ଅନଲାଇନ ପାଠପଢ଼ା ନାଁରେ କଣ ଚାଲିଛି ନଜର ରଖନ୍ତୁ- ଜାଣିବା ଜରୁରୀ

ମହାମାରୀ ସମୟରେ ସ୍କୁଲ ବନ୍ଦ । ବିନା ପରୀକ୍ଷାରେ ବି ଏବର୍ଷ ମାଟ୍ରିକରେ ଭଲ ମାର୍କ ଅମଳ ହୋଇଛି। ଏଭଳି ସମୟରେ ପିଲାଙ୍କ ସମୟ ବିତୁଛି ପବଜି ଓ ଫ୍ରି ଫାୟାରରେ । ଭାରତରୁ ବ୍ୟାନ ହୋଇଥିବା ପବଜି ନିକଟରେ ପୁଣି ବୁଲେଇ ବଙ୍କେଇ ଏଣ୍ଟ୍ରି ମାରିଛି। ପୂରା ଦେଶୀ ଭର୍ସନରେ ଆସିଛି ବ୍ୟାଟଲ ଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ ।  ଯେଉଁମାନେ ପୂର୍ବରୁ ପବଜିରେ ରେଜିଷ୍ଟ୍ରି କରିଥିଲେ ସେମାନଙ୍କୁ ବିନା କଷ୍ଟରେ ଏହା ଉପଲବ୍ଧ ହୋଇଯାଉଛି । ଅନ୍ୟମାନେ ଏହାକୁ ପ୍ଲେ ଷ୍ଟୋରରୁ ଏକ ସ୍ବତନ୍ତ୍ର ଆପ୍ ଭାବେ ଡାଉନଲୋଡ କରିପାରିବେ। ଏହାକୁ କ୍ରାଫଟନ କମ୍ପାନି ନିକଟରେ ଭାରତ ପାଇଁ ଉନ୍ମୋଚନ କରିଛି । ଯାହାକି ଆଣ୍ଡ୍ରଏଡ ଫୋନରେ ଉପଲବ୍ଧ ହୋଇପାରିବ । ତା ସହିତ ବ୍ୟବହାର କାରୀଙ୍କ ପାଇଁ ରିୱାର୍ଡ ପଏଣ୍ଟ ଅଗଷ୍ଟ 19 ଯାଏଁ ମିଳିବ।

 


ଏବେ ପରୀକ୍ଷା ଟେନସନ ନାହିଁ ଆଉ ଅନଲାଇନ ପାଠ ପଢ଼ା ନାଁରେ ପିଲାଙ୍କ ହାତରେ ବି ଗୋଟେ ଗୋଟେ ମୋବାଇଲ ଲାଗିଯାଇଛି, ତେଣୁ ଏଥର ପୁଣି ମୋବାଇଲରେ ଯୋଦ୍ଧା ସାଜି ଡେଇଁବେ ପିଲାଏ। ଘରେ ବାହାରେ ଲୁଚେଇକି କିମ୍ବା ସାଙ୍ଗଙ୍କ ସାଙ୍ଗରେ ଏବେ ପୁଣି ପବଜି ଯ଼ୋଦ୍ଧା ମାତି ଉଠିବେ, ଚର୍ଚ୍ଚା ସେପର୍ଯ୍ୟନ୍ତ ହେବନି ଯେପର୍ଯ୍ୟନ୍ତ କୌଣସି ଅଘଟଣର ଖବର ସାମ୍ନାକୁ ନ ଆସିଛି। ଯ଼େମିତି କୌଣସି କିଶୋର ମାନସିକ ଯ଼ନ୍ତ୍ରଣାରେ ଆସି ଆତ୍ମହତ୍ୟା କରିବା କିମ୍ବା ଘରୁ ଚୋରି କରିବା ଇତ୍ୟାଦି ଇତ୍ୟାଦି । ନିକଟରେ ଛତିଶଗଡ଼ରେ ଏକ 12 ବର୍ଷର ପିଲା ଫ୍ରିଫାୟାର ଅପଡେଟ କରିବା ଲାଗି ମାର ଆକାଉଣ୍ଟରୁ 3 ଲକ୍ଷ 22 ହଜାର ଟଙ୍କା ଗାୟବ କରିଦେଲା । ମହିଳା ଜଣ ଛତିଶଗଡ଼ର କାଙ୍କର ଜିଲ୍ଲାର। ପୋଲିସ ନିକଟରେ ସେ ଅଭିଯୋଗ କରିଥିଲେ ଯେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଛି କିନ୍ତୁ ନା ମେସେଜ ଆସିଛି ନା ଓଟିପି। 278 ଟି ଟ୍ରାଂଜାକ୍ସନରେ 3 ଲକ୍ଷ 22 ହଜର ଟଙ୍କା କଟିଛି। ଜଣା ପଡ଼ିଥିଲା ଯେ ତାଙ୍କରି ପୁଅ ଫ୍ରି ଫାୟାର ଖେଳିବା ଚକ୍କରରେ ଏବଂ ଏହାକୁ ଅପଡେଟ କରିବା ପାଇଁ ଏସବୁ ଟଙ୍କା ଉଡ଼େଇ ଦେଇଛି।

