ସାଧାରଣ ବାସ୍ତୁ ସଂଶୋଧନ ଆପଣଙ୍କ ଦୁଃଖ ଶେଷ କରିବ

ବାସ୍ତୁ ଏମିତି ଏକ ବିଜ୍ଞାନ ଯେଉଁଥିରେ ପ୍ରକୃତିର ପଞ୍ଚ ତତ୍ତ୍ବକୁ ଉଚିତ ସ୍ଥାନ ଓ ଉଚିତ ଉପାଦାନରେ ଅବସ୍ଥାପିତ କରାଯ଼ାଇଥାଏ, ଯାହାଦ୍ବାରା ସକାରାତ୍ମକ ଶକ୍ତି ଆମ ଜୀବନକୁ ଉନ୍ନତି ପଥରେ ଅଗ୍ରସର କରାଇଥାଏ । ସମସ୍ତେ ଜୀବନରେ ପ୍ରଗତି ଚାହିଁଥାନ୍ତି, ସଂପର୍କରେ ଉଚିତ ସନ୍ତୁଳନ ଚାହିଁଥାନ୍ତି। ହେଲେ ଅନେକ ସମୟରେ ଆମେ ଉପଲବ୍ଧି କରିଥାଉ ଯେ ଯେତେ ଯ଼ାହା ଚେଷ୍ଟା କଲେ ବି ନାନାଦି ବାଧାବିଘ୍ନ ଆମ ରାସ୍ତାରେ ଠିଆ ହେଉଛି। ଏହା ଜୀବନର ପ୍ରକୃତ ସୁଖକୁ ବାଟବଣା କରାଉଛି ଏବଂ ଜୀବନ ଶୁଷ୍କ ପ୍ରାୟ ହୋଇଯାଉଛି। ତେବେ ବାସ୍ତୁ ଶାସ୍ତ୍ର କହେ ଏହାର କାରଣ ଆମ ନିଜ ଚତୁପାର୍ଶ୍ବରେ କିମ୍ବା ଆମେ ରହୁଥିବା ଘରର ନିର୍ମାଣ ଶୈଳୀ ଅଥବା ଆସବାବପତ୍ରର ସାଜସଜ୍ଜାରେ ଲୁଚି ରହିଛି। ଏଣୁ ନିଜ ଚତୁପାର୍ଶ୍ବକୁ ଏମିତି ଭାବରେ ସଜାନ୍ତୁ ଯେମିତି ସକାରାତ୍ମକ ଶକ୍ତି ସୂର୍ଯ଼୍ୟ ଶକ୍ତି ଭଳି ଆପଣଙ୍କ ଜୀବନକୁ ଉଦ୍ଭାସିତ କରିବ। ଏବେ ଆସନ୍ତୁ ଜାଣିବା କିଛି ସାଧାରଣ ଉପାଦେୟ ବାସ୍ତୁ ଜ୍ଞାନ ଯ଼ାହା ହୁଏତ ଆପଣ ଜାଣିନଥିବେ କିମ୍ବା ଜାଣି ନଜର ଆନ୍ଦାଜ କରିଥିବେ।

1 ଘରର ପ୍ରବେଶରେ ତୁଳସୀ ଗଛଟିଏ ନିଶ୍ଚୟ ଲଗାନ୍ତୁ। ଏହା ଆମ ଭାରତୀୟମାନଙ୍କ ପରମ୍ପରା। ତୁଳସୀର ଔଷଧୀୟ ଗୁଣ ସଂପର୍କରେ କିଏବା ନଜାଣେ? ଏହାସହ ତୁଳସୀ ଗଛ ଆମ ଘର ଉପରୁ ନକାରାତ୍ମକ ଶକ୍ତି ହରଣ କରିଥାଏ। ଘରର ପୂର୍ବ ଦିଗରେ ତୁଳସୀ ଚଉରା ରଖନ୍ତୁ। ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ ଥିବା ଝରକା ନିକଟରେ ବି ତୁଳସୀ ଗଛ ଲଗାଇପାରିବେ।

