୧୫ ଦିନରେ ଭାଙ୍ଗିଗଲା ବିବାହ, ୩ ଥର ଅସଫଳ ହେବା ପରେ ଆଇଆରଏସ୍ ଅଫିସର ହେଲେ କୋମଲ

ନୂଆଦିଲ୍ଲୀ, ୨୧/୦୯ : ଜଣେ ମହିଳା ଯେତେବେଳେ ନିଜ ଆତ୍ମସମ୍ମାନ ପାଇଁ ଆଗକୁ ବଢେ ସେହି ସମୟରେ ତାକୁ କେହି ଅଟକାଇ ପାରନ୍ତି ନାହିଁ। ଏହାର ଉଦାହରଣ ହେଉଛନ୍ତି ୨୦୧୩ ବ୍ୟାଚର ଆଇଆରଏସ୍ ଅଫିସର କୋମଲ ଗଣାତ୍ରା। କୋମଲଙ୍କ ଜୀବନରେ ଏଭଳି କିଛି ଘଟଣା ଘଟିଥିଲା ଯାହା ତାଙ୍କର ଆତ୍ମସମ୍ମାନକୁ ବଅଙ୍ଗି ଦେଇଥିଲା। ଏହାପରେ କୋମଲ ଦୃଢ ପ୍ରତିଜ୍ଞା କରିଥିଲେ ଏବଂ ସଫଳତା ହାସଲ କରି ପୁଣି ଥରେ ସ୍ଵାଭିମାନ ସହକାରେ ବଞ୍ଚିବା ଆରମ୍ଭ କରିଥିଲେ।

ସୂଚନାନୁଯାୟୀ, ଗୁଜୁରାଟର ଅମରେଲିରେ ୧୯୮୨ରେ ଜନ୍ମ ଗ୍ରହଣ କରିଥିଲେ କୋମଲ ଗଣାତ୍ରା। ସ୍କୁଲ ପଢା ସରିବା ପରେ ସେ ୩ଟି ଭିନ୍ନ ଭିନ୍ନ ଭାଷାରେ ୩ଟି ଅଲଗା ବିଶ୍ଵବିଦ୍ୟାଳୟରେ ପାଠ ପଢିଥିଲେ। ହେଲେ ୨୬ ବର୍ଷ ବୟସରେ ଯେତେବେଳେ କୋମଳଙ୍କ ବିବାହ ହୋଇଥିଲା ସେହି ସମୟରେ ତାଙ୍କର ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା। ନ୍ୟଜିଲ୍ୟାଣ୍ଡରେ ରହୁଥିବା ଜଣେ ଏନଆରଆଇଙ୍କ ସହ ୨୦୦୮ରେ କୋମଳଙ୍କ ବିବାହ ହୋଇଥିଲା। ହେଲେ ବିବାହ ପରେ ତାଙ୍କ ସହ ଏଭଳି କିଛି ଘଟିଲା ଯେଉଁଥିପାଇଁ କୋମଲ ସମ୍ପୂର୍ଣ୍ଣ ରୂପେ ବଦଳିଗଲେ।

୨୦୦୮ରେ କୋମଲ ଗୁଜୁରାଟ ଲୋକ ସେବା ଆୟୋଗ ମେନ୍ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ହେଲେ ଏହି ସମୟରେ ତାଙ୍କର ବିବାହ ଧାର୍ଯ୍ୟ ହୋଇଥିବାରୁ ସେ ଇଣ୍ଟର୍ଭ୍ୟୁ ଦେଇପାରି ନଥିଲେ। ହେଲେ ବିବାହର ୧୫ ଦିନ ପରେ ତାଙ୍କର ସଂସାର ଉଜୁଡ଼ି ଯାଇଥିଲା। ଯୌତୁକ ପାଇଁ ଶ୍ଵଶୁର ଘର ଲୋକ କୋମଲଙ୍କୁ ଘରୁ ବିଦା କରିଦେଲେ। ତାଙ୍କର ସ୍ଵାମୀ ୧୫ ଦିନ ପରେ ବିଦେଶ ଚାଲିଗଲେ। ଆଉ ଫେରିଲେନି। କୋମଲ ତାଙ୍କୁ ଖୁବ୍ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ଏହାପରେ ସେ ତାଙ୍କ ବାପଘରକୁ ଚାଲିଆସିଥିଲେ। ହେଲେ ସେଠାରେ ମଧ୍ୟ ସାହି ପଡୋଶୀଙ୍କ ଠାରୁ ତାଙ୍କୁ ଖୁବ୍ ଶୁଣିବାକୁ ମିଳିଥିଲା।

ଏହାପରେ କୋମଲ ଘର ଛାଡି ଏକ ଛୋଟ ଗାଁରେ ରହିବାକୁ ସ୍ଥିର କଲେ। ସେ ଯେଉଁ ଗାଁରେ ଥିଲେ ସେହି ଗାଁରେ ଇଣ୍ଟରନେଟ୍ ସୁବିଧା ନଥିଲା କି ଇଂରାଜୀ ଖବରକାଗଜ ଆସୁନଥିଲା। ଏତଦ୍ ସତ୍ତ୍ଵେ ମଧ୍ୟ କୋମଲ ତାଙ୍କର ପାଠପଢା ଜାରି ରଖିଥିଲେ ଏବଂ ଏକ ସ୍କୁଲରେ ପାଠ ପଢାଉଥିଲେ। ଏହାପରେ ୩ ଥର ଅସଫଳ ହେବାପରେ ସେ ଚତୁର୍ଥ ଥରରେ ୫୯୧ ରାଙ୍କ ରଖି ଆଇଆରଏସ୍ ଅଫିସର ହୋଇପାରିଥିଲେ। ତେବେ କୋମଲଙ୍କ କାହାଣୀ ଶୁଣି ଲାଗୁଛି ଯେକୌଣସି ବି ସ୍ଥିତି ଆସୁ କେବେ ହାର୍ ନମାନି ସଙ୍ଘର୍ଷ କରି ଆଗକୁ ବଢିବା ଉଚିତ୍।

Leave a Reply

Your email address will not be published. Required fields are marked *