ପୁରୁଷଙ୍କ ତୁଳନାରେ ମହିଳାଙ୍କ ପରିସ୍ରା ସଂକ୍ରମଣ ଆଶଙ୍କା ଅଧିକ, ଜାଣନ୍ତୁ ନିରାକରଣ

ଭୁବନେଶ୍ଵର, ୨୯/୦୯ : ୟୁଟିଆଇ ସଂକ୍ରମଣ ଖୁବ୍‌ ସାଧାରଣ । ଏହାକୁ ୟୁରୋଲୋଜି ଟ୍ରାକ୍‌ ଇନ୍‌ଫେକ୍ସନ୍‌ କୁହାଯାଏ । କିଡ୍‌ନୀରୁ ଦୁଇଟି ନଳୀ ବ୍ଲାଡର୍‌ ସହ ସଂଯୁକ୍ତ ହୋଇଥାଏ । ଏହି ବ୍ଲାଡର୍‌ରେ ପରିସ୍ରା ଜମିବା ପରେ ୟୁରେଥ୍ରୋ ଦେଇ ପରିସ୍ରା ବାହାରକୁ ବାହାରିଥାଏ । ଯଦି କୌଣସି କାରଣରୁ ଏହି ଟ୍ରାକ୍‌ରେ ସଂକ୍ରମଣ ହୁଏ, ତେଣିକି ସେ କିଡ୍‌ନୀ, ବ୍ଲାଡର୍‌ ବା ୟୁରେଥ୍ରୋରେ ମଧ୍ୟ ହୋଇପାରେ । ଏହାକୁ ୟୁରିନାରୀ ଟ୍ରାକ୍‌ ଇନଫକ୍ସେନ୍‌ କୁହାଯାଏ । ଏହି ସଂକ୍ରମଣର କାରଣ ବିଭିନ୍ନ ବୟସରେ ଭିନ୍ନ ଭିନ୍ନ ହୋଇଥାଏ । ଯେକୌଣସି ବୟସରେ ଏହି ସଂକ୍ରମଣ ହୋଇପାରେ । ଗବେଷଣା ଅନୁସାରେ ମହିଳାମାନଙ୍କଠାରେ ପରିସ୍ରା ସଂକ୍ରମଣ ଆଶଙ୍କା ୬୦ ପ୍ରତିଶତ ରହୁଥିବା ବେଳେ ପୁରୁଷଙ୍କଠାରେ ମାତ୍ର ୧୩ ପ୍ରତିଶତ ରହିଥାଏ ।

ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ପରିସ୍ରା ସଂକ୍ରମଣ ହେବାର କାରଣ ହେଉଛି ମହିଳାଙ୍କ ପରିସ୍ରା ଥଳୀ(୫.୧ ସେଣ୍ଟିମିଟର) ହୋଇଥିବା ବେଳେ ପୁରୁଷଙ୍କ ପରିସ୍ରା ଥଳୀ(୨୦ ସେଣ୍ଟିମିଟର) ହୋଇଥାଏ । ତେଣୁ ମହିଳାଙ୍କ ମୁତ୍ରାଶୟ ବ୍ୟାକ୍ଟେରିଆଙ୍କ ଦ୍ୱାରା ଖୁବ୍‌ ଶୀଘ୍ର ସଂକ୍ରମିତ ହୋଇଥାଏ । ଏମାନଙ୍କ ୟୁରେଥ୍ରୋ ବା ପରିସ୍ରା ନଳୀ ଛୋଟ ହୋଇ ଥିବାରୁ ବ୍ୟାକ୍ଟେରିଆ ଭିତରକୁ ସହଜରେ ପ୍ରବେଶ କରିଥାନ୍ତି । ପ୍ରାୟ ସମସ୍ତେ ଜୀବନରେ ଥରେ ନା ଥରେ ନିଶ୍ଚୟ ୟୁଟିଆଇର ଶିକାର ହୋଇଥାନ୍ତି । କିଛି ଲୋକ ଦୁଇ ବା ତତୋଧିକ ଥର ମଧ୍ୟ ୟୁରିନାରୀ ଟ୍ରାକ୍‌ ସଂକ୍ରମଣର ଶିକାର ହୋଇଥାନ୍ତି । ପରିସ୍ରା ସଂକ୍ରମଣକୁ ଅବହେଳା କରିବା ଅନୁଚିତ୍‌ । ନଚେତ୍‌ ଏହି ସଂକ୍ରମଣ କିଡ୍‌ନୀକୁ ମଧ୍ୟ ପ୍ରଭାବିତ କରିପାରେ । ୟୁଟିଆଇ ସଂକ୍ରମଣ ସାଧାରଣତଃ ଇ-କୋଲି ବ୍ୟାକ୍ଟେରିଆ ସଂକ୍ରମଣ ଦ୍ୱାରା ହୋଇଥାଏ । ଅବଶ୍ୟ କେବେ କେବେ ଅନ୍ୟ ବ୍ୟାକ୍ଟେରିଆ ମଧ୍ୟ ଦାୟୀ ରହିଥାନ୍ତି ।

