ରାତି ଅନିଦ୍ରା ହେଉଛନ୍ତି କି ଆପଣଙ୍କ ପିଲା ? ସାବଧାନ… କମିଯିବ ସ୍ମରଣଶକ୍ତି

ଭୁବନେଶ୍ଵର, ୧୩।୮ : ରାତି ଅନିଦ୍ରା ହେଉଛନ୍ତି କି ? ସାବଧାନ !!! କମିଯିବ ସ୍ମରଣଶକ୍ତି। ପ୍ରତ୍ୟେକ ରାତିରେ ୯ ଘଣ୍ଟାରୁ କମ୍‌ ସମୟ ଶୋଉଥିବା ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ପିଲା ୯-୧୨ ଘଣ୍ଟା ଶୋଉଥିବା ପିଲାଙ୍କ ତୁଳନାରେ ସେମାନଙ୍କ ସ୍ମରଣଶକ୍ତି, ବୁଦ୍ଧିମତା ଓ ସାମଗ୍ରୀକ ସ୍ୱାସ୍ଥ୍ୟ ପାଇଁ ଦାୟୀ ମସ୍ତିଷ୍କର ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅନ୍ତର ଦେଖାଯାଏ। ଦ ଲାନ୍‌ସେଟ୍‌ ଚାଇଲ୍ଡ ଆଣ୍ଡ ଆଡୋଲସେଣ୍ଟ ହେଲ୍‌ଥ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି ।

ସୂଚନାନୁଯାୟୀ, ମେରିଲ୍ୟାଣ୍ଡ ସ୍କୁଲ୍‌ ଅଫ୍‌ ମେଡିସିନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ୯ରୁ ୧୦ ବର୍ଷୀୟ ୮,୩୦୦ ପିଲାଙ୍କ ଉପରେ ପରୀକ୍ଷା କରିଥିଲେ । ସେମାନେ ପିଲା ଓ ସେମାନଙ୍କ ଅଭିଭାବକଙ୍କର ଏମ୍‌ଆର୍‌ଆଇ ଛବି, ମେଡିକାଲ ରେକର୍ଡ ଓ ସର୍ଭେ ଆଦି କରିଥିଲେ । ଦୀର୍ଘ ଦୁଇ ବର୍ଷର ଯାଞ୍ଚ୍‌ ପରେ ସେମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ, ଆବଶ୍ୟକ ନିଦ ଅଭାବରୁ ପିଲାମାନେ ଅବସାଦ, ଉଦ୍‌ବେଗ ଓ ଅଜବ ଧରଣର ବ୍ୟବହାର ଆଦି ଗମ୍ଭୀର ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୋଇଥାନ୍ତି।

ବିଶ୍ୱବିଦ୍ୟାଳୟର ଡାଇଗ୍ନୋଷ୍ଟିକ୍‌ ରେଡିଓଲୋଜି ଆଣ୍ଡ ନ୍ୟୁକ୍ଲିୟର ମେଡିସିନ୍‌ ବିଭାଗର ଜି ୱାଙ୍ଗ କହିଛନ୍ତି ଯେ, ‘ଗବେଷଣାରୁ ଆମେ ଜାଣିବାକୁ ପାଇଲୁ ଯେ ଅଧ୍ୟୟନ ଆରମ୍ଭରେ ଯେଉଁ ପିଲା ପର୍ଯ୍ୟାପ୍ତ ମାତ୍ରାରେ ଶୋଇନଥିଲେ ଅର୍ଥାତ୍‌ ପ୍ରତି ରାତିରେ ୯ ଘଣ୍ଟାରୁ କମ୍‌ ସମୟ ଶୋଇଥିଲେ, ସେମାନଙ୍କ ମସ୍ତିଷ୍କର ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଧ୍ୟାନ ଦେବା, ସ୍ମରଣଶକ୍ତି ଓ ଧୀ-ଶକ୍ତି ସମ୍ବନ୍ଧୀୟ ଗ୍ରେ ମ୍ୟାଟର୍‌ କମ୍‌ ଥିଲା । ଏହି ଅନ୍ତର ଦୁଇ ବର୍ଷ ପରେ ମଧ୍ୟ ବଜାୟ ରହିଥିଲା । ଏଥିରୁ ଜଣାପଡ଼ିଲା ଯେ, ପର୍ଯ୍ୟାପ୍ତ ଶୋଉନଥିବା ପିଲାମାନଙ୍କ ମସ୍ତିଷ୍କରେ ଦୀର୍ଘକାଳୀନ କ୍ଷତି ହୋଇଥାଏ।

ଆମେରିକାନ୍‌ ଏକାଡେମୀ ଅଫ୍‌ ସ୍ଲିପ୍‌ ମେଡିସିନ୍‌ର ସୁପାରିଶ ଅନୁସାରେ, ଉତ୍ତମ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ୬ରୁ ୧୨ ବର୍ଷୀୟ ପିଲା ନିୟମିତ ଭାବେ ପ୍ରତ୍ୟେକ ରାତିରେ ୯ରୁ ୧୨ ଘଣ୍ଟା ଶୋଇବା ଉଚିତ୍‌ । ଏହା ପୂର୍ବରୁ କିଶୋର କିଶୋରୀଙ୍କ ସ୍ନାୟୁ-ଧୀ ସମ୍ଭନ୍ଧୀୟ ବିକାଶ ଉପରେ ନିଦ୍ରାହୀନତାର ଦୀର୍ଘକାଳୀନ ପ୍ରଭାବ ଉପରେ କୌଣସି ଅଧ୍ୟୟନ ହୋଇନଥିଲା । ଅଭିଭାବକମାନେ ସେମାନଙ୍କ ପିଲାର ପର୍ଯ୍ୟାପ୍ତ ନିଦ ଉପରେ ଧ୍ୟାନ ଦେବା ଆବଶ୍ୟକ । ଶୋଇବାର ୧ ଘଣ୍ଟା ପୂର୍ବରୁ ମୋବାଇଲ, ଲ୍ୟାପ୍‌ଟପ୍‌ ଆଦି ଗ୍ୟାଜେଟ୍‌ଠାରୁ ସେମାନଙ୍କୁ ଦୂରେଇ ରଖିବାକୁ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି।

Leave a Reply

Your email address will not be published. Required fields are marked *