ଶିଶୁଙ୍କ ପାଇଁ ନୂଆ ନୀତି ‘ପ୍ରାରମ୍ଭ’ ଆରମ୍ଭ, ଗଣଶିକ୍ଷା ବିଭାଗ ଶିଶୁଙ୍କ ପାଇଁ ସର୍ବାଧିକ ୭୫.୫% ବ୍ୟୟବରାଦ

ଭୁବନେଶ୍ଵର, ୨୬/୦୨ : ରାଜ୍ୟରେ ମୋଟ ଜନସଂଖ୍ୟାର ୩୪% ହେଉଛନ୍ତି ଶିଶୁ । ସେମାନଙ୍କ ବିକାଶ ପାଇଁ ନୂଆ କରି ଶିଶୁଙ୍କ ପାଇଁ ନୂଆ ନୀତି ‘ପ୍ରାରମ୍ଭ’ ଆରମ୍ଭ ହୋଇଛି । ରାଜ୍ୟ ପାଇଁ ନୂଆ ନୀତି ଓ ଯୋଜନା ଲାଗୁ କରିବା, ସାମାଜିକ ରୂପାନ୍ତରୀକରଣ, ସେମାନଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ ସେବା, ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବାକୁ ଅନେକ ଯୋଜନା ପାଇଁ ଭିନ୍ନ ଭିନ୍ନ ବ୍ୟୟବରାଦ ହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁଙ୍କ ଶିକ୍ଷା ପାଇଁ ସର୍ବାଧିକ ୨୨ହଜାର ୪୮୪ କୋଟି ଅର୍ଥ ବରାଦ ହୋଇଛି । ଏସ୍‌ସି ଓ ଏସ୍‌ଟି ବିଭାଗ ପକ୍ଷରୁ ୩ ହଜାର ୭୧ କୋଟି ଓ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ୩ ହଜାର ୩୭ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ତେବେ ଶିଶୁଙ୍କ ପାଇଁ ମୋଟ ବ୍ୟୟ ଅଟକଳରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୪୭.୦୮% ଓ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୫୨.୮୯% ଅର୍ଥ ବରାଦ ହୋଇଛି ।

କୋଭିଡ୍‌ରେ ଅନାଥ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆର୍ଶୀବାଦ ଯୋଜନା ଆରମ୍ଭ ହୋଇଥିଲା । ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ମୋ ପ୍ରତିଭା ଯୋଜନା ହୋଇଛି । ରାଜ୍ୟରେ ଶିଶୁ ମୃତ୍ୟୁ ହାର କମିଛି । ୨୦୧୫-୧୬ରେ ପ୍ରତି ୧୦୦୦ ଶିଶୁରେ ୪୦ ଶିଶୁ ଆଖି ବୁଜୁଥିଲେ । ତେବେ ୨୦୧୯-୨୦ରେ ଏହି ସଂଖ୍ୟା ୩୬କୁ କମିଛି । ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଅମ୍ଲାନ, ବିଜୁ କନ୍ୟା ରତ୍ନ, ବିଜୁ ଶିଶୁ ସୁରକ୍ଷା ଯୋଜନା, ସୋପାନ, ଖୁସି ଓ ବାତ୍ସଲ୍ୟ ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି ।

ଶିଶୁମାନେ ଦେଶର ଭବିଷ୍ୟତ । ଶିଶୁଙ୍କ ପାଇଁ ବ୍ୟୟବରାଦର ଅର୍ଥ ଭବିଷ୍ୟତର ମାନବ ପୁଞ୍ଜିରେ ନିବେଶ । ଶିଶୁଙ୍କ ଅଧିକାରକୁ ସୁରକ୍ଷିତ ରଖିବା ସହ ଶିଶୁ ଉପଯୋଗୀ ନୀତି ପ୍ରସ୍ତୁତ କରି ଏଥିପାଇଁ ସ୍ୱତନ୍ତ୍ର ଅନୁଦାନ ଦେବା ପାଇଁ ଏହି ବଜେଟ୍‌ ଉପସ୍ଥାପନ ହୋଇଛି । ଗଣଶିକ୍ଷା ବିଭାଗ ଶିଶୁଙ୍କ ପାଇଁ ସର୍ବାଧିକ ୭୫.୫% ବ୍ୟୟବରାଦ କରିଛି । ଏସ୍‌ସି ଓ ଏସ୍‌ଟି ବିଭାଗ ୧୦.୩୭% ଓ ମହିଳା ଏବଂ ଶିଶୁ ବିକାଶ ବିଭାଗ ୧୧.୩୮% ଅର୍ଥ ଖର୍ଚ୍ଚ କରିବାକୁ ବଜେଟ୍‌ରେ ବ୍ୟବସ୍ଥା ରଖିଛି

Leave a Reply

Your email address will not be published. Required fields are marked *