ଭାରତୀୟ ମୁକ୍ତି ସଂଗ୍ରାମର ଆଉ ଜଣେ ନାୟିକା ପାର୍ବତୀ ଗିରି, ଅସହାୟଙ୍କ ପାଇଁ ପାଲଟିଥିଲେ ବଡ଼ ମାଆ…

ଭୁବନେଶ୍ଵର, ୦୬/୦୬ : ଭାରତୀୟ ମୁକ୍ତି ସଂଗ୍ରାମରେ ଅନେକ ନାରୀ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସ୍ଵତନ୍ତ୍ର ସେନାନୀ ଭାବରେ ମାଟି ମାର ସେବାରେ ସମର୍ପିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପାର୍ବତୀ ଗିରି। ତାଙ୍କ ନାମ ପରି ବ୍ୟକ୍ତିତ୍ଵ। କେତେବେଳେ ଶକ୍ତିରୂପିଣୀ କେତେବେଳେ ମାତୃରୂପିଣୀ। ସର୍ବଭାରତୀୟ ସ୍ତରରେ ସେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ସ୍ଵାଧୀନ ଭାରତର ସେ ଜଣେ ଅନନ୍ୟ ସମାଜସେବୀ।

ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଏକ ଅଖ୍ୟାତ ପଲ୍ଲୀ ସମଲେଇ ପଦର ଗାଁରେ ୧୯୨୬ ମସିହା ଜାନୁଆରୀ ୧୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ବାଲ୍ୟକାଳରୁ ପାର୍ବତୀଙ୍କ ମନରେ ଦେଶପ୍ରେମର ବହ୍ନି ପ୍ରଜ୍ଜ୍ଵଳିତ ହେଉଥିଲା। ୧୬ ବର୍ଷ ବୟସରେ ଏହି ବହ୍ନି ଉଦଗୀରଣ ହୋଇଥିଲା। ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ପାର୍ବତୀ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଥିଲେ ଦେଶ ସେବାରେ। ଏପରିକି ବରଗଡ଼ କୋର୍ଟକୁ ନିଜ ଦଖଲକୁ ଆଣି ମାଜିଷ୍ଟ୍ରେଟଙ୍କ ଚୌକିରେ ଆସୀନ ହୋଇ ବିଚାର ଶୁଣାଇଥିଲେ। ପରିଣାମ ସ୍ଵରୂପ ତତ୍‌କାଳୀନ ସରକାର ତାଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଥିଲେ। ହେଲେ ତାହା କାର୍ଯ୍ୟକାରୀ ହୋଇନଥିଲା।

ସମଲେଇପଦର ଗ୍ରାମରେ ପାର୍ବତୀଙ୍କ ସୁଃସାହାସିକ ମୂଳଦୁଆ ପଡ଼ିଥିଲା। ପାର୍ବତୀ ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ୱାର୍ଦ୍ଧା ଦିଲ୍ଲୀ ଗାନ୍ଧୀ ସେବାଶ୍ରମରେ ସମାଜସେବା ତଥା ଦେଶସେବାର ତାଲିମ ନେଇଥିଲେ। ସେ ମାତୃ ନିବେଦନ ନାମରେ ଅସହାୟମାନଙ୍କ ପାଇଁ ଏକ ଆଶ୍ରମ ତିଆରି କରିଥିଲେ। ସେମାନଙ୍କ ପାଇଁ ପାଲଟିଥିଲେ ବଡ଼ ମାଆ। ସମାଜର ତଳ ବର୍ଗର ଲୋକମାନଙ୍କ ପାଇଁ ସେବା କରୁଥିଲେ।

Leave a Reply

Your email address will not be published. Required fields are marked *