କେବଳ ଏହି ଗୋଟିଏ ଘଟଣା ନୁହେଁ ଏମିତି ଶହ ଶହ ଘଟଣାର ଲମ୍ବା ତାଲିକା ଆପଣଙ୍କୁ ଇଣ୍ଟରନେଟରେ ମିଳିଯ଼ିବ। ଏର୍ଣ୍ଣାକୁଲମରେ ଆଉ ଜଣେ ମହିଳା 2 ଲକ୍ଷ 93 ହଜାର ଟଙ୍କା ହରାଇଥିଲେ । କାରଣ ଥିଲା ପୁଅ ତାଙ୍କର ଫ୍ରି ଫାୟାର ଖେଳୁଥିଲା ଏଣେ ତାଙ୍କ ଆକାଉଣ୍ଟରେ ନିଆଁ ଲାଗିଯାଇଥିଲା। ଏସବୁ ଘଟଣା ମଧ୍ୟରୁ ସବୁଠାରୁ ଦୁଃଖଦ ହେଉଛି ଏହି ଅନଲାଇନ ଗେମ୍ ପାଇଁ ପିଲାର ଅପରାଧ ପ୍ରବଣତା ବୃଦ୍ଧି ପାଇବା କିମ୍ବା ଆତ୍ମହତ୍ୟା ମାନସିକତା ଦେଖାଦେବା। ଗତ ମେ ମାସରେ ଓଡ଼ିଶାର ବାଲେଶ୍ବରର  ଜଣେ ଯୁବକ ଆତ୍ମହତ୍ୟା କରିଥିବା ଖବର ଆସିଥିବା ବେଳେ ସମାନ ଧରଣର ଘଟଣା ଘଟିଥିଲା ସାଗରରେ ।  ଫ୍ରି ଫାୟାର ଖେଳିବାକୁ ମନା କରାଯ଼ିବାରୁ ଏକ 12 ବର୍ଷର ପିଲା (ଚତୁର୍ଥ ଶ୍ରେଣୀ) ଆତ୍ମହତ୍ୟା କରିଦେଇଥିଲା।

ବାଂଲାଦେଶ ଭଳି ଅନେକ ଦେଶ ପବଜି ଓ ଫ୍ରିଫାୟାର ବ୍ୟାନ କରିବାକୁ ଚିନ୍ତା କଲେଣି । ବାଂଲାଦେଶର ସିଭିଲ ସୋସାଇଟି ଏହି ଗେମ୍ ବ୍ୟାନ କରିବା ଲାଗି ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଭାରତରେ ପବଜି ବ୍ୟାନ ହୋଇଥିଲା କିନ୍ତୁ ଏବେ  ବ୍ୟାଟଲ ଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ ନାଁରେ ଏହା ନୂଆ ପ୍ରକରଣରେ ପ୍ରବେଶ କରିସାରିଲାଣି। ଶୁଣାଗଲାଣି ଟିକଟକ ବି ପୁଣି କବାଟ ଠକ ଠକ କଲାଣି।

 ଏବେ ତ ଗାଁ ଗାଁରେ ମୋବାଇଲ ମାଡ଼ି ଚାଲିଛି। ପିଲାଙ୍କ ଅନଲାଇନ କ୍ଲାସ ପାଇଁ ବାପାମା ଗାଈବିକି, ଫସଲ ବିକି ପିଲାଙ୍କୁ ଆଣ୍ଡ୍ରଏଡ଼ ଫୋନ ଖଣ୍ଡେ ଧରାଉଛନ୍ତି । ତେବେ ଅନେକ ପିଲା ଗେମ୍ କବଳରେ ପଡ଼ିଯ଼ାଉଥିବାର ଚିନ୍ତାଜନକ ହେଲାଣି । ତେଣୁ ଅନଲାଇନ ଗେମ୍ ପ୍ରତି ପିଲାମାନଙ୍କୁ କିଭଳି ରୋକା ଯାଇପାରିବ ତାହା ସରକାରଙ୍କ ଅପେକ୍ଷା ବାପାମାଙ୍କୁ ଚିନ୍ତା କରିବାକୁ ପଡ଼ିବ। ଅନଲାଇନ କ୍ଲାସ ନାଁରେ ମୋବାଇଲରେ କଣ କଣ ଚାଲୁଛି ତାହା ପରୀକ୍ଷା ରେଜଲ୍ଟରୁ ଜଣା ପଡ଼ିବନି କିନ୍ତୁ ନିଜେ ନଜର ରଖିଲେ ଜାଣି ପାରିବେ ।

ଏହି ଲେଖାଟି 10 ବର୍ଷର ଝିଅ ଲେଖିବା ପାଇଁ ପ୍ରସ୍ତାବ ଦେବା ପରେ ଇଣ୍ଟରନେଟରେ ଏହା ଉପରେ ତଥ୍ୟ ସଂଗ୍ରହ କରି ଲେଖିଛୁ। ଯଦି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହାକୁ ନିଶ୍ଚୟ ସେୟାର କରନ୍ତୁ ଏବଂ ଲୋକଙ୍କୁ ସଚେତନ କରନ୍ତୁ।

Leave a Reply

Your email address will not be published. Required fields are marked *