ରାଜ୍ୟରେ କମୁଛି ଝିଅ ସଂଖ୍ୟା, ହଜାରେ ପୁଅରେ ୭୪୫ ଝିଅ

ଭୁବନେଶ୍ଵର, ୧୮/୦୧ : ଝିଅ ଜନ୍ମ ହ୍ରାସ ପାଇବାରେ କଟକ ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ୨୦୧୫-୧୬ ମସିହାରେ କଟକ ଜିଲ୍ଲାରେ ପ୍ରତି ହଜାରେ ପୁଅରେ ୯୮୭ ଝିଅ ଜନ୍ମ ହେଉଥିଲେ । କିନ୍ତୁ ୨୦୧୯ ରୁ ୨୦୨୧ ଭିତରେ ହଜାରେ ପୁଅରେ ୭୪୫ ଜଣ ଝିଅ ଜନ୍ମ ହୋଇଛନ୍ତି । କଟକ ପଛକୁ ପୁରୀ ଜିଲ୍ଲା ରହିଛି । ଏହି ଜିଲ୍ଲାରେ ପ୍ରତି ହଜାରେ ପୁଅରେ ୭୬୨ ଝିଅ ଜନ୍ମ ହୋଇଛନ୍ତି । ୨୦୧୯ରୁ ୨୦୨୧ ମଧ୍ୟରେ କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟରେ ଏହି କଥା କୁହାଯାଇଛି ।

ସର୍ଭେ ରିପୋର୍ଟ ମୁତାବକ, ରାଜ୍ୟର ବରଗଡ, ଭଦ୍ରକ, ଗଜପତି, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, କୋରାପୁଟ, ସମ୍ବଲପୁର ଓ ନୂଆପଡା ଜିଲ୍ଲାରେ ୨୦୧୫-୧୬ ତୁଳନାରେ ଝିଅ ଜନ୍ମ ସଂଖ୍ୟା ବଢିଛି । ନୂଆପଡା ଜିଲ୍ଲାରେ ପ୍ରତି ହଜାରେ ପୁଅରେ ଝିଅଙ୍କ ସଂଖ୍ୟା ୧୦୨୫ ରହିଥିବା ବେଳେ କୋରାପୁଟରେ ୧୦୧୪ ଓ ସମ୍ବଲପୁରରେ ୧୦୬୧ ରହିଛି । ଏପରିକି ପୂର୍ବରୁ ଝିଅ ଜନ୍ମ ହ୍ରାସ ପାଇବାରେ ଖରାପ ରେକର୍ଡ ସୃଷ୍ଟି କରିଥିବା ନୟାଗଡ ଜିଲ୍ଲାର ସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି । ନୟାଗଡରେ ୨୦୧୫-୧୬ରେ ପ୍ରତି ହଜାରେ ପୁଅରେ ଝିଅ ଜନ୍ମ ସଂଖ୍ୟା ୭୨୫ ଥିବା ବେଳେ ୨୦୧୯ରୁ ୨୦୨୧ ଭିତରେ ଝିଅ ଜନ୍ମ ସଂଖ୍ୟା ୮୪୫ ରହିଛି ।

କଟକ ଜିଲ୍ଲାର ଏଭଳି ଚିନ୍ତାଜନକ ଚିତ୍ର ଉପରେ ତର୍ଜମା କଲେ ସରକାରଙ୍କ ବିଭିନ୍ନ ଯୋଜନା ଫେଲ୍‌ ମାରୁଥିବା ସ୍ପଷ୍ଟ ହୋଇଛି । ବିଶେଷକରି ଝିଅ ଜନ୍ମ ସଂଖ୍ୟା କମିବା ପଛରେ ବେଆଇନ ଭ୍ରୂଣ ଲିଙ୍ଗ ନିରୁପଣ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ୫ବର୍ଷ ଭିତରେ ଝିଅ ଜନ୍ମ ସଂଖ୍ୟା ୨୪୦କୁ ହ୍ରାସ ପାଇବା ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଯାହା ଭବିଷ୍ୟତରେ ଏକ ବଡଧରଣର ସମସ୍ୟାକୁ ଆମନ୍ତ୍ରଣ କରିବ ବୋଲି କୁହାଯାଉଛି । ସାମାଜିକ କର୍ମୀମାନେ ମତ ଦେଇଛନ୍ତି ଯେ, ଯଦି ସ୍ଥିତିରେ ଉନ୍ନତି ନ ଆସେ ତେବେ ଆସନ୍ତା ୨୦ରୁ ୩୦ ବର୍ଷ ଭିତରେ ପୁଅ ବାହା କରିବାକୁ ମଧ୍ୟ ଝିଅଙ୍କ ଅଭାବ ପଡିବ । ତେଣୁ କଟକ ଜିଲ୍ଲାରେ ଥିବା ଅଲଟ୍ରାସାଉଣ୍ଡ କ୍ଲିନିକ୍‌ଗୁଡିକ ଉପରେ ପ୍ରଶାସନ କଡା ନଜର ଦେବାକୁ ଦାବି ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ହାତ କରି କଟକ ସହର ଓ ଗ୍ରାମାଞ୍ଚଳରେ ଏଭଳି କାମ ନିୟମିତ ଭାବେ କରାଯାଉଛି । ଗର୍ଭ ନିରୁପଣ ପରେ ଗର୍ଭସ୍ଥ ସନ୍ତାନଟି ଝିଅ ଥିବା ଜାଣିବା ପରେ ଅନେକ ଦମ୍ପତି ଗର୍ଭ ନଷ୍ଟ ପ୍ରକ୍ରିୟାକୁ ଗ୍ରହଣ କରୁଥିବାରୁ ଏହା ଝିଅ ଜନ୍ମକୁ ପ୍ରଭାବିତ କରୁଛି ।

ସର୍ଭେରେ ଆହୁରି କୁହାଯାଇଛି ଯେ, ୧୮ ବର୍ଷ ବୟସ ହେବା ପୂର୍ବରୁ ଜିଲ୍ଲାରେ ୧୪ ପ୍ରତିଶତରୁ ଅଧିକ ଝିଅ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି । ସେହିପରି ସର୍ଭେ ପିରିୟଡ ମଧ୍ୟରେ ୧୫ରୁ ୧୯ ବର୍ଷ ବୟସର ୫ ପ୍ରତିଶତରୁ ଅଧିକ କିଶୋରୀ ଗର୍ଭବତୀ ରହିଥିବା କୁହାଯାଇଛି ଯାହା ଅନ୍ୟ ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଛି । କାରଣ ଡାକ୍ତରମାନଙ୍କ ମତ ହେଉଛି ଅପ୍ରାପ୍ତ ବୟସରେ ବିବାହ କରିବା ଓ ପିଲା ଜନ୍ମ କରିବା ଉଭୟ ମା’ ଓ ଶିଶୁର ଜୀବନ ପ୍ରତି ବିପଦର କାରଣ ପାଲଟୁଛି । ୨୦୨୨ ଜାନୁଆରୀରୁ ମାର୍ଚ୍ଚ ଭିତରେ କଟକ ଜିଲ୍ଲାର ସହରାଞ୍ଚଳରେ ୨୧ଜଣ ମହିଳାଙ୍କର ପ୍ରସବକାଳୀନ ମୃତ୍ୟୁ ଘଟିଥିବା ବେଳେ ସମଗ୍ର ଜିଲ୍ଲାରେ ଜନ୍ମରୁ ୧ବର୍ଷ ମଧ୍ୟରେ ଏହି ୩ମାସରେ ୪୮୨ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ସେହିପରି ୧ବର୍ଷରୁ ୫ ବର୍ଷ ବୟସର ୫୧ଜଣ ଶିଶୁ ଆଖି ବୁଜିଥିବା ଜଣାପଡିଛି । ସବୁଠୁ ଅଧିକ ଚିନ୍ତାଜନକ ବିଷୟ ହେଉଛି ଏହି ୩ ମାସରେ ୪୦ଜଣ ଶିଶୁଙ୍କ ମୃତ୍ୟୁ ମାତୃ ଗର୍ଭରେ ହିଁ ଘଟିଛି ।

୧୮ ବର୍ଷ ବୟସ ପୂର୍ବରୁ ଜିଲ୍ଲାରେ ୧୪ ପ୍ରତିଶତରୁ ଅଧିକ ଝିଅ ବିବାହ କରିବା ପଛରେ ପ୍ରଶାସନିକ ବିଫଳତା ଜଳଜଳ ହୋଇ ଦୃଶ୍ୟମାନ ହେଉଛି । କାରଣ ଏହା ସ୍ପଷ୍ଟ କରୁଛି, ଜିଲ୍ଲାରେ ବାଲ୍ୟ ବିବାହ ନିଧଡକ ଚାଲିଛି । ପ୍ରତି ବ୍ଲକରେ ସିଡିପିଓ (ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ)ମାନଙ୍କୁ ବାଲ୍ୟ ବିବାହ ନିରୋଧ ଅଧିକାରୀ ଭାବେ ସରକାର ନିୟୋଜିତ କରିଥିବା ବେଳେ ସେମାନଙ୍କ ନିଷ୍କ୍ରିୟତା ଏହାର ଏକ କାରଣ ପାଲଟିଛି । ଏବେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଟୁମ୍ବ ପ୍ରକଳ୍ପରେ ଏହି ସବୁ ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି । କଟକ ସହରର ୩ଟି ଅଞ୍ଚଳକୁ ପ୍ରାଥମିକ ଭାବେ କୁଟୁମ୍ବ ପ୍ରକଳ୍ପରେ ଗ୍ରହଣ କରାଯାଇଛି । ଏହିସବୁ ଅଞ୍ଚଳରେ ମହିଳା ସାକ୍ଷରତା, ବାଲ୍ୟ ବିବାହ, ଶିଶୁ ନିର୍ଯାତନା ଆଦି ପ୍ରସଙ୍ଗରେ ସଚେତନତା ସୃଷ୍ଟି କରାଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *