ଇଣ୍ଟର୍‌ନ୍ୟାସନାଲ ୟଙ୍ଗ୍‌ ଇକୋହିରୋ ଆୱାର୍ଡ ପାଇବେ ୫ ଯୁବ ପରିବେଶ ଯୋଦ୍ଧା

ଭୁବନେଶ୍ଵର, ୦୭/୧୦ : ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗୌରବାନ୍ୱିତ କରିଛନ୍ତି ଭାରତର ୫ ଯୁବ ପରିବେଶ ଯୋଦ୍ଧା । ସମଗ୍ର ବିଶ୍ୱର ୧୭ ପରିବେଶ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସାମିଲ ଏହି ୫ କିଶୋର କିଶୋରୀ ପାଇବେ ଇଣ୍ଟର୍‌ନ୍ୟାସନାଲ ୟଙ୍ଗ୍‌ ଇକୋହିରୋ ଆୱାର୍ଡ- ୨୦୨୩ । । ବିଶ୍ୱର ସବୁଠୁ ବଡ଼ ପରିବେଶ ସମସ୍ୟାଗୁଡ଼ିକର ନିୟନ୍ତ୍ରଣ ଲାଗି ନେଇଥିବା ପଦକ୍ଷେପ ନିମନ୍ତେ ସେମାନେ ଏହି ସମ୍ମାନାସ୍ପଦ ପୁରସ୍କାର ଲାଭ କରିବେ । ଆମେରିକାର ଅଣ-ଲାଭକାରୀ ସଂଗଠନ ‘ଆକ୍ସନ୍‌ ଫର୍‌ ନେଚର୍‌’ ଦ୍ୱାରା ଏହି ଯୁବ ପରିବେଶ ଯୋଦ୍ଧାଙ୍କୁ ଅନ୍ତର୍ଜାତୀୟ ଇକୋ-ହିରୋ ପୁରସ୍କାର ପାଇଁ ଚୟନ କରାଯାଇଛି । ଅନ୍ତର୍ଜାତୀୟ ମଞ୍ଚରେ ଭାରତର ଗୌରବ ବଢ଼ାଇଥିବା ଏହି ୫ କୁନି ପରିବେଶ ଯୋଦ୍ଧା ହେଉଛନ୍ତି ମୀରଟର ଇହା ଦୀକ୍ଷିତ, ବେଙ୍ଗାଲୁରୁର ମାନ୍ୟା ହର୍ଷ, ନୂଆଦିଲ୍ଲୀର ନିର୍ବାଣ ସୋମାନି ଓ ମନ୍ନତ କୌର ଏବଂ ମୁମ୍ବାଇର କାନ୍‌ଭାନ ରସ୍ତୋଗୀ । ସବୁଠୁ ଜଟିଳ ପରିବେଶ ସମସ୍ୟାଗୁଡ଼ିକର ସମାଧାନ ଲାଗି ୮-୧୬ ବର୍ଷ ବୟସର ପିଲା ଓ କିଶୋର କିଶୋରୀଙ୍କ ପଦକ୍ଷେପକୁ ଇଣ୍ଟର୍‌ନ୍ୟାସନାଲ ୟଙ୍ଗ୍‌ ଇକୋ-ହିରୋ ସମ୍ମାନ କାର୍ଯ୍ୟକ୍ରମ ମାନ୍ୟତା ପ୍ରଦାନ କରେ । ସମ୍ମାନ ଜରିଆରେ ସେମାନଙ୍କୁ ଉତ୍ସାହିତ କରେ ।

