ମହିଳାଙ୍କ ପାଇଁ ତାଲିବାନର ନୂଆ ନିୟମ ଜାଣନ୍ତୁ

ଧିରେ ଧିରେ ତାଲିବାନର ବୁଦ୍ଧି ଉଦୟ ହେଉଛି। ଆନ୍ତର୍ଜାତିକ ଚାପରେ ହେଉ କିମ୍ବା ଶାସନ କଳକୁ ବୁଝିବା ହେଉ ତାଲିବାନ ଶାସନ ଶୈଳୀରେ ଧୀରେ ଧୀରେ ପରିବର୍ତ୍ତନ ଆଣୁଛି । ବିଶେଷ କରି ମହିଳାମାନଙ୍କ ସ୍ବାଧୀନତା ଓ ମାନବାଧିକାର ଉଲ୍ଲଂଘନ କଲା ଭଳି କଟକଣାକୁ ଏବେ କୋହଳ କରୁଛି। ତାଲିବାନର ନାଁ ହିଁ ମହିଳାଙ୍କ ସ୍ବାର୍ଥ ବିରୋଧୀ ଅତି କଠୋର ପନ୍ଥୀ ଏମିତି ବିଶ୍ବ ସମୁଦାୟରେ ବିଶ୍ବାସ ରହିଛି । ମହିଳାଙ୍କ ବିରୋଧରେ ତାଲିବାନ କଡ଼ା କଟକଣା ଲଗାଉଥିବାରୁ ଆନ୍ତର୍ଜାତିକ ସମୁଦାୟ ଆଫଗାନିସ୍ତାନ ସରକାରକୁ ବୟକଟ କରିଛନ୍ତି । ଆନ୍ତର୍ଜାତିକ ପାଣ୍ଠି ଫ୍ରିଜ କରିଦିଆଯାଇଛି। ଏହାଦ୍ବାରା ଆଫଗାନିସ୍ତାନକୁ ବିଦେଶୀ ପାଣ୍ଠି ଆସିବା ବନ୍ଦ ହୋଇଯ଼ାଇଛି। ଯ଼ାହାକି ଦେଶର ଆର୍ଥିକ ସ୍ଥିତି ଉପରେ ଗୁରୁତର ପ୍ରଭାବ ପକାଇଲାଣି । ଏହା ସହିତ ବାହାରେ ରହି ବିରୋଧ କରିବା ଏବଂ ଶାସନରେ ରହି ଲୋକଙ୍କ ପାଇଁ କାମ କରିବାର ଫରକ କଣ ତାହା ତାଲିବାନ ଅନୁଭବ କଲାଣି । ତେଣୁ ତାଲିବାନ ମହିଳାମାନଙ୍କ ପାଇଁ କୋହଳ ମନୋଭାବ ପୋଷଣ କରିବା ଆରମ୍ଭ କରିଛି।

ତାଲିବାନ ଏକ ହୁକୁମନାମା ଜାରି କରିଛି। ଏଥିରେ ମହିଳାମାନଙ୍କୁ ସଂପତ୍ତି ଭାବେ ଗଣନା କରାଯ଼ାଇପାରିବ ନାହିଁ ଏଭଳି କିଛି ସ୍ପଷ୍ଟ କରିଦିଆଯ଼ାଇଛି। ବିବାହ ପୂର୍ବରୁ ସଂପୃକ୍ତ ମହିଳାଙ୍କର ସହମତି ନିହାତି ଆବଶ୍ୟକ, ଏହି ହୁକୁମନାମାରେ ପ୍ରକାଶ କରାଯାଇଛି। ପୂର୍ବରୁ ଯେ କେହି ଜୋର ଜବରଦସ୍ତ ଯାହାକୁ ବି ଚାହିଁଲା ବାହା ହୋଇଯାଉଥିଲା କିମ୍ବା ବାହା କରାଇଦେଉଥିଲା । ହେଲେ ଏବେ ସେମିତି ହୋଇପାରିବ ନାହିଁ। ବାହାଘର ପୂର୍ବରୁ ମହିଳାଙ୍କ ସହମତି ନିହାତି ଆବଶ୍ୟକ। ଏଥିସହିତ ସ୍ବାମୀଙ୍କ ମୃତ୍ୟୁ ପରେ ବିଧବା ମହିଳା ସ୍ବାମୀଙ୍କ ସଂପତ୍ତିର ଭାଗ ପାଇବେ। ଏହା ମଧ୍ୟ ସ୍ପଷ୍ଟ କରିଦେଇଛି ଏହି ହୁକୁମନାମା। ମହିଳାମାନଙ୍କ ଅଧିକାର ଦିଗରେ ଏହା ଦୁଇଟି ବଡ଼ ପଦକ୍ଷେପ ବୋଲି କୁହାଯ଼ାଉଛି। ତାଲିବାନ ମୁଖପାତ୍ର ଜାବୁଉଲ୍ଲା ମୁଜାହିଦ ଏହା ସ୍ପଷ୍ଟ କରିଛନ୍ତି।

ତାଲିବାନର ବୁଦ୍ଧି ଉଦୟ ହେଉଛି ବୋଲି କୁହାଯ଼ାଉଥିବା ବେଳେ ମହିଳାଙ୍କୁ ଶିକ୍ଷା ଓ ଚାକିରୀ କ୍ଷେତ୍ର ପାଇଁ ତାଲିବାନର ନୀତି ଏବେବି ଅସ୍ପଷ୍ଟ କିମ୍ବା ନକାରାତ୍ମକ ରହିଛି । ଜଣେ ମହିଳା ଘରୁ ବାହାରକୁ ଗଲେ ତାଙ୍କୁ ସଂପର୍କିୟ ପୁରୁଷଙ୍କ ସହିତ ଯ଼ିବାକୁ ପଡ଼ିବ। ସେମିତି ପାଠ ପଢ଼ିବା ଲାଗି ଅଲଗା ସ୍କୁଲର ବ୍ୟବସ୍ଥା କରିପାରୁନଥିବା ତାଲିବାନ ଯୁଗ୍ମ ଶିକ୍ଷାକୁ ଅନୁମତି ଦେଇପାରୁନାହିଁ। ଆନ୍ତର୍ଜାତିକ ସମୁଦାୟର ବିରୋଧ ଯୋଗୁଁ ତାଲିବାନ ଧିରେ ଧିରେ ମହିଳାଙ୍କ ପ୍ରତି କୋହଳ ହେଉଛି, ତଥାପିବି ତାର ପୁରୁଣା ପ୍ରକୃତି ଛାଡ଼ିପାରୁନି। ତଥାପିବି ଆଗକୁ ଆହୁରି ସକାରାତ୍ମକ ପଦକ୍ଷେପ ନେବ ବୋଲି ଆଶା କରାଯାଇପାରେ।

Leave a Reply

Your email address will not be published. Required fields are marked *