୧୪ ବର୍ଷରେ କରିଥିଲେ ବିବାହ… ଜୀବନର ଗତିପଥ ବଦଳାଇଦେଲା ଏକ ଛୋଟ ଘଟଣା, ଆଇପିଏସ୍ ଅଫିସର ହେଲେ ଅମ୍ଵିକା

 

ନୂଆଦିଲ୍ଲୀ, ୩୧/୦୮ : କଥାରେ ଅଛି ସମୟ ନଦେଖି ପରିଶ୍ରମ କରିଚାଲ, ଦେଖିବ ଦିନେ ନା ଦିନେ ସଫଳତା ତୁମ ଚରଣ ସ୍ପର୍ଶ କରିବ। ଏହି କଥାକୁ ପ୍ରମାଣିତ କରିଛନ୍ତି ଆଇପିଏସ୍ ଅଫିସର ଏନ୍ ଅମ୍ଵିକା। ତାମିଲନାଡ଼ୁରେ ରହୁଥିବା ଏନ ଅମ୍ଵିକା ମାତ୍ର ୧୪ ବର୍ଷ ବୟସରେ ବାଲ୍ୟ ବିବାହ କରିଥିଲେ। ଏହାପରେ ୧୮ ବର୍ଷ ବୟସରେ ସେ ମାଆ ହୋଇଥିଲେ। ସେ ତାଙ୍କର ବୈବାହିକ ଜୀବନକୁ ନେଇ ବେଶ୍ ଖୁସି ଥିଲେ। ହେଲେ ହଠାତ୍ ତାଙ୍କ ସହ ଏଭଳି କିଛି ଘଟିଲା ଯାହାଫଳରେ ସେ ୟୁପିଏସସି ପରୀକ୍ଷା ଦେବା ପାଇଁ ମନସ୍ଥ କଲେ। ଆଇପିଏସ୍ ହେବା ପାଇଁ ଅଧାରୁ ଛାଡ଼ିଥିବା ପାଠପଢା ସେ ପୁଣି ଥରେ ଆରମ୍ଭ କଲେ। ତାଙ୍କର ଏହି କଠିନ ଯାତ୍ରାରେ ତାଙ୍କର ସ୍ଵାମୀ ତାଙ୍କୁ ସାହାଯ୍ୟ କରିଥିଲେ।

ଥରେ ଅମ୍ଵିକା ତାଙ୍କର କନଷ୍ଟେବଳ ସ୍ଵାମୀଙ୍କ ସହ ଗଣତନ୍ତ୍ର ଦିବସ ଉପଲକ୍ଷେ ହେଉଥିବା ପରେଡ ଦେଖିବାକୁ ଯାଇଥିଲେ। ସେଠାରେ ତାଙ୍କ ସ୍ଵାମୀ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ସାଲ୍ୟୁଟ୍ ମାରିବା ଦେଖିଥିଲେ। ତାଙ୍କୁ ଏହା ଭଲ ଲାଗିନଥିଲା। ଏହାପରେ ଅମ୍ଵିକା ଘରକୁ ଆସି ତାଙ୍କ ସ୍ଵାମୀଙ୍କୁ ଏହି ବିଷୟରେ ପଚାରିଥିଲେ।

ଅମ୍ଵିକା ତାଙ୍କ ସ୍ଵାମୀଙ୍କ ଠାରୁ ଆଇପିଏସ୍ ହେବା ପାଇଁ ସମସ୍ତ ପ୍ରକ୍ରିୟା ବିଷୟରେ ପଚାରି ବୁଝିଲେ। ଏହାପରେ ପ୍ରସ୍ତୁତି ଆରମ୍ଭ କଲେ। ଅମ୍ଵିକାଙ୍କ ପାଇଁ ୟୁପିଏସସିର ଯାତ୍ରା ଖୁବ୍ ଲମ୍ଵା ଥିଲା। ସେ ଘରୋଇ କୋଚିଂ ସେଣ୍ଟରର ସହାୟତାରେ ୧୦ମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଏହାପରେ ଆମ୍ଵିକା ଚେନ୍ନାଇ ଯାଇ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଅମ୍ଵିକା ପାଠ ପଢିବା ସମୟରେ ତାଙ୍କ ସ୍ଵାମୀ ଚାକିରୀ ସହ ଦୁଇ ପିଲାଙ୍କ ଦେଖାଶୁଣା କରୁଥିଲେ।

ୟୁପିଏସସି ପରୀକ୍ଷା ପାଇଁ ଅମ୍ଵିକା ଖୁବ୍ ପରିଶ୍ରମ କରିଥିଲେ। ସେ ୩ ଥର ବିଫଳ ହେବା ପରେ ଚତୁର୍ଥ ଥର ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଅମ୍ଵିକା ଏବେ ମୁମ୍ଵାଇରେ ଜୋନ-୪ରେ ଡିସିପି ଭାବେ ନିୟୋଜିତ ଅଛନ୍ତି।

Leave a Reply

Your email address will not be published. Required fields are marked *