ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ : ଅସନ୍ତୁଷ୍ଟଙ୍କୁ ସୁଯୋଗ ନା ଚେତାବନୀ

      ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ଯ଼େଉଁଭଳି ଢଙ୍ଗରେ ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାକୁ ଓହ୍ଲାଇଲେ, ଫଳ ପ୍ରକାଶନକୁ ନେଇ ଅସନ୍ତୋଷ ଜାହିର କଲେ ତାକୁ ନେଇ ସବୁଆଡ଼େ ଖୁବ ଚର୍ଚ୍ଚା ଲମ୍ବିବାରେ ଲାଗିଥିଲା । ଛାତ୍ରଛାତ୍ରୀଙ୍କ ମାଟ୍ରିକ ଫଳ ନିର୍ଣ୍ଣୟ କରାଯ଼ିବାରେ ଯ଼ଥେଷ୍ଟ ସତର୍କତା ଅବଲମ୍ବନ କରାଯ଼ାଇଛି ଏବଂ କୌଣସି ତ୍ରୁଟି ହୋଇନାହିଁ ବୋଲି ବୋର୍ଡ ପକ୍ଷରୁ ବାରମ୍ବାର ସ୍ପଷ୍ଟୀକରଣ ଦିଆଯ଼ିବା ସତ୍ତ୍ବେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସେମାନଙ୍କ ସ୍ବର ନରମ କରିନଥିଲେ । ଏବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିବା ସହିତ ଫର୍ମ ଫିଲ୍ ଅପର ବିଜ୍ଞପ୍ତି ପ୍ରକାଶ କରିଛି । ଯ଼େଉଁଛାତ୍ରଛାତ୍ରୀ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ସେମାନେ ଅଫଲାଇନରେ ପରୀକ୍ଷା ଦେବା ପାଇଁ ସୂଚୀ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ।

ଜୁଲାଇ 30 ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ଅଗଷ୍ଟ 5 ତାରିଖ ଯାଏଁ ଚାଲିବ । ଏଥିପାଇଁ ଆସନ୍ତା 5 ତାରିଖରୁ ଅନଲାଇନ ଫର୍ମଫିଲପ କରିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବନି ଏବଂ ଏହା 14 ତାରିଖ ଯାଏଁ ଖୋଲା ରହିବ । ଛାତ୍ରଛାତ୍ରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ମାଧ୍ୟମରେ ଅନଲାଇନ ଫର୍ମଫିଲପ କରିପାରିବେ । ହାର୍ଡ କପି ପଠାଇବେ । 30 ତାରିଖ ଶୁକ୍ବରାରୁ ଅଗଷ୍ଟ 5 ଗୁରୁବାର ଯ଼ାଏଁ ପରୀକ୍ଷା ହେବ ସମସ୍ତ ପରୀକ୍ଷା ଦିନ 10ଟାରୁ 12 ଯ଼ାଏଁ ହେବ କେବଳ ଗଣିତ ପାଇଁ ପିଲାମାନେ 15 ମିନିଟ ଅଧିକ ସମୟ ପାଇବେ   ନିମ୍ନରେ ପରୀକ୍ଷା ସୂଚୀ ଦିଆଗଲା ।

ତାରିଖ ବାର ବିଷୟ ସମୟ
30 ଜୁଲାଇ ଶୁକ୍ରବାର ପ୍ରଥମ ଭାଷା 10-12ଟା
31 ଜୁଲାଇ ଶନିବାର ଦ୍ବିତୀୟ ଭାଷା 10-12ଟା
2 ଅଗଷ୍ଟ ସୋମବାର ଗଣିତ 10-12.15ଟା
3 ଅଗଷ୍ଟ ମଙ୍ଗଳବାର ବିଜ୍ଞାନ 10-12ଟା
4 ଅଗଷ୍ଟ ବୁଧବାର ସାମାଜିକ ବିଜ୍ଞାନ 10-12ଟା
5 ଅଗଷ୍ଟ ଗୁରୁବାର ତୃତୀୟ ଭାଷା 10-12ଟା

