ଆବର୍ଜନାରୁ ଏମିତି କିଛି କମାଲ କରିଛନ୍ତି ବ୍ରହ୍ମପୁର ଛାତ୍ର

ପାଠ ପଢ଼ିବା ସହିତ କିଛି ନୂଆ ନୂଆ କମାଲ କରିପାରିଲେ ତାହା ହିଁ ଆଖିଦୃଶିଆ ହୋଇପାରିଥାଏ। ପାଠପଢ଼ା ସାର୍ଥକ ହୋଇଥାଏ। ନହେଲେ ତ ପୁସ୍ତକ ବିଦ୍ୟା ପୁସ୍ତକରେ ରହିଯାଏ।  ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀମାନେ ସବୁଠାରୁ ବଡ଼ ମୂର୍ତ୍ତି ତିଆରି କରିଛନ୍ତି ତାହା ପୁଣି ଇ ୱେଷ୍ଟ ଆବର୍ଜନାରୁ। ସେହି ମୂର୍ତ୍ତି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଆକାରରେ ଯେମିତି ବିଶାଳ ହୋଇଛି ଏହା ପଛରେ କିଛି ବଡ଼ ସନ୍ଦେଶ ମଧ୍ୟ ରହିଛି। ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ଛାତ୍ରଛାତ୍ରୀ ଏହି ବିଶାଳ ଇୱେଷ୍ଟ ମୂର୍ତ୍ତି ନିର୍ମାଣ କରିଛନ୍ତି ।ଦେଖିବାକୁ ଏହି ମୂର୍ତ୍ତି ଏକ ରୋବଟ ଭଳି।

 ଇ ୱେଷ୍ଟ ମାନେ ଅଦରକାରୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯାହା ସବୁ ଆମେ ଫିଙ୍ଗି ଫୋପାଡ଼ି ଦେଉଛୁ, ଏସବୁକୁ ସଂଗ୍ରହ କରି ଏଭଳି ଏକ ବିଶାଳ କଳାକୃତି ତିଆରି କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ । ଏହାକୁ ତିଆରି କରିବାର ଉଦ୍ଦେଶ୍ୟ ହେଲା ଲୋକମାନେ ଇ ୱେଷ୍ଟ ବାବଦରେ ସଚେତନ ହୁଅନ୍ତୁ। ଏସବୁ ଇଲେକ୍ଟ୍ରୋନିକ୍ସ ଆବର୍ଜନାର ସଂଖ୍ୟା ଯେଉଁଭଳି ଭାବେ ବଢ଼ିବଢ଼ି ଚାଲୁଛି ତାହା  ଆମ ଜୀବସମାଜ ପାଇଁ ହାନିକାରକ ହେବାକୁ ବସିଲାଣି। ଇ ୱେଷ୍ଟ ମଧ୍ୟରେ ଅନେକ କିଛି ବିଷାକ୍ତ ପଦାର୍ଥ ରହିଥାଏ। ଏଥିରେ ଲିଥିୟମ, ପାରଦ, ନିକେଲ, ସେଲେନିୟମ, ଆର୍ସେନିକ, ବେରିୟମ, ତମ୍ବା ଅନେକ କିଛି ପଦାର୍ଥ ରହିଛି। ଏ ସବୁକିଛି ଉଚିତ ଢଙ୍ଗରେ ନଷ୍ଟ କରାନଗଲେ ଏହା ବାୟୁ ଓ ଜଳ ପ୍ରଦୂଷଣ କରାଇଥାଏ। ତେଣୁ ଇୱେଷ୍ଟକୁ ଉଚିତ ଉପାୟରେ ପରିଚାଳନା କରିବା ଏବଂ ନଷ୍ଟ କରିବା ଲାଗି ଆଇନ ମଧ୍ୟ ରହିଛି। ଲୋକଙ୍କୁ ଏସବୁ ବାର୍ତ୍ତା ଦେବା ଲାଗି ଛାତ୍ରଛାତ୍ରୀମାନେ ଏହି ବିଶାଳ ରୋବଟ ତିଆରି କରିଛନ୍ତି। ଯ଼ାହାଦ୍ବାରା ଲୋକେ ଏହାକୁ ଦେଖି ନିଜ ନିଜ ସ୍ତରରେ ସଚେତନ ହୋଇପାରିବେ।  ଦେଶରେ ଯେତେ ଇ ୱେଷ୍ଟ ଷ୍ଟାଚ୍ୟୁ ରହିଛି ସେ ମଧ୍ୟରୁ ଏହା ଗୋଟିଏ।

ଆଇଟିଆଇ ବ୍ରହ୍ମପୁରର ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିସିଆନ ଏବଂ ପେଣ୍ଟର ଟ୍ରେଡର ଛାତ୍ରଛାତ୍ରୀ ମିଳିତ ଭାବେ ଏହି କଳାକୃତିକୁ ନିର୍ମାଣ କରିଛନ୍ତି। ବିଶେଷ କରି ଅନାବଶ୍ୟକ ହୋଇପଡିଥିବା ଖେଳନା, ଭିସିଆର, ଡିଭିଡି ପ୍ଲେୟାର, ମୋବାଇଲ, କମ୍ପ୍ୟୁଟର, ଟିଭି ଆଦିକୁ ସଂଗ୍ରହ କରି ସେମାନେ ଏହାକୁ ନିର୍ମାଣ କରିଛନ୍ତି।  ଏହାର ଉଚ୍ଚତା 30 ଫୁଟ। ଏଥିରେ 3 ଟନର ଇ ୱେଷ୍ଟ ବ୍ୟବହାର କରାଯାଇଛି। ଏହାକୁ ନିର୍ମାଣ କରିବା ଲାଗି ଅଢ଼େଇମାସ ସମୟ ବି ଲାଗିଛି।

Leave a Reply

Your email address will not be published. Required fields are marked *