ଭାରତୀୟ ଛାତ୍ରୀଙ୍କ ଉପଲବ୍ଧି, ପ୍ରସ୍ତୁତ କଲେ ଦୁର୍ଘଟଣା ପ୍ରତିରୋଧୀ ଚଷମା, ନିଦ ଲାଗିଲେ, ବାଜିବ ଆଲାର୍ମ

ଭୁବନେଶ୍ଵର, ୨୧/୧୦ : ଗାଡ଼ି ଚାଳନା କିମ୍ବା ଅଧ୍ୟୟନ ସମୟରେ ଆପଣଙ୍କୁ ସଜାଗ ରଖିବ ଚଷମା । ଅଧ୍ୟୟନ ସମୟରେ ଏହା ବିଦ୍ୟାର୍ଥୀଙ୍କୁ ଜାଗ୍ରତ ରଖିବ । ରାତି ଶିଫ୍ଟରେ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ ସଜାଗ ରଖିବ । ଯଦି କାମ, ଅଧ୍ୟୟନ କିମ୍ବା ଗାଡ଼ି ଚଳାଇବା ବେଳେ ଆପଣଙ୍କ ଆଖି ବନ୍ଦ ହୋଇଯିବ, ଏଥିରୁ ନିର୍ଗତ ଶବ୍ଦ ଆପଣଙ୍କୁ ଚେତାଇ ଦେବ । ଏହା ଏକ ନିଦ୍ରା- ନିବାରଣକାରୀ ଉପକରଣ । କର୍ଣ୍ଣାଟକର ହୁବଲି ବାସିନ୍ଦା ଛାତ୍ରୀ ରାବିୟା ଫାରୁକି ଏହି ଅଭିନବ ଉପକରଣ ଉଦ୍ଭାବନ କରିଛନ୍ତି ।

ସ୍ଥାନୀୟ ବିଦ୍ୟାନିକେତନ କଲେଜର ପ୍ରଥମ ବର୍ଷ ଛାତ୍ରୀ ରାବିୟା କହନ୍ତି, ରାସ୍ତାରେ ଗାଡ଼ି ଚଳାଇବା ସମୟରେ ଲୋକେ ନିଦ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଖାସ୍‌କରି ସକାଳ ସମୟରେ ଏଥିଯୋଗୁ ଯାତ୍ରୀ ଭୟଙ୍କର ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି । ଗାଡ଼ି ଚଳାଇବା ସମୟରେ ଯାତ୍ରୀଙ୍କ ନିଦ ସମସ୍ୟାର ସମାଧାନ ଓ ଦୁର୍ଘଟଣାରୁ ବଞ୍ଚାଇବା ଲାଗି ରାବିୟା ଏହି ଚଷମା ପ୍ରସ୍ତୁତ କରିଛନ୍ତି ।ଏହି ଅଭିନବ ଚଷମାରେ ପୁନଃଚାର୍ଜଯୋଗ୍ୟ ବ୍ୟାଟେରୀ, ଏକ ଛୋଟ ବଜର୍‌ ଏବଂ ଏକ ଆଇଆର୍‌ ସେନ୍‌ସର ରହିଛି । ଗାଡ଼ି ଚାଳନା ସମୟରେ ଏହାକୁ ପିନ୍ଧିଲେ, ନାନୋ ଆର୍‌ଡୁଇନୋ ଟେକ୍ନୋଲୋଜି ପ୍ରୟୋଗ କରି ବନ୍ଦ ଆଖିର ସଙ୍କେତକୁ ଏହା ଖୁବ୍‌ଶୀଘ୍ର ଚିହ୍ନଟ କରେ । ଯଦି ଚାଳକଙ୍କ ଆଖି ବନ୍ଦ ହେବା ଆରମ୍ଭ ହେବ, ତେବେ ଡିଭାଇସ୍‌ରେ ସଂଲଗ୍ନ ବଜର୍‌ ବାଜିବ । ଫଳରେ ଚାଳକ ସତର୍କ ହୋଇଯିବେ ଏବଂ ଦୁର୍ଘଟଣାରୁ ରକ୍ଷା ପାଇପାରିବେ । ଏହି ଚଷମାର ମୂଲ୍ୟ ମାତ୍ର ୪୦୦-୪୫୦ ଟଙ୍କା ।

ନିକଟରେ ନୂଆଦିଲ୍ଲୀଠାରେ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଓ ନ୍ୟାସ୍‌ନାଲ ଇନୋଭେସନ୍‌ ଫାଉଣ୍ଡେସନ୍‌ ଦ୍ୱାରା ସଂଚାଳିତ ଇନ୍ସପାୟର ଆୱାର୍ଡସ୍‌ ଉତ୍ସବରେ ରାବିୟା ନିଜ ଉଦ୍ଭାବନ ପ୍ରଦର୍ଶନ କରିଥିଲେ । ଏହି ଅଭିନବ ଉଦ୍ଭାବନ ଲାଗି ସେ ସମ୍ମାନାସ୍ପଦ ଜାତୀୟ-ସ୍ତରୀୟ ଶ୍ରେଷ୍ଠ ମଡେଲ ସମ୍ମାନ ଲାଭ କରିଛନ୍ତି ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ମଧ୍ୟ ହୋଇଛନ୍ତି । ଉଟ୍ଟି ଗସ୍ତ ସମୟରେ ହୋଇଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା ପରେ ରାବିୟା ଏହି ଉପକରଣ ନିର୍ମାଣ ଲାଗି ପ୍ରେରଣା ପାଇଥିଲେ । ଗାଡ଼ି ଚଳାଇବା ସମୟରେ ଜଣେ ଚାଳକଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣାରେ ପୂରା ପରିବାର ପ୍ରାଣ ହରାଇଥିଲେ । ଏଭଳି ଦୁର୍ଘଟଣାରୁ ସୁରକ୍ଷା ପ୍ରଦାନର ଉପାୟ ବାହାର କରିବାକୁ ପ୍ରତିଜ୍ଞା କରି ସେ ଅନୁସନ୍ଧାନ ଆରମ୍ଭ କରିଥିଲେ । ତାଙ୍କର ଏହି ଉପକରଣକୁ ଏବେ ଏକ ଅନ୍ତର୍ଜାତୀୟ ସ୍ତରୀୟ ବିଜ୍ଞାନମେଳା ପାଇଁ ଚୟନ କରାଯାଇଛି ।

Leave a Reply

Your email address will not be published. Required fields are marked *