ଛାତ୍ରଛାତ୍ରୀମାନେ www.bseodisha.ac.in ଜରିଆରେ ସେମାନଙ୍କର ଆବେଦନ ଦେଇପାରିବେ। 16 ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କ ଆବେଦନ ପତ୍ର ପ୍ରଧାନଶିକ୍ଷକ ବୋର୍ଡରେ ଦାଖଲ କରିବେ।

ଛାତ୍ରଛାତ୍ରୀଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଆଯ଼ାଇଛି ଯ଼େ ଅଫଲାଇନ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ସେମାନଙ୍କର ନୂଆ ଫଳରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ମାର୍କ କମ ରହିଲେ ସେମାନଙ୍କୁ ପୁରୁଣା ମାର୍କ ବାଛିବାର ସୁଯୋଗ ଦିଆଯିବ ନାହିଁ । ତେବେ ପୂର୍ବରୁ ମାଟ୍ରିକ ପରୀକ୍ଷାରେ ଦୁଇଟି ପେପର ମଧ୍ୟରେ ଗୋଟିଏ  ବା ଅଧିକ ଦିନ ଗ୍ୟାପ ରହୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏଥର ଲାଗ ଲାଗ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି। ତେଣୁ ଏବେ ବଲ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ କୋର୍ଟରେ । ତେବେ ବହୁ ପିଲା ଆଉଥରେ ପାଠ ପଢ଼ି ପରୀକ୍ଷା ଦେବା ଲାଗି ଚାପଗ୍ରସ୍ତ ହେବାକୁ ଚାହିଁନ ପାରନ୍ତି  ।

ଯ଼େଉଁମାନ ବାସ୍ତବରେ ସେମାନଙ୍କର ମାର୍କ କମିଯ଼ାଇଛି ବୋଲି ଆତ୍ମ ବିଶ୍ବାସର ସହିତ କହୁଛନ୍ତି ସେମାନେ ନିଶ୍ଚୟ ପରୀକ୍ଷା ଦେବାକୁ ଆସିପାରନ୍ତି। ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ମାର୍କ ଆହୁରି କମିଲା ସେ କ୍ଷେତ୍ରରେ ପିଲାମାନଙ୍କ ଦାବି ଭୁଲ ଥିଲା ବୋଲି ଜଣାଯ଼ିବ କିମ୍ବା ବଦଳୁଥିବା ପରିସ୍ଥିତିରେ ପିଲାମାନେ ପାଠପଢ଼ା ଛାଡ଼ିଦେଇଥିବାରୁ ଏହାର ପ୍ରଭାବ ପଡ଼ିଲା ବୋଲି କୁହାଯ଼ାଇପାରେ । ସେକ୍ଷେତ୍ରରେ ସଂପୃକ୍ତ ଛାତ୍ର କିମ୍ବା ଛାତ୍ରୀ ପଶ୍ଚାତାପ କରିବ, ତାହା ପୁଣି ଜୀବନ ତମାମ।  କିନ୍ତୁ ଯ଼େଉଁ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ବାସ୍ତବରେ ଗ୍ରେଡ ପରିବର୍ତ୍ତନ ହେବ ବା ଯ଼ଥେଷ୍ଟ ଅଧିକ ମାର୍କ ବୃଦ୍ଧି ଘଟିବ, ସେକ୍ଷେତ୍ରରେ ପୂର୍ବ ମାର୍କ ତ୍ରୁଟିପୂର୍ଣ୍ଣ ଥିଲା ବୋଲି ପ୍ରମାଣିତ କରିବାକୁ ପିଲାମାନଙ୍କୁ ଯ଼ଥେଷ୍ଟ ଯ଼ୁକ୍ତି ମିଳିବ । ଏସବୁକୁ ଦେଖି ଅଭିଭାବକମାନେ ନିଜନିଜ ପିଲାମାନଙ୍କ ପାଇଁ ମାଟ୍ରିକ ବାଜି ଲଗାଇବେ।

Leave a Reply

Your email address will not be published. Required fields are marked *