ପ୍ରମୋଦ ଭଗତଙ୍କ ସେହି ସ୍ବର୍ଣ୍ଣିମ ମୁହୂର୍ତ୍ତ – ଖୁସିରେ ଏମିତି ଡେଇଁଉଠିଲେ

ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ ।  ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିଣିଛନ୍ତି । ବ୍ୟାଡମିଣ୍ଟନ ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ସିଧାସଳଖ ୨୧-୧୪, ୨୧-୧୭ ସେଟରେ ପରାସ୍ତ କରି ପ୍ରମୋଦ ଦେଶକୁ ସ୍ବର୍ଣ୍ଣ ମେଡାଲ ଉପହାର ଦେଇଛନ୍ତି।  ଅଲିମ୍ପିକ୍ସରେ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍‌ ମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିନଥିଲେ।

ବିଶ୍ବର ୧ ନମ୍ବର ମାନ୍ୟତା ପ୍ରାପ୍ତ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ସେମିଫାଇନାଲରେ ଜାପାନର ଡାଇସୁକେ ଫୁଜିହାରାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ୪୫ ମିନିଟ୍ ଧରି ଏହି ଖେଳ ଚାଲିଥିଲା । ପ୍ରମୋଦ ପ୍ରଥମ ଗେମ୍‌ରେ ଆଗୁଆ ରହିବା ପରେ ଦ୍ବିତୀୟ ଗେମ୍‌ରେ ବି ନିଜର ଦବଦବା ବଜାୟ ରଖିବାରେ ସଫଳ ହୋଇଥିଲେ । ଯେତେବେଳେ ପଦକ ପ୍ରଦାନ ସମୟରେ ଭାରତର ତ୍ରିରଙ୍ଗା ଉଠାଯାଉଥିଲା ସେତେବେଳେ ସାରା ଦେଶ ଗର୍ବରେ ଉତଫୁଲ୍ଲିତ ହୋଇ ଉଠିଥିଲା

 

 

ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରମୋଦଙ୍କ ସହିତ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ।

ପ୍ରମୋଦଙ୍କ ଘର ବରଗଡ଼ ଜିଲ୍ଲା ଅତାବିରା ଠାରେ । ୧୯୮୮ ମସିହା ଜୁନ ୪ ତାରିଖରେ ତାଙ୍କର ଜନ୍ମ । ପରିବାରରେ ଛଅ ଭାଇ ଭଉଣୀ । ପ୍ରମୋଦଙ୍କୁ ୫ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଗୋଡ଼ରେ ସମସ୍ୟା ଦେଖା ଦେଇଥିଲା । ପୋଲିଓ ଯୋଗୁ ସେ ପାଲଟିଗଲେ ଆଂଶିକ ଦିବ୍ୟାଙ୍ଗ ।

ଗରିବ ପରିବାରରେ ଚାଲିଥିଲା ଜୀବନ ସଂଘର୍ଷ । ତାଙ୍କୁ ୧୩ ବର୍ଷ ବେଳକୁ ସେ ଏକ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଦେଖି ଏହି ଖେଳ ପ୍ରତି ଆକର୍ଷିତ ହୋଇଥିଲେ । ତାପରେ ଖେଳ ଆରମ୍ଭ କଲେ ଓ ଦୁଇ ବର୍ଷ ଭିତରେ ଟୁର୍ନାମେଣ୍ଟ ମଧ୍ୟ ଖେଳିଲେ । ପ୍ରଥମେ ସାଧାରଣ ବର୍ଗରେ ପରେ ଦିବ୍ୟାଙ୍ଗ ବର୍ଗରେ ଖେଳି ଚାଲିଲେ ଓ ଗୋଟିଏ ପରେ ଗୋଟିଏ ସଫଳତା ପାଇଁ ଚାଲିଲେ । କୋଚ ଶିବ ପ୍ରସାଦ ଦାସଙ୍କ ତାଲିମ ପାଇ ପ୍ରମୋଦ ଏ ପର‌୍ୟ୍ୟନ୍ତ ୫ ଥର ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି । ତାଙ୍କ ନାଁରେ ୪୬ଟି ଅନ୍ତର୍ଜାତୀୟ ପଦକ ଜିତିବାର ଗୌରବ ରହିଛି ।

 

Leave a Reply

Your email address will not be published. Required fields are marked *