ଓଡ଼ିଶା ବାହାରେ ଓଡ଼ିଶାର ପରିଚୟ ବହନ କରୁଥିବା ଖାଦ୍ୟ

 ଆପଣ ଯଦି ଓଡ଼ିଶା ବାହାରକୁ ଯାଇଥିବେ ତେବେ ଏମିତି କିଛି ଖାଦ୍ୟ ବଜାରରେ କିମ୍ବା ହୋଟେଲରେ କିମ୍ବା ସ୍ବିଟ ଷ୍ଟଲରେ ଦେଖିଥିବେ, ଯାହା ଆପଣଙ୍କର ଅତି ପରିଚିତ ଓ ଅତି ଚିହ୍ନା ହୋଇଥିବ । କୌତୁହଳ ବଶତଃ ଆପଣ ସେହି ମିଠା କିମ୍ବା ଖାଦ୍ୟ ବିଷୟରେ ପଚାରିଥିବେ କିନ୍ତୁ ଦୋକାନି କହିପାରିନଥିବ ଯେ ସେହି ମିଠା ଓଡ଼ିଶାର ଲୋକପ୍ରିୟ ମିଠା ବୋଲି। ଏହା ଏମିତି ହୋଇଛି କାରଣ ଆମର ମିଠା ତ ଖୁବ ସୁସ୍ବାଦୁ ଏବଂ ଅନ୍ୟସ୍ଥାନରେ ଲୋକପ୍ରିୟ ବି ହୋଇପାରିଛି କିନ୍ତୁ ଆମେ ତାକୁ ସେତିକି ପ୍ରଚାର ପ୍ରସାର କରିପାରୁନାହୁଁ । ଆସନ୍ତୁ ଜାଣିବା ଏମିତି କିଛି ଓଡ଼ିଆ ଖାଦ୍ୟ ଯାହାକି ଓଡ଼ିଶାକୁ ବାହାରେ ପରିଚିତ କରିପାରିଛି।

1 ଖଜା ବା ଫେଣି

ଦିଲ୍ଲୀ ସରୋଜିନୀ ମାର୍କେଟରେ ବୁଲୁଥିଲେ ଦେଖିଥିବେ କିଛି ବୁଲା ବିକାଳି ଖାଜା ଖାଜା ଡାକି ବୁଲୁଥିବେ । ପାଖରୁ ଦେଖିଲେ ଏହା ଯେ ଓଡ଼ିଶାର ଅତି ପୁରୁଣା ପାରମ୍ପରିକ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ଖଜା ବା ଫେଣି ତାହା ଜାଣିବାରେ ଆସୁବିଧା ହେବନି। ବାସ୍ତବରେ ଶ୍ରୀମନ୍ଦିରରେ ଯାହା କିଛି ବି ପୂଜା ହୁଏ ତାହା ଶତ ପ୍ରତିଶତ ଓଡ଼ିଶାର ପାରମ୍ପରିକ ଖାଦ୍ୟ। ଏଥିରେ ସନ୍ଦେହ ନାହିଁ ଯେ ଏହି ଫେଣି ବା ଖଜା ଓଡ଼ିଶାର ସୃଷ୍ଟି। ଏବେ ତ ବିଦେଶରେ ବି ଏହି ଖଜାର ମଜା ଦେଖିବାକୁ ମିଳିଲାଣି

 

2- ଡାଲମା

ଅନ୍ୟ ରାଜ୍ୟରେ ଚାରୁ ଅଛି ଡାଲି ଅଛି କିନ୍ତୁ ପରିବା ଓ ଡାଲିର ସମିଶ୍ରଣର ଡାଲମା ଯେ ଖୁବ ଲୋକପ୍ରିୟ ହେଲାଣି ଏଥିରେ ସନ୍ଦେହ ନାହିଁ। ହୋଟେଲରେ ଏତେ ସୁନ୍ଦର ଡାଲମାରେ ମିଳୁନଥିବ ଆମ ଓଡ଼ିଆ ଗୃହିଣୀମାନେ ଯେତେ ସୁନ୍ଦର ଡାଲମା ପ୍ରସ୍ତୁତ କରିଥାନ୍ତି । ଏହି ଡାଲମାର ଏକ ବଡ଼ କଥା ହେଲା ଏହା ଯେତିକି ସୁସ୍ବାଦୁ ସେତିକି ପୁଷ୍ଟିକର ।

3- ପଖାଳ

ଦିନେ ଓଡ଼ିଆଙ୍କୁ ପଖାଳ ଖିଆ କହି ଉପହାସ କରୁଥିବା ଲୋକେ ଏବେ  ପଖାଳ ମାୟାରେ ପଡ଼ିଲେଣି । ଆମ ଗାଁ ଗହଳିରୁ ଡେଇଁ ପଖାଳ ଏବେ ଫାଇବ ଷ୍ଟାର ହୋଟେଲରେ ସ୍ଥାନ ପାଇଲାଣି।  ଏମିତିକି ଖରା ଦିନେ ପଖାଳ ଦିବସ ପଖାଳ ଉତ୍ସବ ମଧ୍ୟ ଖୁବ ଲୋକପ୍ରିୟ ହେଉଛି । ଏବେ ତ ପଖାଳ ନାନା ପ୍ରକାରର ଆସିଲାଣି ଚାଇଁ ପଖାଳ ଠାରୁ ଆରମ୍ଭ କରି ବାସୀ ପଖାଳ ଯାଏଁ ଦହି ପଖାଳଠାରୁ ଆରମ୍ଭ କରି ଛୁଙ୍କ ପଖାଳ ଯାଏଁ କେତେ ପ୍ରକାରର ପଖାଳ ମିଳୁଛି

4- ବଡ଼ି

ପଖାଳ ସାଙ୍ଗରେ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ବଡ଼ି। ଏହି ବଡ଼ି ଏବେ ଓଡ଼ିଆଙ୍କ ପରିଚୟକୁ ବୃଦ୍ଧି କରୁଛି। କାରଣ ବିଦେଶରୁ ଆସୁଥିବା ଅତଥୀମାନେ ଏହି ବଡ଼ି ଖାଇ ତାଜୁବ ହୋଇଯାଆନ୍ତି । ଏବେ ସ୍ବୟଂ ସହାୟକ ଗୋଷ୍ଠୀମାନେ କେତେ ଭେରାଇଟିର ବଡ଼ି ତିଆରି କରୁଛନ୍ତି ତା ସହିତ ବଡ଼ିକୁ ବାହାର ରାଜ୍ୟକୁ ରପ୍ତାନି ମଧ୍ୟ କରୁଛନ୍ତି।  ଓଡ଼଼ିଆ ପୁଅ ଘରକୁ ଆସି ଫେରୁଥିବା ବେଳେ ମା ବଡି ପୁଡ଼ିଆଟେ କରି ନିଶ୍ଚୟ ଦେଇଥାଏ।

5- ପିଠା

ପିଠା ଶବ୍ଦଟି ଏବେ ଏମିତି ହୋଇଗଲାଣି ଯେ ଅନ୍ୟରାଜ୍ୟର ଲୋକମାନେ ଏହି ଶବ୍ଦ ବ୍ୟବହାର କରୁଛନ୍ତି ଏପରିକି ୟୁଟ୍ୟୁବରେ ଏହାର ତିଆରି ବତାଇ ଖୁବ ଲୋକ ପ୍ରିୟ ହେଉଛନ୍ତି କିନ୍ତୁ ବାସ୍ତବତା ହେଉଛି ପିଠା ତିଆରିରେ ଓଡ଼ିଆଙ୍କ ସମକକ୍ଷ କେହି ହେବେନି । ଦକ୍ଷିଣ ଭାରତୀୟ ଇଡଲି, ଦୋଷା ଉତ୍ତପ୍ପମକୁ ଯେତିକି ଲୋକପ୍ରିୟ କରିପାରିଛନ୍ତି ତା ତୁଳନାରେ ଓଡ଼ିଶାର ପିଠା ସେତିକି ଲୋକପ୍ରିୟ ହୋଇନାହିଁ । ଏହା ସତ୍ତ୍ବେ ବି ଓଡ଼ିଶାରେ ପାଖାପାଖି ଶହେ ପାରମ୍ପରିକ ପିଠା ରହିଛି। . ସେ ଆରିସା ମଣ୍ଡା ହେଉ କି ଚକୁଳୀ ଚିତୋଉ କାକରା କିମ୍ବା ପୋଡ଼ପିଠା । ଏସବୁ ପିଠାର ପୁଣି ପ୍ରକାର ଭେଦ ଅଲଗା ଅଲଗା ଅଛି, ଯେମିତି ସରୁ ଚକୁଳି ବୁଢ଼ା ଚକୁଳୀ, ପୁର ମଣ୍ଡା, ବିରିମଣ୍ଡା, ତାଳ ପୋଡ଼ପିଠା, ନଡ଼ିଆ ପୋଡ଼ପିଠା….. ।  ଓଡିଆଙ୍କ ପ୍ରତିଟି ପର୍ବ ସହିତ ଯୋଡ଼ି ହୋଇଛି ଗୋଟିଏ ଗୋଟିଏ ପିଠା

