୬୦୦ ଦିବ୍ୟାଙ୍ଗ ଶିଶୁଙ୍କୁ ଦେଖାଇଛନ୍ତି ଶିକ୍ଷାର ଆଲୋକ, ବରେଲୀର ଦୀପମାଳାଙ୍କୁ ମନ୍ କି ବାତ୍‌ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ବରେଲି, ୨୩/୦୯ : ସ୍କୁଲର ଝରକା ଫାଙ୍କରେ ଲୁଚି ଲୁଚି ପିଲାମାନଙ୍କୁ ପାଠ ପଢୁଥିବାର ଦେଖୁଥିଲା ଅନମୋଲ। କାରଣ ତା ପାଖରେ ନଥିଲା ସ୍କୁଲ ଯିବାର ସୌଭାଗ୍ୟ। ଦିନେ ଅନମୋଲ ଉପରେ ପଡ଼ିଲା ଶିକ୍ଷୟିତ୍ରୀ ଦୀପମାଳାଙ୍କ ପାଣ୍ଡେଙ୍କ ନଜର। ଆଉ ଦୀପମାଳା ଅନମୋଲର ହାତ ଧରି ନେଇଆସିଲେ କ୍ଲାସ୍ ଭିତରକୁ। ଏହାପରେ ଅନମୋଲର ଖୁସି କହିଲେ ନସରେ। ଅନମୋଲ ଭଳି ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସେହିଦିନ ଠାରୁ ପ୍ରତିଜ୍ଞା କଲେ ଦୀପମାଳା। ଆଉ ଆରମ୍ଭ କଲେ ୱାନ ଟିଚର ୱାନ କଲ୍ ଅଭିଯାନ। ବହୁ ଜିଲ୍ଲାର ଶିକ୍ଷକଙ୍କୁ ଯୋଡି ଏଯାବତ୍ ପ୍ରାୟ ୬୦୦ ଦିବ୍ୟାଙ୍ଗ ପିଲାଙ୍କୁ ସ୍କୁଲ ପଠାଇବାରେ ସକ୍ଷମ ହୋଇପାରିଛନ୍ତି ଦୀପମାଳା।

ଡଭୌରା ଗଙ୍ଗାପୁର ପ୍ରାଥମିକ ବିଦ୍ୟାଳୟରେ ୧୩ ବର୍ଷ ପୂର୍ବେ ଶିକ୍ଷକତା କରୁଥିବା ଦୀପମାଳା ପାଣ୍ଡେ କହିଛନ୍ତି ଯେ, ଆଜି ବି ଅନମୋଲର ଚେହେରା ତାଙ୍କ ଆଖି ସାମ୍ନାରେ ନାଚି ଉଠୁଛି। ଅନମୋଲକୁ ଦେଖି ଏଭଳି ଲାଗିଲା ଏହି ଦିବ୍ୟାଙ୍ଗ ପିଲାଙ୍କ ଭବିଷ୍ୟତ କଣ ? ସେମାନେ କାହା ସାହାରାରେ ପଢିପାରିବେ ? ଅନମୋଲଙ୍କ ଭଳି ପିଲାମାନେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ହେଲେ ଲୋକମାନଙ୍କୁ ଆଗକୁ ଆସିବାକୁ ପଡ଼ିବ। ତେବେ ଏଭଳି କରିବା ସହଜ ନଥିଲା। ଏଥିପାଇଁ ଦୀପମାଳା ସାଙ୍କେତିକ ଶବ୍ଦର ଅଧ୍ୟୟନ କରିଥିଲେ। ଏହାପରେ ଏହି ପିଲାମାନଙ୍କୁ ଶିକ୍ଷା ଦେଇଥିଲେ। ଦୀପମାଳାଙ୍କର ଲକ୍ଷ୍ୟ ଥିଲା ଯଦି ଜଣେ ଶିକ୍ଷକ ଜଣେ ଦିବ୍ୟାଙ୍ଗଙ୍କ ଦାୟିତ୍ଵ ନିