ପିରିୟଡ ଛୁଟି, ପ୍ରିୟଦର୍ଶିନୀଙ୍କ ପ୍ରେରଣା, ପ୍ରଭାତୀଙ୍କ ପଦକ୍ଷେପ

୭୮ତମ ସ୍ବାଧୀନତା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଋତୁସ୍ରାବ ପାଇଁ ସରକାରୀ ଓ ବେସକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି। ସମଗ୍ର ରାଜ୍ୟରେ ଏହି ନିୟମ ଲାଗୁ ହେବ ବୋଲି ସେ କହିଛନ୍ତି।ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ ଏହି ଛୁଟି ନେଇପାରିବେ।

ଋତୁସ୍ରାବର ପ୍ରଥମ ଦିନ ଏତେ ଯନ୍ତ୍ରଣା ହୁଏ ଯେ ଔଷଧ ଖାଇଲେ ମଧ୍ୟ କିଛି ଉପଶମ ହୁଏନି। ତେଣୁ ଅନେକ ମହିଳା ନିଜର ଦୈନନ୍ଦିନ କାର୍ଯ୍ୟ କରିବା ତ ଦୂରର କଥା ଯନ୍ତ୍ରଣା ସହ୍ୟ କରିପାରନ୍ତି ନାହିଁ। ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ବାର ବିତର୍କ ହୋଇଛି।  ସମ୍ବଲପୁରର ଜଣେ ମହିଳା ଏହି ପ୍ରସଙ୍ଗରେ ଜାତୀୟ ସ୍ତରରେ ବିତର୍କ ଆରମ୍ଭ କରି ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ହେଉଛନ୍ତି ସମ୍ବଲପୁରର ରଞ୍ଜିତା ପ୍ରିୟଦର୍ଶିନୀ  । ସେ କହିଛନ୍ତି  ଏଥିପାଇଁ କେତେ ସାଲାଇନ୍‌ ନେଇଛି, ତା’ର ଠିକଣା ନାହିଁ। ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ପ୍ରଫେସର ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କଠାରୁ ଔଷଧ ମଧ୍ୟ ଖାଇଛି। ସବୁ ଝିଅଙ୍କ ଭଳି ମୋ ପାଇଁ ଥିଲା ଏହା ଏକ କଷ୍ଟସାଧ୍ୟ ଅନୁଭୂତି, ଯାହାକୁ ମୁଁ ସହିବାକୁ ବାଧ୍ୟ ଥିଲି। କିନ୍ତୁ ଋତୁସ୍ରାବ କଷ୍ଟ ଯୋଗୁଁ ଚାକିରି ହରାଇବା ପରେ ଏହି ଦିନରେ ଛୁଟିର ଆବଶ୍ୟକତାକୁ ମର୍ମେ ମର୍ମେ ଅନୁଭବ କରିଥିଲି। ଏଥିପାଇଁ ୨୦୨୨ ମସିହାରୁ ଲଗାତାର ଅଭିଯାନ ପରେ ଚଳିତବର୍ଷ ସ୍ବାଧୀନତା ଦିବସରେ ଓଡ଼ିଶା ସରକାରଙ୍କ ଛୁଟି ଘୋଷଣା ନିଷ୍ପତ୍ତି ତାଙ୍କୁ ଅଜସ୍ର ଖୁସି ଆଣି ଦେଇଛି। ତେବେ ଏତିକିରେ ଅଭିଯାନ ସରିନି। ଆହୁରି ଅନେକ କାମ ବାକି ରହିଛି ବୋଲି କହିଛନ୍ତି ଋତୁସ୍ରାବଜନିତ ଛୁଟି ଅଭିଯାନର ଯୋଦ୍ଧା ସମ୍ବଲପୁରର ରଞ୍ଜିତା ପ୍ରିୟଦର୍ଶିନୀ।

ଓଡ଼ିଶା ସରକାରଙ୍କ ଏହି ଘୋଷଣାକୁ ଲକ୍ଷ ଲକ୍ଷ କର୍ମଜୀବୀ ମହିଳା ସ୍ବାଗତ କରିଛନ୍ତି। ପୂର୍ବରୁ ଜାପାନ, ଚୀନ, ତାଇୱାନ ଭଳି ଦେଶେ ଏଭଳି ଘୋଷଣା କରିସାରିଥିବା ବେଳେ 2007ରେ ନାଇକ କମ୍ପାନି ନିଜର କର୍ମଚାରୀଙ୍କ ପାଇଁ ସମାନ ଛୁଟି ଦେଇ ବେଶ୍ ପ୍ରଶଂସିତ ହୋଇଥିଲା। ଆମେ ଦେଶରେ ବିହାର ଓ କେରଳ ମଧ୍ୟ ପୂର୍ବରୁ ସମାନ ଧରଣର ଛୁଟି ଘୋଷଣା କରିସାରିଛନ୍ତି ।

One thought on “ପିରିୟଡ ଛୁଟି, ପ୍ରିୟଦର୍ଶିନୀଙ୍କ ପ୍ରେରଣା, ପ୍ରଭାତୀଙ୍କ ପଦକ୍ଷେପ

Leave a Reply

Your email address will not be published. Required fields are marked *