2 ଘରର ଠିକ ଆଗରେ ଆମେ ଯୋତା ଷ୍ଟାଣ୍ଡ ରଖିଥାଉ। ତେବେ ଖୋଲା ଯ଼ୋତା ଷ୍ଟାଣ୍ଡ କେବେବି ଘରର ପ୍ରବେଶ ନିକଟରେ ରଖନ୍ତୁ ନାହିଁ । ଏହାଦ୍ବାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ।  ଯ଼ୋତା ଷ୍ଟାଣ୍ଡକୁ ପଶ୍ଚିମ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ। ଯ଼ୋତା ଷ୍ଟାଣ୍ଡକୁ କେବେବି ଉତ୍ତର ପୂର୍ବ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ ନାହିଁ।

3 ଉତ୍ତରକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ। କାରଣ ହେଲା ପୃଥିବୀର ଚୁମ୍ବକୀୟ ତରଙ୍ଗ ଉତ୍ତର ଦିଗରୁ ଉତ୍ପନ୍ନ ହୋଇଥାଏ। ଯଦି ଆମେ ଉତ୍ତରକୁ ମୁଣ୍ଡ ରଖି ଶୋଇବା ତେବେ ରକ୍ତଚାପ ନିଦ୍ରାହୀନତା ଆଦିର ଶିକାର ହେବା।

4 ଘରେ ଥିବା କାନ୍ଥ ଘଣ୍ଟା ଚାଲୁଥିବା ଅବସ୍ଥାରେ ରଖନ୍ତୁ। କାନ୍ଥ ଘଣ୍ଟାକୁ ପୂର୍ବ ପଶ୍ଚିମ କିମ୍ବା ଉତ୍ତର ଦିଗର କାନ୍ଥରେ ଟାଙ୍ଗନ୍ତୁ। ସବୁଜ ଘଣ୍ଟା ଲଗାନ୍ତୁ ନାହିଁ ଏହାର ନକାରାତ୍ମକ ପ୍ରଭାବ ରହିଥାଏ।

5 ଘରେ ଥିବା ଆସବାବ ପତ୍ର ଯେତେ କାଠର ହେବ ସେତେ ଭଲ । ଲୁହା କିମ୍ବା ପ୍ଲାଷ୍ଟିକ ଆସବାବପତ୍ରରୁ ଗନ୍ଧ ବାହାରିଥାଏ ଯାହା ରହୁଥିବା ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ। ସେହିପରି ଧାତବ ଖଟ ଚୌକିରୁ ବି ଚୁମ୍ବକୀୟ ପ୍ରଭାବ ସୃଷ୍ଟି ହୋଇଥାଏ ।

6  ଘରର ନେମ୍ ପ୍ଲେଟକୁ ସଫାସୁତୁରା ରଖନ୍ତୁ। ଏହା ଆପଣଙ୍କ ବ୍ୟକ୍ତିତ୍ବର ପରିଚୟ ଦେଇଥାଏ। ଚିକ ଚିକ କରୁଥିବା ନେମ ପ୍ଲେଟରୁ ଜୀବନରେ ସକାରାତ୍ମକ ସୁଯୋଗ ଉପଲବ୍ଧ ହୋଇଥାଏ।

7 ଉତ୍ତର ପୂର୍ବ କୋଣ ଦେଇ ଘରକୁ ସକାରାତ୍ମକ ସ୍ରୋତର ପ୍ରବେଶ କରିଥାଏ। ଦକ୍ଷିଣ ପଶ୍ଚିମ କୋଣରେ ଏହି ଶକ୍ତି ସ୍ରୋତ ଠୁଳ ହୋଇଥାଏ। ତେଣୁ ଘରର ଓଜନିଆ ଜିନିଷ ଏହି ଠାରେ ରଖନ୍ତୁ।

ଆଶା କରୁଛୁ ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଥିବ। ଯ଼ଦି ଆପଣ ଭଡ଼ା ଘରେ ରହୁଥିବେ ସବୁବେଳେ ଈଶ୍ବରଙ୍କ ସ୍ମରଣ କରି ନିଜର ଜିନିଷପତ୍ର ରଖନ୍ତୁ। ପ୍ରବେଶ ନିକଟରେ ଗଣେଶଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ପ୍ରଭାବଶାଳୀ ହୋଇଥାଏ।

Leave a Reply

Your email address will not be published. Required fields are marked *