କ୍ରିକେଟ ମୈଦାନରୁ ୱିମ୍ବଲଡନ ଚାମ୍ପିୟନ

ଅଷ୍ଟ୍ରେଲିଆର ଆସଲେ ବାର୍ଟି ଏଥରର ୱିମ୍ବଲଡନ ଚାମ୍ପିୟନ ହୋଇଛନ୍ତି । ଚେକ ଗଣରାଜ୍ୟର କ୍ୟାରୋଲିନା ପ୍ଲିସ୍କୋଭାଙ୍କୁ ପରାସ୍ତ କରି ବାର୍ଟି ତାଙ୍କର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି । କ୍ୟାରୋଲିନାଙ୍କୁ ସେ 6-3, 6-7, 6-3 ସେଟରେ ପରାସ୍ତ କରି 41 ବର୍ଷ ପରେ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଟାଇଟଲ ହାସଲ କରିଛନ୍ତି । 1980 ମସିହାରେ ଏଭୋନ ଗୁଲାଗଙ୍ଗ କ୍ୟାଲେ ଶେଷ ଅଷ୍ଟ୍ରେଲିୟ ଖେଳାଳି ଭାବେ ୱିମ୍ବଲଡନ ଜିତିଥିଲେ । କ୍ୟାଲେ ଏବଂ ମାର୍ଗାରେଟ କୋର୍ଟଙ୍କ ପରେ ତୃତୀୟ ଅଷ୍ଟ୍ରେଲିୟ ଭାବେ ବାର୍ଟି ଏହି ଟାଇଟେଲ ହାସଲ କରିଛନ୍ତି

 କ୍ୟାରୋଲିନା ଏବଂ ବାର୍ଟିଙ୍କ ମଧ୍ୟରେ କଡ଼ା ସଂଘର୍ଷ ହୋଇଥିଲା । 2012 ପରେ ଫାଇନାଲ ମ୍ୟାଚ 3 ସେଟ ଖେଳାଯାଇଥିଲା। କ୍ୟାରୋଲିନା ଦ୍ବିତୀୟ ସେଟ ଜିତିଯ଼ିବା ପରେ ମ୍ୟାଚ ସଂଘର୍ଷକୁ ଚାଲିଆସିଥିଲା। ତେବେ 25 ବର୍ଷିୟ ବାର୍ଟି ତୃତୀୟ ସେଟ 6-3ରେ ଜିତି ଟାଇଟଲ ହାସଲ କରିଥିଲେ। ପିଲା ଦିନର ସ୍ବପ୍ନ ଯେତେବେଳେ ସତ ହୋଇଥିଲା ସେତେବେଳେ ବାର୍ଟିଙ୍କ ଆଖିରୁ ଲୁହ ବାହାରି ଆସିଥିଲା। ଆଉ ଚେକ ଗଣରାଜ୍ୟର ତୃତୀୟ ଖେଳାଳି ଭାବେ ଫାଇନାଲକୁ ଆସିଥିବା ପ୍ଲିସ୍କୋଭା ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲେ ବି ବାର୍ଟିଙ୍କ ପ୍ରଶଂସା କରିବାକୁ କୁଣ୍ଠା ପ୍ରକାଶ କରିନଥିଲେ।

ଚାମ୍ପାୟନ ହୋଇଥିବା ବାର୍ଟି ଛୋଟ ବେଳୁ ତାଙ୍କର ସଂଘର୍ଷ ଆରମ୍ଭ କରିଥିଲେ। ତେବେ ବହୁତ କମ ଜାଣିଥିବେ ସେ କ୍ରିକେଟରେ ମଧ୍ୟ ସଉକ ରଖନ୍ତି । 2014ରେ ସେ ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଲିଗ୍ ବିଗ ବାସ ଲିଗ୍ ମଧ୍ୟ ଖେଳିଥିଲେ। ବ୍ରିସବେନ ହିଟ୍ ପକ୍ଷରୁ ସେ 10ଟି ମ୍ୟାଚ ଖେଳି ସର୍ବାଧିକ 39 ରନ କରିଥିଲେ । ତେବେ ସେ ଅନୁଭବ କଲେ କ୍ରିକେଟ ତାଙ୍କୁ ସେତେଟା ସଫଳତା ଦେଇପାରିବନି ତେଣୁ ସେ ପୁଣି ଫେରି ଆସିଥିଲେ ଟେନିସକୁ। ଏବେ ଟେନିସରେ ଲଗାତର ଦୁଇଟି ଗ୍ରାଣ୍ଡ ସ୍ଲାମ ଜିତିପାରିଛନ୍ତି ବାର୍ଟି।

Leave a Reply

Your email address will not be published. Required fields are marked *