ନୂଆ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍, ୧୪୦ କୋଟି ଭାରତୀୟଙ୍କୁ ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, ୨୩/୦୯ : ନାରୀ ଶକ୍ତିର ସମୃଦ୍ଧି ପାଇଁ ବଡ଼ ପଦକ୍ଷେପ ସ୍ୱରୂପ ମହିଳା ସଂରକ୍ଷଣ ବିଲ୍‌କୁ ମିଳିଛି ସଂସଦର ଅନୁମୋଦନ । ବୁଧବାର ଲୋକସଭାରେ ୪୫୪-୨ ଭୋଟ୍‌ରେ ବିଧେୟକ ଗୃହୀତ ହୋଇଥିଲା । ରାଜ୍ୟସଭାରେ ଅନୁଷ୍ଠିତ ଭୋଟିଂରେ ସର୍ବସମ୍ମତିକ୍ରମେ ବିଲ୍‌ଟି ଅନୁମୋଦନ ଲାଭ କରିଛି । ବିଲ୍‌ ସପକ୍ଷରେ ୨୧୫ ଭୋଟ୍‌ ପଡ଼ିଛି । ବିରୋଧରେ ଗୋଟିଏ ବି ପଡ଼ିନାହିଁ । ଗୃହରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସମସ୍ତେ ହିଁ ବିଲ୍‌ ସପକ୍ଷରେ ଭୋଟ୍‌ ଦେଇଥିଲେ । ମହିଳା ସଂରକ୍ଷଣ ପାଇଁ ଦଶନ୍ଧି ଦଶନ୍ଧି ଧରି ପ୍ରୟାସ ହୋଇଥିଲା । ବାଜପେୟୀ ସରକାରରେ ମଧ୍ୟ ଅନେକ ଥର ବିଲ୍‌ ଆସିଥିଲା । କିନ୍ତୁ ତାହାକୁ ପାସ୍‌ କରାଇବାକୁ ସଂଖ୍ୟା ଜୁଟି ନଥିଲା । ପୁରୁଣା ସଂସଦ ଭବନରେ ଅଧୁରା ରହିଯାଇଥିବା ସ୍ୱପ୍ନ ନୂଆ ସଂସଦରେ ପୂରଣ ହୋଇଛି ।

ବିଲ୍‌ରେ ରହିଥିବା ପ୍ରସ୍ତାବ ଅନୁସାରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ମିଳିବ । ୩୩% ଫର୍ମୁଲାରେ ଲୋକସଭାର ୫୪୩ ଆସନ ମଧ୍ୟରୁ ୧୮୧ଟି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିବ । ତେବେ ୨୦୨୬ ପରେ ମହିଳା ସଂରକ୍ଷଣ ଆଇନ ଲାଗୁ ହେବ । ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ ତଥା ନୂଆ ସଂସଦର ପ୍ରଥମ ଦିନରେ ମହିଳା ସଂରକ୍ଷଣ ବିଲ୍‌ ବା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଲୋକସଭାରେ ଆଗତ ହୋଇଥିଲା । ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ ଏହାକୁ ଆଣିଥିଲେ। ଦୁଇଦିନ ଧରି ବିଲ୍‌ ଉପରେ ବିତର୍କ ହୋଇଥିଲା । ୬୦ ସାଂସଦ ମତ ରଖିଥିଲେ । ଏହାପରେ ବୁଧବାର ଲୋକସଭାରେ ଏହା ଗୃହୀତ ହୋଇଥିଲା । ବିଲ୍‌କୁ ଆଇନ ମନ୍ତ୍ରୀ ମେଘୱାଲ୍‌ ରାଜ୍ୟସଭାରେ ଆଗତ କରିବା ପରେ ଘଣ୍ଟା ଘଣ୍ଟା ଧରି ଚର୍ଚ୍ଚା ହୋଇଥିଲା । ଶେଷରେ ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି । ଏବେ ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ । ଅନୁମୋଦନ ପରେ ବିଲ୍‌ଟି ଆଇନ ରୂପ ନେବ ।

