କନ୍ୟା ସନ୍ତାନ ହେଲେ ମାଆଙ୍କୁ ମାଗଣା ଚିକିତ୍ସା

ଭୁବନେଶ୍ଵର, ୦୮/୧୦ : ତେଲଙ୍ଗାନାର କାମାରେଡ୍ଡୀ ଜିଲ୍ଲା ସ୍ଥିତ ମାତୃଶ୍ରୀ ହସ୍‌ପିଟାଲର ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଶ୍ରାବଣୀକା ରେଡ୍ଡୀ ନିଜର ମହତ ପ୍ରୟାସ ଲାଗି ଖୁବ୍‌ ପ୍ରଶଂସା ସାଉଁଟୁଛନ୍ତି । କନ୍ୟା ସନ୍ତାନର ଜନନୀ ହେଉଥିବା ମହିଳାଙ୍କୁ ସେ ମାଗଣା ଚିକିତ୍ସା ପ୍ରଦାନ କରୁଛନ୍ତି । ଉଭୟ ସ୍ୱାଭାବିକ ଓ ସର୍ଜରୀ ମାଧ୍ୟମରେ କନ୍ୟା ସନ୍ତାନ ଜନ୍ମ ଦେଉଥିବା ମହିଳାଙ୍କର ସେ ମାଗଣା ଚିକିତ୍ସା କରୁଛନ୍ତି । ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ଭଲଭାବେ ବୁଝୁଥିବା ଶ୍ରାବଣୀକା ୯୮ ପ୍ରସବ ମାଗଣାରେ କରାଇଛନ୍ତି । ସ୍ୱାଭାବିକ ପ୍ରସବ କରାଇବାକୁ ଶ୍ରାବଣୀକା ଯଥାସମ୍ଭବ ଚେଷ୍ଟା କରନ୍ତି । ଅତ୍ୟନ୍ତ ଆବଶ୍ୟକ ସ୍ଥଳେ ସର୍ଜରୀ ଜରିଆରେ ସେ ପ୍ରସବ କରାଇଥାନ୍ତି ।

ଔଷଧ ମୂଲ୍ୟ ବୃଦ୍ଧିକୁ ସେ ସ୍ୱୀକାର କରିବା ସହିତ ଅନେକ ଲୋକଙ୍କ ଆର୍ଥିକ ସମସ୍ୟାକୁ ମଧ୍ୟ ଭଲଭାବେ ବୁଝନ୍ତି । ଏହାକୁ ଦୃଷ୍ଟିରେ ରଖି ସେ ଓ ତାଙ୍କ ହସ୍‌ପିଟାଲ ଆର୍ଥିକ ଅନଗ୍ରସର ପରିବାର ଓ କନ୍ୟା ସନ୍ତାନ ଜନ୍ମରେ ଖର୍ଚ୍ଚ କରିବାକୁ କୁଣ୍ଠିତ ଗରିବଙ୍କ ସାହାଯ୍ୟ ପାଇଁ ଏହି ସେବା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ।ଏହି ଉଲ୍ଲେଖନୀୟ ଅବଦାନ ଲାଗି ନିକଟରେ ଶ୍ରାବଣୀକାଙ୍କୁ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍‌ଙ୍କ ତରଫରୁ ୱିମେନ୍‌ ଆଚିଭ୍‌ମେଣ୍ଟ୍‌ ସମ୍ମାନ ମିଳିଛି । ଗରିବଙ୍କୁ ସାହାଯ୍ୟ କରିବାର ଲକ୍ଷ୍ୟ ନେଇ ୨୦୨୨ ମସିହା, ଜୁଲାଇ ୧ ତାରିଖରେ କନ୍ୟା ସନ୍ତାନର ମା’ଙ୍କୁ ମାଗଣା ଚିକିତ୍ସା ପ୍ରଦାନର ପ୍ରୟାସ ଆରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *