ଭୁବନେଶ୍ଵର, ୦୯/୦୧ : ବୃତ୍ତିରେ ପ୍ରଫେସର… ରୁଚିରେ ଲେଖିକା। ବିଭିନ୍ନ କାଳଜୟୀ ରଚନା ଓ ଅନୁବାଦ ପାଇଁ ଆଜି ଘରେ ଘରେ ପରିଚିତ ହୋଇପାରିଛନ୍ତି ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ। ପାଠକଙ୍କ ହୃଦୟକୁ ଛୁଇଁଛି ତାଙ୍କର ଅଗ୍ରଣୀ କଳ୍ପନା। ୧୯୭୪ ମସିହାରେ ପ୍ରତିଭା ରାୟଙ୍କ ଦ୍ଵାରା ଲିଖିତ ପ୍ରଥମ ଉପନ୍ୟାସ ‘ବର୍ଷା ବସନ୍ତ ବୈଶାଖ’ ପାଠକୀୟ ସ୍ଵୀକୃତି ଲାଭ କରିଥିଲା। ଏହି ଉପନ୍ୟାସକୁ ଗାଁ ଗାଁରେ ଅର୍ଦ୍ଧ ସାକ୍ଷର ମହିଳାମାନେ ମଧ୍ୟ କିଣିଥିଲେ। ତାଙ୍କ ରଚନାରେ ମାନବବାଦର ବିଦ୍ରୋହ, ବୈଷ୍ଣବ ଧର୍ମର ପ୍ରଭାବ ଦେଖିବାକୁ ମିଳେ। ଜ୍ଞାନପୀଠ ପୁରସ୍କାର ମିଳିଥିବା ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା।
ତାଙ୍କ ରଚିତ ଯାଜ୍ଞସେନୀ ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତିଦେବୀ ପୁରସ୍କାର ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ଏହି ପୁସ୍ତକଟି ସାତଟି ଭାଷାରେ ଅନୂଦିତ ହୋଇଥିଲା। ସେ ବିଦ୍ୟାଳୟରେ ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ ୧୯୯୮ ମସିହାରେ ପ୍ରାଧ୍ୟାପକ ଭାବେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରି ଓଡ଼ିଶା ଲୋକସେବା ଆୟୋଗରେ ସଦସ୍ୟ ଭାବେ ଯୋଗଦାନ କରିଥିଲେ। ସେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଠାରେ ୧୯୪୩ ମସିହା ଜାନୁଆରୀ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ।
ପ୍ରତିଭା ରାୟ ୨୦ଟି ଉପନ୍ୟାସ, ୨୪ଟି କ୍ଷୁଦ୍ରଗଳ୍ପ ସଂକଳନ, ୧୦ଟି ଭ୍ରମଣ କାହାଣୀ, ୨ଟି କବିତା ସଂକଳନ ଓ ଅନେକ ପ୍ରବନ୍ଧ ରଚୟିତା। ତାଙ୍କର ଉପନ୍ୟାସ ଗୁଡ଼ିକ ହେଲା- ଦୁଇଟି ଢେଉ, ବର୍ଷା ବସନ୍ତ ବୈଶାଖ, ଅରଣ୍ୟ, ନିଷିଦ୍ଧ ପୃଥିବୀ, ପରିଚୟ, ଅପରିଚିତା, ପୁଣ୍ୟତୋୟା, ମେଘମେଦୁର, ଆଶାବରୀ, ଅୟମାରମ୍ଭ, ନୀଳତୃଷ୍ଣା, ସମୁଦ୍ରର ସ୍ଵର, ଶିଳାପଦ୍ମ, ଯାଜ୍ଞସେନୀ, ଦେହାତୀତ, ଉତ୍ତରମାର୍ଗ, ଆଦିଭୂମି, ମହାମୋହ, ମଗ୍ନମାଟି ମହାରାଣୀର ପୁତ୍ର। ସେହିଭଳି ଗଳ୍ପ ହେଲା ସାମାନ୍ୟ କଥନ, ଗଙ୍ଗଶିଉଳି, ଅସମାପ୍ତ, ବାବୁ ବାଥ୍ ରୁମ୍ରେ ଅଛନ୍ତି, ଐକତାନ, ଅନାବନା, ହାତବାକ୍ସ, ଘାସ ଓ ଆକାଶ, ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା, ଶ୍ରେଷ୍ଠ ଗଳ୍ପ, ଅବ୍ୟକ୍ତ, ଇତିବୃତ୍ତି, ହରିତପତ୍ର, ପୃଥକ ଈଶ୍ଵର, ଭଗବାନର ଦେଶ, ମନୁଷ୍ୟ ସ୍ଵର, ସ୍ଵନିର୍ବାଚିତ ଶ୍ରେଷ୍ଠ ଗଳ୍ପ, ଷଷ୍ଠସତୀ, ମୋକ୍ଷ, ଉଲ୍ଲଙ୍ଘନ, ଗାନ୍ଧୀଙ୍କ ଗାଁ, ନିବେଦନମିଦମ, ଝୋଟି ପକା କାନ୍ଥ। ଭ୍ରମଣ କାହାଣୀ ଗୁଡ଼ିକ ହେଲା- ମୈତ୍ରୀ ପାଦପର ଶାଖା ପ୍ରଶାଖା, ଦୂର ଦ୍ଵିବିଧା, ଅପରାଧିର ସ୍ଵେଦ।
ସେ ମାତ୍ର ନଅ ବର୍ଷ ବୟସରୁ ଲେଖିବା ଆରମ୍ଭ କରିଥିଲେ। ତାଙ୍କର କିଛି ସମାଲୋଚକ ତାଙ୍କୁ କମ୍ୟୁନିଷ୍ଟ ଏବଂ ନାରୀବାଦୀ ଲେଖିକା ବୋଲି ମଧ୍ୟ ସମାଲୋଚନା କରନ୍ତି। ହେଲେ ସେ ନିଜକୁ ମାନବବାଦୀ ବୋଲି କୁହନ୍ତି। ଏକ ସୁସ୍ଥ ସମାଜ ପାଇଁ ପୁରୁଷ ଏବଂ ମହିଳା ଭିନ୍ନ ଭାବରେ ସୃଷ୍ଟି ହୋଇଛନ୍ତି। ମହିଳାମାନଙ୍କୁ ଅଧିକ ବିଶେଷତ୍ଵ ଦିଆଯିବା ଉଚିତ୍ ବୋଲି ସେ କୁହନ୍ତି। ସେ କୁହନ୍ତି ଯେ, ଜଣେ ମଣିଷ ଭାବରେ ମହିଳା ପୁରୁଷ ସହିତ ସମାନ।
୨୦୨୨ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୦୭ରେ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ୨୦୦ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧ରେ ଜ୍ଞାନପୀଠ ପୁରସ୍କାର, ୧୯୯୧ରେ ମୂର୍ତ୍ତିଦେବୀ ସମ୍ମାନ, ୧୯୮୬ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କଳିଙ୍ଗ ରତ୍ନ ଆଦି ପୁରସ୍କାରରେ ସମ୍ମାନିତ କରାଯାଇଛି।