ବିନୋଦିନୀ ଦେବୀ ପାଇବେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର

ଜୀବନବ୍ୟାପୀ ସାଧନା ଲାଗି ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପ୍ରଦାନ କରାଯିବ ।  ସେହିପରି ଓଡ଼ିଶୀ ନୃତ୍ୟଶିଳ୍ପୀ ଆରୁଷୀ ମୁଦଗଲ ଏବଂ ଓଡ଼ିଶୀ ମର୍ଦ୍ଦଳ ଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କୁ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ । ଦୁହିଁଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯିବ । ଏନେଇ ‘ସୃଜନ’ର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଆସନ୍ତା ସେପ୍ଟେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୨୭ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ଆଓ୍ବାର୍ଡ ଉତ୍ସବ ୨୦୨୧ । ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଏହି ଉତ୍ସବ ଲାଗି ଚଳିତ ବର୍ଷ ଘୋଷଣା ହୋଇଛି ପୁରସ୍କାର ।ଚଳିତ ବର୍ଷ ଏହି ଉତ୍ସବକୁ ଗୁରୁମା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ସ୍ମୃତିରେ ଉତ୍ସର୍ଗ କରାଯିବ । କରୋନା କଟକଣା ପାଇଁ ସୋସିଆଲ ମିଡିଆରେ ଏହି ଉତ୍ସବକୁ ଉପଭୋଗ କରିପାରିବେ ଦର୍ଶକ । ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ସଂଧ୍ୟାରେ ଶର୍ମିଳା ମୁଖାର୍ଜୀଙ୍କ ଓଡ଼ିଶୀ ସଙ୍ଗୀତା ଶଙ୍କରଙ୍କ ବେହେଲା, ଦ୍ବିତୀୟ ସଂଧ୍ୟାରେ ଅନୀତା ମଲ୍ଲିକଙ୍କ ଭାରତନାଟ୍ୟମ, ରୂପକ କୁମାର ପରିଡ଼ାଙ୍କ ଓଡ଼ିଶୀ ସଙ୍ଗୀତ, ତୃତୀୟ ସଂଧ୍ୟାରେ ଅନ୍ବେଷା ମହାନ୍ତିଙ୍କ ସତ୍ରୀୟା, ମଞ୍ଜୁଶା ପାଟିଲଙ୍କ ହିନ୍ଦୁସ୍ଥାନୀ ସଙ୍ଗୀତ, ଚତୁର୍ଥ ସଂଧ୍ୟାରେ ନିକିତା ବନଓ୍ବାଲିକରଙ୍କ କଥକ ଓ ଅଭିରାମ ନନ୍ଦଙ୍କ ବଂଶୀ ବାଦନ ଏବଂ ଉଦଯାପନୀ ସଂଧ୍ୟାରେ ପୁରସ୍କାର ସହ ‘ସୃଜନ’ କଳାକାରଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ ।

Leave a Reply

Your email address will not be published. Required fields are marked *