ଓଡିଶା ପଇଁ ଗର୍ବର ବିଷୟ, ଶିବସୁନ୍ଦର ଦାସ ହେଲେ ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟିଂ କୋଚ୍

ଭାରତୀୟ ମହିଳା କ୍ରିକେଟ୍ ଦଳକୁ ମିଳିଲେ ଆଉ ଦୁଇ କୋଚ୍। ପୂର୍ବତନ ଓପନର ଶିବସୁନ୍ଦର ଦାସଙ୍କୁ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ କରାଯାଇଛି। ଦଳ ଆଗାମୀ ମାସରେ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ, ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ। ଏହା ପୂର୍ବରୁ ରମେଶ ପାଓ୍ଵାରଙ୍କୁ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ଦିଆଯାଇଛି। କୋଚ୍ ପାଇଁ ମୋଟ୍ ୩୫ ଜଣ ଆବେଦନ କରିଥିଲେ। ଏହା ପରେ ୮ ଜଣଙ୍କ ସାକ୍ଷାତକାର ନେଇଥିଲା ବିସିସିଆ। ପାଓ୍ଵାରଙ୍କୁ ପୁନର୍ବାର ମୁଖ୍ୟ ପ୍ରଶିକ୍ଷକ ଭାବେ ଚୟନ କରାଯାଇଥିବା ବେଳେ ଶିବସୁନ୍ଦରଙ୍କୁ ବ୍ୟାଟିଂ କୋଚ୍ ଦାୟିତ୍ଵ ଦିଆଯାଇଛି। ଏନେଇ ବିସିସିଆଇ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି।

ଶିବ ସୁନ୍ଦର ଦାସ ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟିଂ କୋଚ୍ ହେବା ନିଶ୍ଚିତ ଭାବେ ଓଡିଶା ପାଇଁ ଗର୍ବର ବିଷୟ ହୋଇଛି। ୪୩ ବର୍ଷୀୟ ଦାସ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୦ ହଜାରରୁ ଅଧିକ ରନ  କରିଛନ୍ତି। ଏହି ଡାହାଣହାତୀ ବ୍ୟାଟସମ୍ୟାନ ୧୮୦ଟି ମ୍ୟାଚ୍‌ରେ ୩୯ ହାରରେ ୧୦,୯୦୮ ରନ କରିଛନ୍ତି। ଏଥିରେ ୨୪ ଶତକ ଓ ୫୨ ଅର୍ଦ୍ଧଶତକ ସାମିଲ। ଅପରାଜିତ ୩୦୦ ରନ ତାଙ୍କର ସର୍ବୋଚ୍ଚ ସ୍କୋର। ଶିବ ସୁନ୍ଦର ଦାସ ଭାରତ ପକ୍ଷରୁ ୨୩ଟି ଟେଷ୍ଟ ମ୍ୟାଚ୍ ଖେଳି ୩୫ ହାରରେ ୧୩୨୬ ରନ କରିଛନ୍ତି। ଏଥିରେ ଦୁଇ ଶତକ ଓ ୯ ଅର୍ଦ୍ଧଶତକ ସାମିଲ। ସେ ଭାରତ ପକ୍ଷରୁ ୪ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାର ଓଡିଶାର ତୃତୀୟ ଖେଳାଳି।

Leave a Reply

Your email address will not be published. Required fields are marked *