନଙ୍କୁ କ୍ବାରାଣ୍ଟାଇନରେ ରହିବାକୁ ପଡ଼ିବ।

ସମସ୍ତଙ୍କର ଉତ୍କଣ୍ଠା ରହିଛି ଏହି ଓମିକ୍ରନର ଲକ୍ଷଣ କଣ? ପୂର୍ବରୁ ଦେଖାଦେଇଥିବା କରୋନା ଭ୍ୟାରିଆଣ୍ଟ ଅପେକ୍ଷା ଏହା ଭିନ୍ନ କେମିତି। ଦକ୍ଷିଣ ଆଫ୍ରିକାରେ ଏହି ଭ୍ୟାରିଆଣ୍ଟକୁ ଯେଉଁ ଡାକ୍ତର ଚିହ୍ନଟ କରିଥିଲେ ଆଞ୍ଜେଲିକ କୋଏଜୀଙ୍କ କହିବା ଅନୁଯାୟୀ ସେ ଯେତେଜଣ ରୋଗୀଙ୍କୁ ଚିକିତ୍ସା କରିଛନ୍ତି ସେମାନଙ୍କର ଲକ୍ଷଣ ପୂର୍ବ ରୋଗୀଙ୍କଠାରୁ ଭିନ୍ନ ଥିଲା। ଯେଉଁଥିପାଇଁ ତାଙ୍କର ସନ୍ଦେହ ଉପୁଜିଥିଲା ଏବଂ ଏହା ଉପରେ ସେ ଅଧିକ ଗବେଷଣା କରିବା ପରେ ଏହି ନୂଆ ଭ୍ୟାରିଆଣ୍ଟ ସଂପର୍କରେ ଜାଣିପାରିଥିଲେ। ଗତ 10 ଦିନ ଭିତରେ ସେ ପାଖାପାଖି 30 ଜଣ ରୋଗୀଙ୍କର ଚିକିତ୍ସା କରିସାରିଲେଣି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ ଏବଂ ଅର୍ଦ୍ଧାଧିକ ଟିକା ନେଇସାରିଥିଲେ।  

ଯେଉଁମାନେ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ଗୁରୁତର ହୋଇନାହାନ୍ତି। ଯାହାକି ଏକ ଆଶ୍ବସ୍ତିକର ଖବର ନିଶ୍ଚୟ । ଏହି ରୋଗୀମାନଙ୍କ ପାଖରେ ଗଳା ଖିଚଖିଚ ହେବା, ଦୁର୍ବଳ ଲାଗିବା, ମାଂଶପେଶୀ ଘୋଳାବିନ୍ଧା ହେବା ଏବଂ ଅଳ୍ପ କିଛି ଆକ୍ରାନ୍ତଙ୍କ ଠାରେ ଜର ଦେଖାଦେଇଛି। ତେବେ ପ୍ରାୟ ସବୁ ରୋଗୀ ଘରେ ରହି ଚିକିତ୍ସିତ ହୋଇଛନ୍ତି କାହାକୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିନାହିଁ । ତେବେ ଆଗକୁ କଣ ହେବ ଆମେ କହିପାରିବୁ ନାହିଁ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କିଛି ଗୁରୁତର ସମସ୍ୟା ଉପୁଜିନାହିଁ ବୋଲି କୋଏଜୀ କହିଛନ୍ତି ।

ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଚିହ୍ନଟ ହେବା ପରଠାରୁ ଅଧିକାଂଶ ଦେଶ ଯେମିତି ଏହି ଦେଶକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ଏହାକୁ କୋଏଜୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବରଂ ଦକ୍ଷିଣ ଆଫ୍ରିକା ବିଶ୍ବ ସମୁଦାୟକୁ ଆଲର୍ଟ କରିଥିବାରୁ ଆମକୁ ଧନ୍ୟବାଦ ଦେବା କଥା ବୋଲି ସେ କହିଛନ୍ତି ।

ଯଦି କୋଏଜୀଙ୍କ କଥା ଠିକ ଥାଏ ତେବେ ଓମିକ୍ରନକୁ ନେଇ ଯେତିକି ଭୟ କରାଯାଉଛି ତାହା ନ ହୋଇପାରେ। ବିଶ୍ବ ସମୁଦାୟ ପୁଣି ସାଧାଣର ସ୍ଥିତିକୁ ଫେରିପାରିବେ। ଏହା ଯୋଗୁଁ ଡେଲଟା ଭଳି ଆଉ ଏକ ଲହର ଆସିବାର ଆଶଙ୍କା ଦୂର ହୋଇପାରିବ।

Leave a Reply

Your email address will not be published. Required fields are marked *