ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରର ମଙ୍ଗ ଧରିଥିଲେ ପଦ୍ମଶ୍ରୀ ଶୈଳବାଳା ଦାସ, ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିବା ପ୍ରଥମ ଓଡ଼ିଆ ମହିଳା

ଭୁବନେଶ୍ଵର, ୦୭/୧୦ : ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ଶୈଳବାଳା ଦାସଙ୍କ ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ। ସେ ଜଣେ ନିଷ୍ଠାପର ସମାଜସେବୀ ଥିଲେ। ସେ ୩ ଅପ୍ରେଲ ୧୯୫୨ରୁ ୨ ଅପ୍ରେଲ ୧୯୫୪ ପର୍ଯ୍ୟନ୍ତ ରାଜ୍ୟସଭା ସଭ୍ୟ ଭାବେ କାର୍ଯ୍ୟ କରିଥିଲେ । ଶୈଳବାଳା ମହିଳା ମହାବିଦ୍ୟାଳୟ ତାଙ୍କ ନାମରେ ନାମିତ ହୋଇଛି । ୧୮୯୨ ମସିହାରେ ମଧୁସୂଦନ ଦାସ ବିଧିବଦ୍ଧ ଭାବେ ଶୈଳବାଳାଙ୍କୁ ପାଳିତ କନ୍ୟା ଭାବେ ଗ୍ରହଣ କରିଥିଲେ । ଶୈଳବାଳା କୋଲ୍‌କାତାର ଭବାନୀପୁରସ୍ଥିତ ମଧୁସୂଦନ ଚକ୍ରବାରିଆ ରୋଡ୍‌ର ଭଡ଼ାଘରେ ଜନ୍ମଗ୍ରହଣ କରିଥିଲେ ।

ପିତା ଅମ୍ବିକା ଚରଣ ହାଜରା ଓ ମାତା ପ୍ରସନ୍ନମୟୀ ହାଜରାଙ୍କ ଜ୍ୟେଷ୍ଠ ସନ୍ତାନ ଥିଲେ । ତାଙ୍କ ପ୍ରାଥମିକ ଶିକ୍ଷା ଲଣ୍ଡନ ମିସନ ବାଳିକା ବିଦ୍ୟାଳୟରେ ଆରମ୍ଭ କରିଥିଲେ । ପରେ ଶିମଳା ପଢ଼ିବାକୁ ଯାଇଥିଲେ । ୧୯୦୬ ମସିହାରେ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ । ସେଠାରେ ମାରିଆ ଟ୍ରେନିଂ କଲେଜରେ ଶିକ୍ଷକତାରେ ପ୍ରଶିକ୍ଷଣ ନେଇଥିଲେ । ପ୍ରଥମ ଓଡ଼ିଆ ମହିଳା ଭାବେ ଉଚ୍ଚଶିକ୍ଷା ପାଇଁ ସେ ବିଦେଶ ଯାଇଥିଲେ । ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ଶୈଳବାଳାଙ୍କ ମୁଖ୍ୟ ଭୂମିକା ରହିଛି । ୧୯୦୭ ମସିହାରେ ସେ ଇଂଲଣ୍ଡରୁ ପ୍ରଶିକ୍ଷଣ ସମାପ୍ତ କରି ଫେରିବା ପରେ ନାରୀ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ୧୯୦୮ ମସିହା ଫେବ୍ରୁଆରୀ ୮ରେ ସେ ରେଭେନ୍‌ସା ବାଳିକା ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ପରିଣତ କରାଇଥିଲେ । ପରେ ସରକାର ଏହାକୁ ନାରୀ ଶିକ୍ଷାପୀଠ ଭାବେ ଗ୍ରହଣ କରିବା ସହିତ ଶୈଳବାଳାଙ୍କୁ ନାରୀ ଶିକ୍ଷାର ପ୍ରବକ୍ତା ଭାବେ ଗ୍ରହଣ କରାଯାଇଥିଲା । ୧୯୦୩ରେ ଉତ୍କଳ ଯୁବ ସଂଗଠନ ଗଠନ କରିବା ସହ ଉତ୍କଳ ମହିଳା ସଂଘ ମଧ୍ୟ ଆରମ୍ଭ କରିଥିଲେ । ନାରୀ ଶିକ୍ଷାର ପ୍ରସାର ଓ ସମାଜସେବା ପାଇଁ ୧୯୫୯ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *