ଲାଇଟ୍ ଗାର୍ଲ ଖୁସି, ଲକ୍ଷ୍ନୌ ରାସ୍ତାରେ ଯାଉଥିବା ୧୫୦୦ ସାଇକେଲ୍‌ରେ ଲଗାଇଛନ୍ତି ସେଫଟି ଲାଇଟ୍

ମୁମ୍ଵାଇ, ୦୯।୦୯ : ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଦେଶରେ ୪୦୦୦ ରୁ ଅଧିକ ସାଇକେଲ ଚାଳକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ଏହାର ଏକ ପ୍ରମୁଖ କାରଣ ହେଉଛି ସାଇକେଲରେ ଜଳୁଥିବା ଆଲୋକର ଅନୁପସ୍ଥିତି। କେବଳ ଗୋଟିଏ ସୁରକ୍ଷା ଆଲୋକ ସହିତ ସାଇକେଲ ଚାଳକମାନେ କୁହୁଡି ଏବଂ ଅନ୍ଧକାରରେ ଦେଖିବା ସହଜ ହୋଇପାରେ।

ଏଭଳି ଅସୁବିଧାକୁ ହୃଦୟଙ୍ଗମ କରିପାରି ଲକ୍ଷ୍ନୌ ରାସ୍ତାରେ ଯାଉଥିବା ପ୍ରତ୍ୟେକ ସାଇକେଲରେ ସୁରକ୍ଷା ଆଲୋକ ଲଗାଉଛନ୍ତି ୨୩ ବର୍ଷିୟା ଖୁସି ପାଣ୍ଡେ।

ଖୁସି ନିଜ ସଙ୍ଗଠନ ‘ସପ୍ନୋ କି ଉଡାନ ଫାଉଣ୍ଡେସନ’ ମାଧ୍ୟମରେ ପ୍ରୋଜେକ୍ଟ ଉଜାଲା ନାମରେ ଏହି ଅଭିଯାନ ଚଳାଉଛନ୍ତି। ରାତିରେ ସେ ନିଜେ ବୁଲାବୁଲି କରି ସାଇକେଲକୁ ଆଲୋକିତ କରୁଛନ୍ତି। ଖୁସି ଗତ ୬ ବର୍ଷ ଧରି ଏହି ପ୍ରୋଜେକ୍ଟରେ କାର୍ଯ୍ୟ କରିଆସୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୫୦୦ରୁ ଅଧିକ ସାଇକେଲ୍‌ରେ ଲାଇଟ୍ ଲଗାଇଛନ୍ତି।

ପିଲାଦିନରୁ ଅସହାୟ ଲୋକଙ୍କ ପ୍ରତି ସହାନୁଭୂତି ପ୍ରକାଶ କରୁଥିବା ଖୁସି ସମାଜ ସେବା କରିବାକୁ ଖୁବ୍ କମ୍ ବୟସରେ ନିଷ୍ପତ୍ତି ନେଇଥିଲେ। ସେ ସ୍କୁଲ ଦିନରୁ ରାସ୍ତାରେ ଦେଖୁଥିବା ପ୍ରତ୍ୟେକ ଅଭାବୀ ବ୍ୟକ୍ତିଙ୍କୁ ଖାଦ୍ୟ ଏବଂ ପୋଷାକ ଦେବା ଭଳି କାର୍ଯ୍ୟ କରିଆସୁଛନ୍ତି। ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା, ସେ ତାଙ୍କ କାର୍ଯ୍ୟକୁ ଆଗକୁ ନେବା ପାଇଁ ଏକ ସଂଗଠନ ଗଠନ କରିଥିଲେ।

ଉନ୍ନାଓର ଏକ ଛୋଟ ଗାଁର ଖୁସି ଆଇନ ଅଧ୍ୟୟନ କରୁଛନ୍ତି। ସେ ତାଙ୍କ ପରିବାରର ସାହାଯ୍ୟରେ ସଂଗଠନ ଆରମ୍ଭ କରିଥିଲେ। ପ୍ରକାଶ ଥାଉକି, ସେ ମହିଳାମାନଙ୍କ ମାସିକ ସ୍ୱଚ୍ଛତା ପାଇଁ ପ୍ରୋଜେକ୍ଟ ଦାଗ୍, ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରୋଜେକ୍ଟ ଅନ୍ନପୂର୍ଣ୍ଣା, ଗ୍ରୀଷ୍ମ ଋତୁରେ ରାସ୍ତାରେ କାମ କରୁଥିବା ଲୋକଙ୍କ ପାଇଁ ପ୍ରୋଜେକ୍ଟ ଛାଓଁ ଭଳି ୫ଟି ଭିନ୍ନ ପ୍ରକଳ୍ପ ମଧ୍ୟ ଚଳାଉଛନ୍ତି। ସାଇକେଲରେ ଲାଇଟ୍ ଲଗାଇବା ହେଉଛି ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ। ଯାହା ମିଶନ୍ ମୋଡ୍ ରେ ଚାଲିଛି।

Leave a Reply

Your email address will not be published. Required fields are marked *