ବିଲ୍‌ରେ ରହିଥିବା ପ୍ରସ୍ତାବ ଅନୁସାରେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବନାହିଁ । ସୀମା ପୁନଃ ନିର୍ଦ୍ଧାରଣ ଏବଂ ଜନଗଣନା ପରେ ହିଁ ଏହା କାର୍ଯ୍ୟକାରୀ ହେବ । ବୁଧବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ କହିଥିଲେ କି ୨୦୨୪ ଲୋକସଭା ନିର୍ବାଚନ ସରିବା କ୍ଷଣି ଜନଗଣନା ଓ ପୁନଃ ସୀମା ନିର୍ଦ୍ଧାରଣ ହେବ ଏବଂ ଖୁବଶୀଘ୍ର ଗୃହରେ ମହିଳାଙ୍କ ଭାଗୀଦାରି ବଢ଼ିବ । ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ (ଏକ୍ସ) କରି କହିଛନ୍ତି, ଆମ ରାଷ୍ଟ୍ରର ଗଣତାନ୍ତ୍ରିକ ଯାତ୍ରାରେ ଏହା ଏକ ନିର୍ଣ୍ଣାୟକ କ୍ଷଣ । ଏଥିପାଇଁ ୧୪୦ କୋଟି ଭାରତୀୟଙ୍କୁ ଶୁଭେଚ୍ଛା । ନାରୀ ଶକ୍ତି ବନ୍ଦନ ଅଧିନିୟମ ପାଇଁ ଭୋଟ୍‌ ଦେଇଥିବା ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଧନ୍ୟବାଦ । ଏଭଳି ସର୍ବସମ୍ମତ ସମର୍ଥନ ବାସ୍ତବରେ ଆନନ୍ଦଦାୟକ । ସଂସଦରେ ବିଲ୍‌କୁ ଅନୁମୋଦନ ଦେଇ ଆମେ ଭାରତୀୟ ନାରୀଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ଦୃଢ଼ ପ୍ରତିନିଧିତ୍ୱ ଲାଗି ଏକ ନୂଆ ଯୁଗ ସୃଷ୍ଟି କରିଛେ । ଏହା ଏକ ବିଧେୟକ ନୁହେଁ, ବରଂ ଅଗଣିତ ମହିଳାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି । ଏହି ଐତିହାସିକ ପଦକ୍ଷେପ ସେମାନଙ୍କ ସ୍ୱରକୁ ପ୍ରଭାବୀ କରିବା ପାଇଁ ଏକ ପ୍ରତିଶ୍ରୁତି ।

ସଂସଦର ସ୍ୱତନ୍ତ୍ର ଅଧିବେଶନର ଚତୁର୍ଥ ଦିନରେ ରାଜ୍ୟସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଗତ ହୋଇଥିଲା । ଉଭୟ ଶାସକ ଓ ବିରେଧୀ ସାଂସଦମାନେ ଏହା ଉପରେ ଜୋରଦାର ଚର୍ଚ୍ଚା କରିଥିଲେ । ପ୍ରଥମେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ ବିଲ୍‌କୁ ଉପସ୍ଥାପନ କରିବା ପରେ କଂଗ୍ରେସ ସାଂସଦ ରଞ୍ଜିତ ରଞ୍ଜନ ଆଲୋଚନା ଆରମ୍ଭ କରିଥିଲେ । ମହିଳାଙ୍କୁ ବନ୍ଦନ ନୁହେଁ ସମାନତା ଆବଶ୍ୟକ ବୋଲି ସେ ଯୁକ୍ତି ବାଢ଼ିଥିଲେ । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କବୀରଙ୍କ ଦୋହା ‘କାଲ୍‌ କରେ ସୋ, ଆଜ୍‌ କର’ ଶୁଣାଇ ତୁରନ୍ତ ମହିଳା ସଂରକ୍ଷଣ ଆଇନ ଲାଗୁ ପାଇଁ ଜୋର୍‌ ଦେଇଥିଲେ । କେବେ ଏହା କାର୍ଯ୍ୟକାରୀ ହେବ ସେଥିପାଇଁ ନିର୍ଦ୍ଦିଷ୍ଟ ତାରିଖ ଦେବାକୁ କହିଥିଲେ । ଏଥିସହ ବିଲ୍‌ରେ ଓବିସି କୋଟା ଲାଗି ସେ ଦାବି କରିଥିଲେ । ଖଡ଼ଗେ ଆହୁରି କହିଥିଲେ, ଆମେ ଏହାକୁ ନିଃସର୍ତ୍ତ ସମର୍ଥନ ଦେଉଛୁ । କିନ୍ତୁ ପରମୁହୂର୍ତ୍ତରେ ଏହା ଯେମିତି ‘ନିର୍ବାଚନ ଜୁମ୍‌ଲା’ ନ ସାଜେ, ତାହା ସୁନିଶ୍ଚିତ ହେବା ଦରକାର । କଂଗ୍ରେସ ସାଂସଦମାନେ ଓବିସି କୋଟା ଲାଗି ବିଲ୍‌ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ । ଜବାବରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ମହିଳା ସଂକ୍ରାନ୍ତ ପ୍ରସଙ୍ଗରେ ଆମେ (ବିଜେପି) ରାଜନୀତି କରୁନାହୁଁ । ତା’ଛଡ଼ା ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହା ବିଶ୍ୱାସର ଏକ ଅନୁଚ୍ଛେଦ । ଧାରା ୩୭୦ ହେଉ କିମ୍ବା ତିନି ତଲାକ ବା ମହିଳା ସଂରକ୍ଷଣ ବିଲ୍‌, ଆମେ କୌଣସିଥିରେ ରାଜନୀତି କରିନାହୁଁ । ବିଜେପି ନିରନ୍ତର ଭାବେ ମହିଳା ସଂରକ୍ଷଣ ପାଇଁ ସମର୍ଥନ ଜଣାଇଛି । ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ସ୍ତରରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ଆଣିଥିବାରୁ ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓଙ୍କ ସରକାରକୁ ଏହାର ଶ୍ରେୟ ଦେବାକୁ ଚାହୁଁଛି ।

Leave a Reply

Your email address will not be published. Required fields are marked *