ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ : ଛାତ୍ରଙ୍କୁ ଟପିଲେ ଛାତ୍ରୀ, ବିଜ୍ଞାନରେ ପାସ୍ ହାର ୮୪.୯୩%

ଭୁବନେଶ୍ଵର, ୩୧/୦୫ : ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ରେଜଲ୍ଟ ଘୋଷଣା କରିଛନ୍ତି । ଚଳିତ ବର୍ଷ ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ଥିବା ବେଳେ ବାଣିଜ୍ୟ ପାସ୍ ହାର ୮୧.୧୨ ପ୍ରତିଶତ ରହିଛି। ଏଥର ୭୭ ହଜାର ୪୬୮ ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ୧ ହଜାର ୪୭୦ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଛାତ୍ରଛାତ୍ରୀମାନେ www.orissaresults.nic.in ରେ ନିଜର ପରୀକ୍ଷା ଫଳ ଦେଖିପାରିବେ । ଏ ସମ୍ପର୍କରେ ସାମ୍‌ସ ଇ-ସ୍ପେସ୍‌ରେ ସମସ୍ତ ସୂଚନା ମିଳିପାରିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟରେ ପୁଅଙ୍କୁ ପଛରେ ପକାଇଲେ ଝିଅ। ଯୁକ୍ତ ଦୁଇ ବିଜ୍ଞାନରେ ଝିଅଙ୍କ ପାସ୍ ହାର ୮୫.୬୭ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ୍ ହାର ୮୪.୨୮ ପ୍ରତିଶତ ରହିଛି। ସେହିପରି ବାଣିଜ୍ୟରେ ୮୩.୮୭ ପ୍ରତିଶତ ଝିଅ ପାସ୍ କରିଥିବା ବେଳେ ୭୯.୫୨ ପ୍ରତିଶତ ପୁଅ ପାସ୍ କରିଛନ୍ତି।

ସୂଚନାନୁଯାୟୀ, ବିଜ୍ଞାନରେ ୯୩ ହଜାର ୭୩୪ ଜଣ ପରୀକ୍ଷା ଦେଇଥିବା ବେଳେ ୭୮ ହଜାର ୯୩୮ ଜଣ ପାସ୍ କରିଛନ୍ତି। ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୨୪ ହଜାର ୨୫୭ ଏବଂ ତୃତୀୟ ଶ୍ରେଣୀରେ ୧୪ ହଜାର ୮୫୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ନୟାଗଡ଼ରେ ସର୍ବାଧିକ ପାସ୍ ହାର ୯୬.୪୧% ହୋଇଥିବା ବେଳେ ଗଜପତିରେ ସର୍ବନିମ୍ନ ପାସ୍ ହାର ୬୧.୫୫% ରହିଛି। ବିଜ୍ଞାନରେ ୨୯୧ HSC ରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୨ଟି HSC ରେ କେହି ଉତ୍ତୀର୍ଣ୍ଣ ହୋଇନାହାଁନ୍ତି।

ବାଣିଜ୍ୟରେ ୨୪ ହଜାର ୮୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୯ ହଜାର ୫୩୬ ଜଣ ପାସ୍ କରିଛନ୍ତି। ପ୍ରଥମ ଶ୍ରେଣୀରେ ୭ ହଜାର ୪୧୦ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୪ ହଜାର ୫୪୩ ଏବଂ ତୃତୀୟ ଶ୍ରେଣୀରେ ୭ ହଜାର ୪୯୨ ଜଣ ପାସ୍ କରିଛନ୍ତି। ବାଣିଜ୍ୟରେ ୯୩.୯ ପ୍ରତିଶତ ରେଜଲ୍ଟ ସହ ନୟାଗଡ଼ ଆଗରେ ରହିଛି। ସେହିପରି ଗଜପତିରେ ସର୍ବନିମ୍ନ ପାସ୍ ହାର ୫୫.୫୫ ପ୍ରତିଶତ ରହିଛି। ବାଣିଜ୍ୟରେ ୯୪ HSC ରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟର ୧୧୪୫ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମୋଟ ୩ଲକ୍ଷ ୫୭ ହଜାର ୯୪୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଏଥିରୁ ବିଜ୍ଞାନରେ ମୋଟ ୯୧ ହଜାର ୩୭୯ଜଣ ଏବଂ ବାଣିଜ୍ୟରେ ୨୩ହଜାର ୧୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି କଳାରେ ୨ଲକ୍ଷ ୨୯ହଜାର ୧୧୦ଜଣ ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୬୫ଟି ଅଫଲାଇନ୍‌ କେନ୍ଦ୍ର ଏବଂ ୩୯ଟି ଅନ୍‌ଲାଇନ୍‌ କେନ୍ଦ୍ରରେ ଖାତା ଦେଖା ହୋଇଛି । ଆସନ୍ତା ଜୁନ୍‌ ୮ରେ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *