ହୀରାକୁଦରେ ଅଛି ପର୍ଯ୍ୟଟନ ଶକ୍ତି- ଖର୍ଚ୍ଚ ହେବ 130 କୋଟି

ହୀରାକୁଦକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନର ହବ କରାଯ଼ିବ ଏବଂ ଏଥିପାଇଁ 130 କୋଟି ଟଙ୍କା ଖର୍ଚ୍ଚ କରାଯ଼ିବ । ହୀରାକୁଦକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ଏକ ପ୍ରବେଶ ପଥରେ ବିକଶିତ କରାଯିବ । ସମ୍ବଲପୁର ଗସ୍ତ ଅବସରରେ ଏଭଳି ସୂଚନା ଦେଇଛନ୍ତି ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଆଜି ହୀରାକୁଦ ସ୍ଥିତ ବୋଟିଂ କ୍ଲବ, ଦେବ୍ରିଗଡ ଅଭୟାରଣ୍ୟ, ବାଦୁଡ଼ି ଦ୍ବୀପ ଆଦି ସ୍ଥାନ ପରିଦର୍ଶନ କରିଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ।

ସେହିଭଳି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଠାରେ ନିର୍ମାଣାଧୀନ ପ୍ରେକ୍ଷାଳୟ ଏବଂ ରାଣୀ ବଖରୀ ଓ ଭିକ୍ଟୋରିଆ ମେମୋରିଆଲ ହଲର କ୍ଷେତ୍ର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ । ହୋଟେଲ୍ ମାଲିକ ଏବଂ ପର୍ଯ୍ୟଟନ ଶିଳ୍ପ ସହ ସଂପୃକ୍ତ ଟୁର୍ ଅପରେଟର ଓ କମ୍ପାନୀଙ୍କ ସହ ଜିଲ୍ଲାର ପର୍ଯ୍ୟଟନର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।

ହୀରାକୁଦ ଜଳଭଣ୍ଡାରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୩ଟି ବୋଟ୍ ନେଇ ନୌକା ବିହାର କରାଯିବ । ପର୍ଯ୍ୟଟନ ବିଭାଗ ଦ୍ବାରା ବୋଟିଂ କ୍ଲବ ପ୍ରତିଷ୍ଠା କରାଯିବ । ସେହିପରି ଚଳିତ ଡିସେମ୍ବର ଶେଷ ସୁଦ୍ଧା ବିଳାସପୂର୍ଣ୍ଣ ବୋଟ୍ ଓ ଭାସମାନ ରେଷ୍ଟୁରାଣ୍ଟ କାର୍ଯ୍ୟକାରୀ ହେବ । ଜବାହର ମିନାର୍ ନିକଟସ୍ଥ ଅଞ୍ଚଳରେ ରିସୋର୍ଟ କରିବାକୁ ଯୋଜନା ରହିଛି ବୋଲି ଅସିତ୍ ତ୍ରିପାଠୀ କହିଛନ୍ତି । ହୀରାକୁଦ ଜଳଭଣ୍ଡାର ନିକଟରେ ଉପଯୁକ୍ତ ସ୍ଥାନ ନିରୂପଣ କରି ହୋଟେଲ୍ କମ୍ପାନୀମାନଙ୍କୁ ସାମିଲ କରି ହୋଟେଲ୍ ଶିଳ୍ପର ବିକାଶ ପାଇଁ ଯୋଜନା କରାଯାଉଛି । ଏଥିପାଇଁ ମାଷ୍ଟର ପ୍ଲାନ୍ କରାଯିବ । ଲେଜର ସୋ, ଆକ୍ବାରିୟମ, ୱଟର ସଫାରି, ଯୋଗ ଗାର୍ଡେନର ବ୍ୟବସ୍ଥା କରାଯିବାର ଯୋଜନା ରହିଛି । ଏହାସହ ସମଲେଇ ଯୋଜନାରେ ହେରିଟେଜ୍ କରିଡର, ତୀର୍ଥଯାତ୍ରୀଙ୍କ ପାଇଁ ରହିବା ସ୍ଥଳୀ, ଶୌଚାଳୟ ବ୍ୟବସ୍ଥା, ମହାନଦୀରେ ଆଳତି ବ୍ୟବସ୍ଥା, ରିଂ ରୋଡର ବିକାଶ କରାଯିବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ  କହିଛନ୍ତି

Leave a Reply

Your email address will not be published. Required fields are marked *