ପ୍ରେରଣାର ସ୍ରୋତ ପ୍ରତୀକ୍ଷା : ଦିନେ ବ୍ୟାଙ୍କ୍‌ରେ ଥିଲେ ଝାଡ଼ୁଦାର… ଆଜି ସେହିଠାରେ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର

ଭୁବନେଶ୍ଵର, ୦୨/୦୮ : ଦିନେ ବ୍ୟାଙ୍କ୍‌ରେ ଝାଡ଼ୁଦାର ଭାବେ ଆରମ୍ଭ କରିଥିଲେ କାମ। ଆଜି ସେହି ବ୍ୟାଙ୍କ୍‌ରେ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର। ତେବେ ଝାଡ଼ୁଦାରରୁ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ଯାତ୍ରା ନଥିଲା ସହଜ। କୁହନ୍ତି ଦୃଢ ଇଛାଶକ୍ତି ଓ କଠିନ ମନୋବଳ ଥିଲେ ସବୁ ଅସମ୍ଭବ ହୁଏ ସମ୍ଭବ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ପ୍ରତୀକ୍ଷା ତୋଣ୍ଡୱାଲକର। ପଢନ୍ତୁ ପ୍ରତୀକ୍ଷାଙ୍କର ଏହି ସଙ୍ଘର୍ଷମୟ କାହାଣୀ ବିଷୟରେ…

ପୁନେର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ପ୍ରତୀକ୍ଷା ତୋଣ୍ଡୱାଲକର ମାତ୍ର ୧୬ ବର୍ଷ ବୟସରେ ସଦାଶିବ କାଡୁଙ୍କୁ ବିବାହ କରିଥିଲେ। ଫଳରେ ବହି ବସ୍ତାନୀରୁ ତାଙ୍କୁ ଡୋରି ବାନ୍ଧିବାକୁ ପଡ଼ିଲା। ପ୍ରତୀକ୍ଷାଙ୍କ ସ୍ଵାମୀ ମୁମ୍ବାଇ ସ୍ଥିତ ଏସ୍‌ବିଆଇରେ ବୁକ୍‌ ବାଇଣ୍ଡର ଭାବେ କାର୍ଯ୍ୟ କରୁଥିଲେ। ବିବାହର ବର୍ଷେ ପରେ ସେମାନଙ୍କର ଗୋଟିଏ ପୁଅ ଜନ୍ମ ହେଲା । କିନ୍ତୁ ପୈତୃକ ଗ୍ରାମକୁ ଯିବା ସମୟରେ ପ୍ରତୀକ୍ଷାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ୨୦ ବର୍ଷ ବୟସରେ ସ୍ଵାମୀଙ୍କୁ ହରାଇଥିଲେ ପ୍ରତୀକ୍ଷା। ଏହାପରର ଯାତ୍ରା ତାଙ୍କ ପାଇଁ ଥିଲା ଖୁବ୍ କଠିନ।

ନିଜର ଏବଂ ନିଜ ପୁଅର ଭରଣପୋଷଣ ବାବଦକୁ ସ୍ଵାମୀଙ୍କର ବକେୟା ଅର୍ଥ ସଂଗ୍ରହ କରିବାକୁ ଥରେ ଏସ୍‌ବିଆଇର ମୁମ୍ବାଇ ଶାଖାକୁ ଯାଇଥିଲେ ପ୍ରତୀକ୍ଷା। ଶିକ୍ଷାଗତ ଯୋଗ୍ୟତା ନଥିଲେ ମଧ୍ୟ ବଞ୍ଚିବାକୁ ବ୍ୟାଙ୍କରେ ଚାକିରି ପାଇଁ ସେ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ । ଏହା ପରେ ସେ ସେଠାରେ ଝାଡୁଦାର ଭାବେ କାମ ଆରମ୍ଭ କଲେ । ବ୍ୟାଙ୍କ ହତାରେ ଝାଡୁ କରିବା, ସ୍ନାନାଗାର ସଫା କରିବା ଓ ଆସବାବପତ୍ର ସଫା କରିବା ଆଦି ତାଙ୍କ କାମ ଥିଲା । ଏଥିରୁ ମାସକୁ ତାଙ୍କୁ ୬୦-୬୫ ଟଙ୍କା ମିଳୁଥିଲେ । ସେଇଥିରୁ ମାଆ ଓ ପୁଅ କଷ୍ଟେମଷ୍ଟେ ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ପ୍ରତୀକ୍ଷାଙ୍କର ଥିଲା ଉଚ୍ଚ ଆଶା। ବ୍ୟାଙ୍କରେ ଭଲ ଦରମା ପାଉଥିବା ଅନ୍ୟ କର୍ମଚାରୀଙ୍କୁ ଦେଖି ତାଙ୍କ ମନରେ ସୃଷ୍ଟି ହୋଇଥିଲା ଉତ୍କଣ୍ଠା। ତେଣୁ ସେ ସବୁ ବାଧାବିଘ୍ନକୁ ପଛରେ ପକାଇ ନିଜ ସ୍ଵପ୍ନକୁ ପୂରଣ କରିବାକୁ କଲେ ପ୍ରତିଜ୍ଞା।

ଦିନ ମଜୁରିଆ ଭାବେ କାମ କରୁଥିବା ପ୍ରତୀକ୍ଷା କଠିନ ପରିସ୍ଥିତି ମଧ୍ୟରେ ୧୦ମ ପାସ୍‌ କରିବାକୁ ଅବିଶ୍ରାନ୍ତ ପରିଶ୍ରମ ଆରମ୍ଭ କଲେ । ବ୍ୟାଙ୍କ ପରୀକ୍ଷା ଉପରେ ତାଙ୍କର ଫୋକସ୍‌ ଥିଲା । ଏଥିପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ଥିବାରୁ ସେ ମୁମ୍ବାଇର ଭିଖରୋଲି ସ୍ଥିତ ଏକ ରାତ୍ରି କଲେଜରେ ସେ ନାମ ଲେଖାଇଲେ । ସେଠାରେ ଦ୍ୱାଦଶ ପାସ୍‌ ପରେ ଆଉ ଏକ ରାତ୍ରି କଲେଜରେ ସାଇକୋଲୋଜି ଅଧ୍ୟୟନ କଲେ । ବ୍ୟାଙ୍କ ତାଙ୍କୁ କିରାଣୀ ରୂପେ ପଦୋନ୍ନତି ଦେଲା। ୨୦୦୪ ମସିହାରେ ପ୍ରତୀକ୍ଷା ବ୍ୟାଙ୍କରେ ଟ୍ରେନିଂ ଅଫିସରକୁ ପଦୋନ୍ନତି ପାଇଲେ । ଏସ୍‌ବିଆଇର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ପଦରେ ନିଯୁକ୍ତ ହେବା ପୂର୍ବରୁ ପରବର୍ତ୍ତୀ ୧୮ ବର୍ଷ ମଧ୍ୟରେ ସେ ଅନେକ ପଦଭାର ଗ୍ରହଣ କରିଥିଲେ ।

ଇତିମଧ୍ୟରେ ତାଙ୍କୁ ବ୍ୟାଙ୍କିଂ ପରୀକ୍ଷା ଦେବାକୁ ଉତ୍ସାହିତ କରିଥିବା ପ୍ରମୋଦ ତୋଣ୍ଡୱାଲକରଙ୍କୁ ସେ ବିବାହ କରିଥିଲେ । ତାଙ୍କୁ ଓ ତାଙ୍କ ସନ୍ତାନକୁ ନିଃସ୍ଵାର୍ଥପର ଭାବରେ ଭଲପାଉଥିବା ଜଣେ ଉଦାର ବ୍ୟକ୍ତି ପାଇବା ତାଙ୍କ ଜୀବନର ସବୁଠୁ ବଡ଼ ଉପଲବ୍ଧି ଥିଲା ବୋଲି କହିଛନ୍ତି ପ୍ରତୀକ୍ଷା। ତାଙ୍କ ନିଷ୍ଠା, ପରିଶ୍ରମ ଓ ସ୍ୱପ୍ନ ପୂରଣ କରିବାର ନିଶା ସବୁ ପିଢ଼ି ପାଇଁ ପ୍ରେରଣାର ସ୍ରୋତ ହୋଇଛି ।

Leave a Reply

Your email address will not be published. Required fields are marked *