କଳାହାଣ୍ଡିରେ ୨୦୦ ଶଯ୍ୟା କୋଭିଡ ହସ୍ପିଟାଲ ଆରମ୍ଭ

କଳାହାଣ୍ଡି ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଶୁଭାରମ୍ଭ ହୋଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଭବାନୀପାଟଣାରେ ନିର୍ମିତ ଏହି ହସ୍ପିଟାଲର ଉଦଘାଟନ କରିଛନ୍ତି । ବେଦାନ୍ତ ଗ୍ରୁପ ସହଯୋଗରେ ଏହି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ନିର୍ମାଣ କରାଯାଇଛି । ଏଥିରେ ୧୬ଟି ଆସିୟୁ ଓ ୧୬ଟି ଏଚ୍‌ଡିୟୁ ଶଯ୍ୟା ସହିତ ଏକ ସ୍ବତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି।

ବେଦାନ୍ତ ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ କୋଭିଡ ହସ୍ପିଟାଲ କରାଯାଇଥିବା ବେଳେ କଳାହାଣ୍ଡି କୋଭିଡ ହସ୍ପିଟାଲ ସର୍ବବୃହତ । ଏଥିରେ ସମସ୍ତ ରୋଗୀଙ୍କ ପାଇଁ ଅକ୍ସିଜେନ ସପ୍ଲାଏ ଥିବା ବେଳେ  ଏଥିରେ ଅଭିଜ୍ଞ ଡାକ୍ତର ରହିଛନ୍ତି। ବିଶେଷ କରି ସମ୍ଭାବ୍ୟ ତୃତୀୟ ଲହରକୁ ଦେଖି ଏଠାରେ ଶିଶୁଙ୍କ ପାଇଁ ୱାର୍ଡ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି ।

ଏଥିରେ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି। ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାଦ୍ଦୀର କଳାହାଣ୍ଡି ବିଂଶ ଶତାଦ୍ଦୀର କଳାହାଣ୍ଡି ଠାରୁ ବହୁତ ଆଗକୁ ଯାଇପାରିଛି।

କଳାହାଣ୍ଡି ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡିର ଏ ରୂପାନ୍ତର, କଳାହାଣ୍ଡି ଜିଲ୍ଲାର ଚାଷୀଭାଇ, ଯୁବସମାଜ ଓ ମା’ମାନଙ୍କ ଉଦ୍ୟମ ଯୋଗୁ ସମ୍ଭବ ହୋଇପାରିଛି। ଏହି ହସ୍‌ପିଟାଲ ପାଇଁ ବେଦାନ୍ତ ଗ୍ରୁପ ତଥା ଏହାର ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଏହି ଲେଖାଟି କେମିତି ଲାଗିଲା ନିଶ୍ଚୟ ଜଣାନ୍ତୁ । ତଳେ ଥିବା ବଟନ ମାଧ୍ୟମରେ ଲାଇକ କିମ୍ବା କମେଣ୍ଟ ସହିତ ସେୟାର କରିପାରିବେ ।

Leave a Reply

Your email address will not be published. Required fields are marked *