ଯୋଗ ଦିବସ

ଭୁବନେଶ୍ଵର, ୨୧।୬ : ଯୋଗାଭ୍ୟାସର ଅସଂଖ୍ୟ ସୁଫଳର ପ୍ରୋତ୍ସାହନ ନିମନ୍ତେ ପ୍ରତି ବର୍ଷ ଜୁନ୍‌ ୨୧ ତାରିଖରେ ପାଳିତ ହୁଏ ବିଶ୍ୱ ଯୋଗ ଦିବସ । ଦ୍ରୁତ ଓ ଆଧୁନିକ ଜୀବନରେ ସନ୍ତୁଳନ ରକ୍ଷାର ଗୁରୁତ୍ୱ ଉପରେ ଏହା ଆଲୋକପାତ କରେ । ଏଥିସହିତ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସଦ୍‌ଭାବକୁ ପ୍ରୋତ୍ସାହିତ କରେ । ଯୋଗ ଏକାଗ୍ରତା ବଢ଼ାଏ, ଚାପ ହ୍ରାସ କରେ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଫୋକସ୍‌ କରେ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାତିସଂଘ ମୁଖ୍ୟାଳୟରେ ୯ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେବ । ପ୍ରଥମ ଥର ସେଠାରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଯୋଗ କାର୍ଯ୍ୟକ୍ରମ ପରିଚାଳିତ ହେବ।

ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ବସୁଧୈବ କୁଟୁମ୍ବକମ୍‌ ପାଇଁ ଯୋଗ’ । ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ର ଅଭିଳାଷକୁ ଏହା ପ୍ରତିନିଧିତ୍ୱ କରୁଛି । ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ସଭାର ୬୯ତମ ଅଧିବେଶନରେ ଭାଷଣ ଦେବା ସମୟରେ ଯୋଗ ଦିବସର ମୂଳଦୁଆ ପକାଇଥିଲେ । ସେହି ବର୍ଷ, ଡିସେମ୍ବର ୧୧ ତାରିଖରେ ଜାତିସଂଘର ସମସ୍ତ ୧୯୩ ସଦସ୍ୟ ରାଷ୍ଟ୍ର ସର୍ବସମ୍ମତି କ୍ରମେ ଜୁନ୍‌ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ରାଜି ହୋଇଥିଲେ । ୨୦୧୫ ମସିହା, ଆଜିର ଦିନ ପ୍ରଥମ ଥର ଏହି ଦିବସ ପାଳିତ ହେଲା । ସେବେଠାରୁ ଅନ୍ତର୍ଜାତୀୟ ଯୋଗ ଦିବସ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ପାଲଟଛି । ୧୯୦ରୁ ଅଧିକ ଦେଶରେ ଏହା ପାଳିତ ହେଉଛି ।

Leave a Reply

Your email address will not be published. Required fields are marked *