ଚଳିତ ବର୍ଷ ଏହି ସମ୍ମାନ ପାଇଥିବା ବିଶ୍ୱର ୧୭ ପିଲା ପୃଥିବୀର ଜଟିଳ ପରିବେଶ ସମସ୍ୟାଗୁଡ଼ିକର ସମାଧାନ ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଛନ୍ତି । ଚଳିତ ବର୍ଷର ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିବା ଇହା ଦୀକ୍ଷିତ ୪ ବର୍ଷ ବୟସରୁ ପରିବେଶ ସୁରକ୍ଷା ଲାଗି ଚାରା ରୋପଣ କରିଆସୁଛନ୍ତି । ଗ୍ରୀନ୍‌ ଇହା ସ୍ମାଇଲ୍‌ ଫାଉଣ୍ଡେସନ୍‌ ଜରିଆରେ ସେ ଓ ସ୍ୱେଚ୍ଛାସେବୀମାନଙ୍କର ଏକ ଟିମ୍‌ ମିଳିତ ଭାବେ ୨୦ ହଜାରରୁ ଅଧିକ ଚାରା ରୋପଣ କରିଛନ୍ତି । ଏହି ପ୍ରୟାସ ଜରିଆରେ ସେ ନିଜ ସହରରେ ଛୋଟ ଜଙ୍ଗଲ, ପାର୍କ, ସବୁଜ ପରିବେଶ ସୃଷ୍ଟି କରି ସ୍ୱଚ୍ଛ ବାୟୁ ପ୍ରଦାନ କରୁଛନ୍ତି । ୨ୟ ସ୍ଥାନ ହାସଲ କରିଥିବା ମାନ୍ୟା ପରିବେଶ ସମସ୍ୟା ଓ ଜଳବାୟୁ ସଙ୍କଟର ନିୟନ୍ତ୍ରଣ ଲାଗି ସଚେତନତା ସୃଷ୍ଟି ମିଶନ୍‌ରେ ଅଛନ୍ତି । ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା ୱାକାଥନ୍‌, ଚାରା ରୋପଣ, ମଞ୍ଜି ବଣ୍ଟନ ଓ ସ୍ୱଚ୍ଛତା ଅଭିଯାନ ଭଳି ଅନେକ କାର୍ଯ୍ୟକ୍ରମ ସେ ଚଳାଇଛନ୍ତି । ପରିବେଶ ଅନୁକୂଳ ବ୍ୟାଗ୍‌ ମଧ୍ୟ ବାଣ୍ଟୁଛନ୍ତି । ଆଗାମି ପିଢ଼ିମାନଙ୍କୁ ସୁସ୍ଥ ଓ ସବୁଜ ପୃଥିବୀ ପ୍ରଦାନ କରିବାକୁ ସେ ନିରନ୍ତର କାର୍ଯ୍ୟ କରୁଛନ୍ତି । ୧୩-୧୬ ବର୍ଷ ବୟସ ବିଭାଗରେ ୨ୟ ସ୍ଥାନ ହାସଲ କରିଥିବା ନିର୍ବାଣ ହେଉଛନ୍ତି ‘ପ୍ରୋଜେକ୍ଟ ଜିନ୍ସ’ର ପ୍ରତିଷ୍ଠାତା । ପରିବେଶ ଉପରେ ଫ୍ୟାଶନ୍‌ ଇଣ୍ଡଷ୍ଟ୍ରିର କୁପ୍ରଭାବକୁ ନିୟନ୍ତ୍ରଣ କରିବା ତାଙ୍କ ପ୍ରୟାସର ଉଦ୍ଦେଶ୍ୟ । ଗରିବଙ୍କୁ ମାଗଣା ଜିନ୍ସ ବଣ୍ଟନ, ବାସହରାଙ୍କୁ ଶୋଇବା ସରଞ୍ଜାମ ବଣ୍ଟନରେ ସେ ନିଜକୁ ସମର୍ପଣ କରିଛନ୍ତି । ୧୩-୧୬ ବର୍ଷ ବୟସ ବିଭାଗରେ ୩ୟ ସ୍ଥାନ ଜିତିଥିବା ମନ୍ନତଙ୍କ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଜଳାଭାବ ଓ ଅଙ୍ଗାରକାମ୍ଳ ବୃଦ୍ଧିକୁ ରୋକିବା । ଭାରତ ଉତ୍କଟ ଜଳ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ସ୍ୱଚ୍ଛ ଜଳ ଯୋଗାଣ ଓ ବର୍ଜ୍ୟ ଜଳକୁ ପରିଷ୍କାର କରିବାରେ ସେ ନିରନ୍ତର କାର୍ଯ୍ୟ କରୁଛନ୍ତି । ଚଳିତ ବର୍ଷ ପ୍ରତିଯୋଗିତାରେ ସମ୍ମାନଯୋଗ୍ୟ ପୁରସ୍କାର ଗ୍ରହଣ କରିଥିବା ୧୩ ବର୍ଷୀୟ କାରଭାନ୍‌ ରସ୍ତୋଗୀ ପ୍ଲାଷ୍ଟିକ୍‌ ବର୍ଜ୍ୟ ହ୍ରାସ ଲାଗି ସଚେତନତା ସୃଷ୍ଟି କରିବାକୁ ବଦ୍ଧପରିକର । ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ପରିବେଶ ସଂରକ୍ଷଣ ଉପରେ ସେ ଦୁଇଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି । ଅଦ୍ୟାବଧି ସେ ନିଜର ୫ ହଜାର ପୁସ୍ତକ ବାଣ୍ଟି ସାରିଲେଣି । ଜଳବାୟୁ ପରିବର୍ତ୍ତନ ଯୁଦ୍ଧରେ ଜଣେ ଜଣେ ଯୋଦ୍ଧା ହେବାକୁ ସେ ଅସଂଖ୍ୟ ଯୁବପିଢ଼ିଙ୍କୁ ପ୍ରେରିତ କରିଛନ୍ତି ।

‘ଆକ୍ସନ୍‌ ଫର୍‌ ନେଚର୍‌’ ଗତ ୨୦ ବର୍ଷ ଧରି ୨୭ ଦେଶ ଓ ୩୨ ଆମେରିକୀୟ ରାଜ୍ୟମାନଙ୍କର ୩୩୯ ପରିବେଶ ଯୋଦ୍ଧାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛି । ଆକ୍ସନ୍‌ ଫର୍‌ ନେଚର୍‌ର ନିର୍ଦ୍ଦେଶକ ବେରିଲ କେ କହିଛନ୍ତି, ଚଳିତ ବର୍ଷର ସମସ୍ତ ଯୁବ ପରିବେଶ ଯୋଦ୍ଧା ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଜରିଆରେ ମୁଣ୍ଡ ଉପରେ ଖଣ୍ଡା ହୋଇ ଝୁଲୁଥିବା ଜଳବାୟୁ ସଙ୍କଟର ମୁକାବିଲା ଲାଗି ବିଶ୍ୱ ସ୍ତରରେ ନିଜ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ସେମାନେ ଜୀବନ ପରିବର୍ତ୍ତନ କରୁଛନ୍ତି ଏବଂ ବିଶ୍ୱର ପ୍ରତ୍ୟେକ ସମୁଦାୟର କାୟା ବଦଳାଉଛନ୍ତି।

Leave a Reply

Your email address will not be published. Required fields are marked *