ମହାମହିମ ମୁର୍ମୁ : ଜାଣନ୍ତୁ ଦେଶର ପ୍ରଥମ ନାଗରିକଙ୍କ କୃତିତ୍ତ୍ଵ…

ଭୁବନେଶ୍ଵର, ୦୧/୦୮ : ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅଳଙ୍କୃତ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉପରବେଡ଼ା ଗାଁରେ ସାନ୍ତାଳି ସମୁଦାୟର ଗରିବ ଆଦିବାସୀ ପରିବାରରେ ତାଙ୍କର ଜନ୍ମ। ତାଙ୍କର ବାଲ୍ୟ ଜୀବନ ଥିଲା ଖୁବ୍ ସଂଘର୍ଷମୟ। ସମସ୍ତ ବାଧାବିଘ୍ନ ସତ୍ତ୍ଵେ ସେ ଭୁବନେଶ୍ଵରର ରମାଦେବୀ ମହିଳା କଲେଜରୁ ବିଏ ପାସ୍ କରିଥିଲେ। ରାଜନୀତିରେ ପାଦ ଦେବା ପୂର୍ବରୁ ସେ ରାଇରଙ୍ଗପୁର ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ସହକାରୀ ଶିକ୍ଷୟତ୍ରୀ ଭାବେ କାମ କରିଥିଲେ     । ସ୍ଵାମୀ ଏବଂ ଦୁଇ ପୁଅଙ୍କୁ ହରାଇବା ପରେ ବି ସେ ନିଜର ଧୈର୍ଯ୍ୟ ଏବଂ ସାହାସ ହରାଇନଥିଲେ ଏବଂ ଲଗାତାର ଆଗକୁ ବଢି ଯାଇଥିଲେ। ଆଜି ସେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଛନ୍ତି। ତେବେ ରାଇରଙ୍ଗପୁରରୁ ରାଇସିନା ହିଲ୍ ପର୍ଯ୍ୟନ୍ତ ଦ୍ରୌପଦୀଙ୍କ ଯାତ୍ରା ଥିଲା ବେଶ୍ କଠିନ। ଜଣେ କାଉନସିଲରରୁ ଦେଶର ମହାମହିମ ହୋଇ ନିଜ ନାମରେ କରିଛନ୍ତି ୫ଟି ରେକର୍ଡ। ଆଉ ସମଗ୍ର ନାରୀଜାତି ପାଇଁ ପାଲଟିଛନ୍ତି ପ୍ରେରଣା। ତେବେ ଜାଣନ୍ତୁ ଏହି ରେକର୍ଡ ବିଷୟରେ…

ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି-
ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବାରେ ପ୍ରଥମ ମହିଳା ଆଦିବାସୀ ନେତ୍ରୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ଅଦ୍ୟାବଧି କୌଣସି ଆଦିବାସୀ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ହୋଇପାରି ନାହାଁନ୍ତି। ତେବେ କେଆର ନାୟାୟଣ ଏବଂ ରାମନାଥ କୋବିନ୍ଦ ଦୁଇ ଦଳିତ ରାଷ୍ଟ୍ରପତି ହୋଇ ସାରିଛନ୍ତି।

ସର୍ବକନିଷ୍ଠ ରାଷ୍ଟ୍ରପତି-
ଅଦ୍ୟାବଧି ଦେଶର ସର୍ବକନିଷ୍ଠ ରାଷ୍ଟ୍ରପତି ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ତାଙ୍କ ପୂର୍ବରୁ ଅନ୍ୟ ସମସ୍ତ ରାଷ୍ଟ୍ରପତି ଦେଶର ସ୍ଵାଧିନତା ପୂର୍ବରୁ ଅର୍ଥାତ୍ ୧୯୪୭ ପରେ ଜନ୍ମଗ୍ରହଣ କରିଛନ୍ତି। ହେଲେ ଦ୍ରୌପଦୀଙ୍କ ଜନ୍ମ ୧୯୫୮ ମସିହା ଜୁନ ୨୦ରେ ହୋଇଥିଲା। ପୂର୍ବରୁ ଏହି ରେକର୍ଡ ନୀଲମ ସଞ୍ଜୀବ ରେଡ୍ଡୀଙ୍କ ନାମରେ ଥିଲା। ସେ ୧୯୭୭ରେ ନିଦ୍ଵର୍ନ୍ଦ୍ଵରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ରାଷ୍ଟ୍ରପତି ପଦ ଗ୍ରହଣ କରିବା ସମୟରେ ରେଡ୍ଡୀଙ୍କ ବୟସ ୬୪ ବର୍ଷ ଦୁଇ ମାସ ଏବଂ ଛଅ ଦିନ ହୋଇଥିଲା। ହେଲେ ଦ୍ରୌପଦୀ ମର୍ମୁଙ୍କ ବୟସ ପଦ ସମ୍ଭାଳିବା ସମୟରେ ୬୪ ବର୍ଷ ଏକ ମାସ ଏବଂ ଆଠ ଦିନ ହୋଇଥିଲା।

କାଉନସିଲରରୁ ରାଷ୍ଟ୍ରପତି-
ଜଣେ କାଉନସିଲରରୁ ଦେଶର ମହାମହିମ ହୋଇପାରିଛନ୍ତି ଦ୍ରୌପଦୀ ମୁର୍ମୁ। ୧୯୯୭ରେ ସେ ରାଇରଙ୍ଗପୁର ମ୍ୟୁନିସିପାଲଟି ନିର୍ବାଚନରେ କାଉନସିଲର ଭାବେ ନିର୍ବାଚିତ ହେବା ସହ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହାର ତିନି ବର୍ଷ ପରେ ୨୦୦୦ ମସିହାରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ସରକାରରେ ଦୁଇ ଥର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ସେ ଭାରତୀୟ ଜନତା ପାର୍ଟିରେ ମିଶି ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ବିଜେପିରେ ରହିଛନ୍ତି। ୨୦୦୨ରୁ ୨୦୦୯ ଏବଂ ୨୦୧୩ରେ ମୟୂରଭଞ୍ଜର ବିଜେପି ଜିଲ୍ଲା ସଭାପତି ଭାବେ କାମ କରିଛନ୍ତି। ସେ ବିଜେପି ଏସଟି ମୋର୍ଚ୍ଚାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରହିଛନ୍ତି।

ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ-
ସେ ଝାଡଖଣ୍ଡରେ ରାଜ୍ୟପାଳ ହେବାରେ ପ୍ରଥମ ମହିଳା ଥିଲେ। ସେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ରାଜ୍ୟପାଳ ରହିଥିଲେ। ସେ ପ୍ରଥମ ଓଡ଼ିଶା ଆଦିବାସୀ ମହିଳା ଥିଲେ।

ରାଷ୍ଟ୍ରପତି ଆସନରେ ବସିଥିବା ପ୍ରଥମ ଓଡ଼ିଆ ଝିଅ-
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ସହ ଓଡ଼ିଶାକୁ ଆହୁରି ଗର୍ବିତ କରିଛନ୍ତି। ସେ ପ୍ରଥମ ଓଡ଼ିଆ ଝିଅ ଭାବେ ଦେଶର ସର୍ବୋଚ୍ଚ ଆସନକୁ ଅଳଙ୍କୃତ କରିଛନ୍ତି।

Leave a Reply

Your email address will not be published. Required fields are marked *