ଶିଶୁଙ୍କୁ କରୋନା ଭୟ: ଜାଣନ୍ତୁ କିଛି ଜାଣିବା କଥା

ପ୍ରଥମ ଲହରରେ ବୟସ୍କଙ୍କୁ ବେଶୀ ସଂକ୍ରମିତ କରିଥିଲା, ଦ୍ବିତୀୟ ଲହରରେ ଯୁବ ପୀଢ଼ି ବେଶୀ ସଂକ୍ରମିତ ହେଲେ, ଆଉ ତୃତୀୟ ଲହର ଆସିବ ନିଶ୍ଚୟ ଏବଂ ଆସିଲେ ପିଲାମାନଙ୍କୁ ଏହା ଅଧିକ ସଂକ୍ରମିତ କରିବ, ଏମିତି କିଛି ଚେତାବନୀ ଏକାଧିକ ବିଶେଷଜ୍ଞ ଦେଇ ସାରିଲେଣି। ଏପକିକି ଶିଶୁମାନଙ୍କୁ କେମିତି ଟିକାକରଣରେ ସାମିଲ କରାଯାଇପାରିବ, କେମିତି ସେମାନଙ୍କୁ କରୋନା ହେଲେ ଚିକିତ୍ସା କରାଯାଇପାରିବ ସେଥିପାଇଁ ସବୁ ମହଲରେ ଲାଗିଛି ତତ୍ପରତା । ଆମେରିକା ଭଳି କିଛି ଦେଶ କିଶୋରମାନଙ୍କୁ ଟିକା ଦେବାରେ ତତ୍ପରତା ଦେଖାଇଛନ୍ତି । ସେହିପରି ଭାରତରେ ମଧ୍ୟ ଶିଶୁମାନଙ୍କୁ ଟିକା ଦେବା ପାଇଁ ଚାଲିଛି ଗବେଷଣା, ଯେଉଁଥିରେ ଭାରତ ବାୟୋଟେକ କିଛି ପାଦ ଆଗେଇ ଗଲାଣି । ଏଭଳି ସ୍ଥିତିରେ କିନ୍ତୁ ଆଜି ଏମସ ମୁଖ୍ୟ ରଣଦୀପ ଗୁଲେରିଆ କହିଛନ୍ତି ସାଧାରଣରେ ଏକ ମହାମାରୀ ଆସିଲେ ଏଥିରେ ଗୋଟିଏ ପରେ ଗୋଟିଏ ଲହର ଆସିଥାଏ କିନ୍ତୁ ଏଥିରେ ଶିଶୁମାନଙ୍କ ଉପରେ ଅଧିକ ପ୍ରଭାବ ପଡ଼ିବା ନେଇ ସେମିତି କିଛି ନିର୍ଦ୍ଦିଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । ଦ୍ବିତୀୟ ଲହରରେ ଯେଉଁସବୁ ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କ ମଧ୍ୟରୁ 60 ପ୍ରତିଶତରୁ ଅଧିକ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ବୋଲି ସେ କହିଛନ୍ତି ।

ଏଣେ ଓଡ଼ିଶା ସରକାର ତୃତୀୟ ଲହରରେ ଶିଶୁମାନଙ୍କୁ ଅଧିକ ପ୍ରଭାବ ପଡ଼ିବା ବିଶେଷଜ୍ଞଙ୍କ ସତର୍କବାଣୀକୁ ଗୁରୁତ୍ବ ଦେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରଥମରେ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ସୁବିଧା ଏବଂ ଅଲଗା ବେଡର ସୁବିଧା ସହିତ ଶିଶୁ ବିଶେଷଜ୍ଞଙ୍କୁ ରଖିବା ଲାଗି ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ମଧ୍ୟ କୋଭିଡ ସ୍ଥିତିରେ ସମୀକ୍ଷା କରିବା ସମୟରେ ଶିଶୁମାନଙ୍କୁ କିଭଳି କୋଭିଡରୁ ସୁରକ୍ଷା ଦେଇ ହେବ ସେନେଇ ପଦକ୍ଷେପ ନେବା ଲାଗି ସମସ୍ତ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ରାଜ୍ୟ ସରକାର କି କି ପଦକ୍ଷେପ ନେଇଛନ୍ତି ଅଧିକାରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।  ରାଜ୍ୟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ  ।

 

ଏଥିସହିତ ରାଜ୍ୟରେ ଆଗକୁ ହେବାକୁଥିବା ସେରୋ ସର୍ଭେ ଏବଂ ଚାଲୁଥିବା ଘରକୁ ଘର ସର୍ଭେ କାର୍ଯ୍ୟକ୍ରମରେ ଶିଶୁମାନଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଏବେ ଦିନକୁ ଦେଢ଼ ଲକ୍ଷ ଟିକା ଦିଆଯାଉଥିବା ବେଳେ ଏହାକୁ 3 ଲକ୍ଷକୁ ବୃଦ୍ଧି କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । SO

Leave a Reply

Your email address will not be published. Required fields are marked *