ନୂଆଦିଲ୍ଲୀ, ୩୧/୧୨ : ମହିଳା ସଶକ୍ତିକରଣ ପାଇଁ ଭାରତ ସରକାର, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଲଗାତର ପ୍ରୟାସରତ ଅଛନ୍ତି। ଏତଦ୍ ସତ୍ତ୍ଵେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଆଜି ବି ମହିଳା ଉପେକ୍ଷିତ। ଲିଙ୍ଗଗତ ଭେଦଭାବ ଏବଂ ଅସମାନତାର ଶିକାର ହେଉଛନ୍ତି ମହିଳା। କେତେବେଳେ ମହିଳାଙ୍କୁ କେଉଁ ମନ୍ଦିରକୁ ପ୍ରବେଶ ଅନୁମତି ମିଳୁନି ତ ଆଉ କେତେବେଳେ ସମାନ କାମ ପାଇଁ ପୁରୁଷଙ୍କ ସମାନ ବେତନ ମିଳୁନି। ତେବେ ୨୦୨୨ରେ ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ନିଆଯାଇଛି ବହୁ ଐତିହାସିକ ପଦକ୍ଷେପ। ମହିଳାଙ୍କ ଆର୍ଥିକ କ୍ଷେତ୍ରରେ ସୁଦୃଢ କରିବାକୁ ନିଆଯାଇଛି ବହୁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ତେବେ ଜାଣନ୍ତୁ ମହିଳାଙ୍କ ହକ୍ ପାଇଁ ନିଆଯାଇଥିବା ୨୦୨୨ର ୫ ବଡ଼ ପଦକ୍ଷେପ।
ସମାନ ଅଧିକାର- ୨୦୨୨ ସେପ୍ଟେମ୍ଵରରେ ସୁପ୍ରିମକୋର୍ଟ ମହିଳାଙ୍କ ଅଧିକାରକୁ ନେଇ ଏକ ଐତିହାସିକ ରାୟ ଶୁଣାଇଥିଲେ। ଦେଶର ବିବାହିତ ଏବଂ ଅବିବାହିତ ମହିଳାଙ୍କୁ ଗର୍ଭପାତର ଅଧିକାର ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ମେଡିକାଲ ଟର୍ମିନେଶନ ଅଫ ପ୍ରେଗନେନ୍ସି ଆକ୍ଟରେ ପ୍ରତ୍ୟକ ଗର୍ଭବତୀ ମହିଳା ୨୦ ରୁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବେ। ସେ ବିବାହିତ କିମ୍ବା ଅବିବାହିତ ହୋଇଥିବା କୌଣସି ଆବଶ୍ୟକ ନାହିଁ।
ବୈବାହିକ ଶାରିରୀକ ଶୋଷଣ ହେଉଛି ବଳାତ୍କାର- ସୁପ୍ରିମକୋର୍ଟ କହିଛନ୍ତି ଯେ, ମାରିଟାଲ୍ ରେପ୍ ବଳାତ୍କାର ସହ ସମାନ। ବିନା ଅନୁମତିରେ ସ୍ତ୍ରୀ ସହ ସମ୍ପର୍କ ରଖିଲେ ତାହା ବଳାତ୍କାର। ଏଥିପାଇଁ ସ୍ଵାମୀ ଦ୍ଵାରା ଜୋର ଜବରଦସ୍ତି ରଖାଯାଇଥିବା ସମ୍ପର୍କରେ ହୋଇଥିବା ଭ୍ରୁଣକୁ ୨୪ ସପ୍ତାହ ମଧ୍ୟରେ ନଷ୍ଟ କରିପାରିବେ।
ଶିଶୁର ସାଙ୍ଗିଆ ନିର୍ଦ୍ଧାରଣ କରିବା ଅଧିକାର- ମାଆଙ୍କୁ ସର୍ବୋଚ୍ଚ ସମ୍ମାନ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ପିଲାମାନଙ୍କର ଏକମାତ୍ର ପ୍ରାକୃତିକ ଅଭିଭାବକ ହେଉଛି ମାଆ। ତେଣୁ ପିଲାର ସାଙ୍ଗିଆ ନିର୍ଦ୍ଧାରଣ କରିବାର ଅଧିକାର ହେଉଛି ମାଆର। ଯାହାକି ପୁନର୍ବିବାହ କରିଥିବା ମାଆମାନଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ରାୟ।
ମହିଳା କ୍ରିକେଟରଙ୍କୁ ସମାନ ବେତନ- ମହିଳା କ୍ରୀଡ଼ା ଜଗତ ପାଇଁ ୨୦୨୨ ଖୁବ୍ ଗୁରୁତ୍ଵପୂର୍ଣ୍ଣ ଥିଲା। ଚଳିତ ବର୍ଷ ବିସିସିଆଇ ସଚିବ ଜୟ ଶାହ ମହିଳା ଖେଳାଳୀଙ୍କ ସମାନ ବେତନ ଘୋଷଣା କରିଛନ୍ତି। ଏହା ପୂର୍ବରୁ ପୁରୁଷ ଖେଳାଳୀଙ୍କ ଠାରୁ ମହିଳା ଖେଳାଳୀଙ୍କ ବେତନ ଖୁବ୍ କମ୍ ଥିଲା।
ଭାରତୀୟ ନୌସେନାରେ ମହିଳାଙ୍କୁ ସାମିଲ- ୨୦୨୨ରେ ଭାରତୀୟ ନୌସେନାରେ ମହିଳାଙ୍କୁ ସାମିଲ କରାଯାଇଛି। ଆସନ୍ତା ବର୍ଷ ସବୁ ଶାଖାରେ ମହିଳାଙ୍କୁ ସାମିଲ କରିବାକୁ ବିଚାର କରାଯିବ। ବର୍ତ୍ତମାନ ୭ ରୁ ୮ଟି ଶାଖାରେ ମହିଳାଙ୍କୁ ନିୟୋଜିତ କରାଯାଇଛି।