ଲକ୍ଷଣ-
-ବାରମ୍ବାର ପରିସ୍ରା ଲାଗିବା
-ପରିସ୍ରା କରିବା ସମୟରେ ଜ୍ୱଳନ ବା ଯନ୍ତ୍ରଣା ଅନୁଭବ
-ପରିସ୍ରାରେ ରକ୍ତ ଆସିବା
-ଜ୍ୱର ସହ ତଳିପେଟ ବିନ୍ଧା ହେବା
-ବେଳେ ବେଳେ ପରିସ୍ରା ଲାଲ୍‌ ହୁଏ
-ପରିସ୍ରା ସଂକ୍ରମଣକୁ ଅବହେଳା କରିବା ଦ୍ୱାରା ଜ୍ୱର ମଧ୍ୟ ଆସିଥାଏ

ଏମାନଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ
-ବିବାହତି ମହିଳାଙ୍କଠାରେ ଏହାର ଆଶଙ୍କା ଅଧିକ
-ଯେଉଁମାନେ କମ୍‌ ପାଣି ପିଇଥାନ୍ତି
-ଯେଉଁମାନେ ସ୍ୱଚ୍ଛତା ଉପରେ ଧ୍ୟାନ ଦେଇ ନଥାନ୍ତି
-ଯେଉଁମାନେ ବାରମ୍ବାର ଅନ୍ତର୍ବସ୍ତ୍ର ପରିବର୍ତ୍ତନ ନ କରନ୍ତି
-ମଧୁମେହ ଥିବା ମହିଳାଙ୍କଠାରେ ଆଶଙ୍କା ଅଧିକ
-ଗର୍ଭାବସ୍ଥାରେ ୟୁଟିଆଇର ଆଶଙ୍କା ଅଧିକ

ବାରମ୍ବାର ସଂକ୍ରମଣର କାରଣ-
ଯେଉଁମାନଙ୍କୁ ବାରମ୍ବାର ୟୁଟିଆଇ ସଂକ୍ରମଣ ହେଉଥାଏ, ସେମାନେ ପରୀକ୍ଷା କରାଇ ନେବା ଉଚିତ୍‌ । ଅଲଟ୍ରାସାଉଣ୍ଡ, କିଡ୍‌ନୀ ଓ କିଡ୍‌ନୀ ନଳୀ ମଧ୍ୟ ପରୀକ୍ଷା କରାଇ ନେବା ଉଚିତ୍‌ । କାରଣ କେବେ କେବେ କିଡ୍‌ନୀରେ ପଥର ଯୋଗୁ ମଧ୍ୟ ପରିସ୍ରା ସଂକ୍ରମଣ ହୋଇଥାଏ । ଏହି ସ୍ଥିତିରେ ୟୁରୋଲୋଜିଷ୍ଟଙ୍କ ପରାମର୍ଶ ନେବା ଜରୁରି ।

ପ୍ରତିକାର-
ଶରୀରରେ ଜଳାଭାବ ହେବାକୁ ଦିଅନ୍ତୁ ନାହିଁ । ଆବଶ୍ୟକ ସ୍ୱାସ୍ଥ୍ୟକର ଖାଦ୍ୟ ସହ ଜୁସ୍‌ ନିୟମିତ ନିଅନ୍ତୁ । ସେହିପରି ନିୟମିତ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ । ଯଦି କୌଣସି ରୋଗ ଯେପରିକି ମଧୁମେହ, ହାଇପର୍‌ ଟେନସନ୍‌ ଆଦି ଥାଏ, ତେବେ ଯଥା ସମୟରେ ଏହାର ଚିକିତ୍ସା କରାନ୍ତୁ । କାରଣ ଏମାନଙ୍କଠାରେ ୟୁରିନାରୀ ଟ୍ରାକ୍‌ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ । ଯଥାସମ୍ଭବ ପବ୍ଲିକ୍‌ ବାଥ୍‌ରୁମ୍‌ ବ୍ୟବହାର କରନ୍ତୁ ନାହିଁ । ଯଦି ନିହାତି ଦରକାର ପଡେ, ତେବେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ । ନିୟମିତ କ୍ରାନ୍‌ବେରୀ ଜୁସ୍‌ ନେବା ଦ୍ୱାରା ମଧ୍ୟ ଏହି ସଂକ୍ରମଣର ଆଶଙ୍କା କମ୍‌ ରହିଥାଏ ।

Leave a Reply

Your email address will not be published. Required fields are marked *