6 ଦହିବରା ଆଳୁଦମ

ଚାର୍ଟ ଅନ୍ୟ ରାଜ୍ୟରୁ ଓଡିଶାକୁ ଆସିଥାଇପାରେ କିନ୍ତୁ ଓଡ଼ିଆ ଚାର୍ଟ ଅନ୍ୟମାନଙ୍କ ଠାରୁ ଭିନ୍ନ ଆଉ ଏହି ଚାର୍ଟ ଓ ଦହିବରାର ମିକ୍ସଡ ଟେଷ୍ଟ ଦହିବରା ଆଳୁଦମ ଓଡ଼ିଶାର ପରିଚୟ । ଏହା କେବଳ ଓଡ଼ିଶା କାହିଁକି ବାହାର ରାଜ୍ୱରେ ମଧ୍ୟ ଉପଲବ୍ଧ ହେଲାଣି। 20/30 ଟଙ୍କାରେ ପେଟପୁରା ଟିଫିନଟିଏ କେବଳ ଓଡ଼ିଶାରେ ହିଁ ମିଳେ ।ତେବେ ଦହିବରା ଖାଇସାରି ଦହିପାଣି ପିଇବାର ପରମ୍ପରାକୁ ଯେମିତି ଆମେ ପ୍ୟାଟେଣ୍ଟ କରିନେଇଛୁ, ତାହା ଅନ୍ୟ କେହି କରିପାରିବେନି।   

7- ଚୁଙ୍ଗୁଡି ଝୋଳ

ଓଡ଼ିଶା ଚିଙ୍ଗୁଡିର ଦେଶ ବିଦେଶରେ ନାଁ ଅଛି ଏଥିରେ ସନ୍ଦେହ ନାହି। ସେମିତି ଓଡ଼ିଆମାନେ ଏକାଧିକ ପ୍ରକାରର ଚିଙ୍ଗୁଡି ତରକାରୀ କରି ଶିଖିଛନ୍ତି। ତେବେ ଓଡ଼ିଆଙ୍କ ଚିଙ୍ଗୁଡି ଝୋଳ ଅନ୍ୟମାନଙ୍କଠାରୁ ଅଲଗା। ଏଥିସହିତ ଚିଙ୍ଗୁଡି ଓ ମାଛ ପକାଇ ଘାଣ୍ଟ କରିବା କେହି ଯଦି ଜାଣିଥିବ ତେବେ ଓଡ଼ିଆଙ୍କଠାରୁ ହିଁ ଶିଖିଥିବ।

8-ଛେନାପୋଡ଼

 ଆମେ ଓଡିଆ ଭାବେ ଏବେ ଆମେ ଗର୍ବ ଅନୁଭବ କରିବା ଯେ ଏକ ନୂଆ ପରମ୍ପରା ଭାଇରାଲ ହେଉଛି ତା ହା ହେଉଛି ଜନ୍ମଦିନରେ କେକ କାଟିବା ବଦଳରେ ପୋଡ଼ ପିଠା କାଟିବା ଲୋକପ୍ରିୟ ହେଲାଣି।  ଅନ୍ୟ ରାଜ୍ୟରେ ଥିବା ସ୍ବିଟ ଷ୍ଟଲରେ ମଧ୍ୟ ଏହା ଓଡ଼ିଶାର ଛେନାପୋଡ ଭାବେ ସ୍ଥାନ ପାଉଛି ।

ଓଡିଆ ଭାବେ ଓଡ଼ିଆ ଆମ ସମସ୍ତଙ୍କ ଦାୟିତ୍ବ ହେଉଛି ଯେବେ ବି ସୁଯୋଗ ମିଳୁଛି ଓଡ଼ିଆ ପରମ୍ପରା ଓଡ଼ିଆ ଖାଦ୍ୟ ଓ ଓଡ଼ିଆ ବେଶଭୂଷାର ପ୍ରଚାର ପ୍ରସାର କରିବା। ଯଦି ଆପଣଙ୍କ ନଜରରେ ଆଉ କିଛି ଓଡ଼ିଆ ଖାଦ୍ୟ ରହିଛି, ଯାହା ଓଡ଼ିଆତ୍ବର ପରିଚୟ ବହନ କରିଛି ତେବେ କମେଣ୍ଟ ବକ୍ସରେ ଲେଖନ୍ତୁ ହୁଏତ ଆମେ ଛାଡ଼ିଯାଇଥିବୁ।

Leave a Reply

Your email address will not be published. Required fields are marked *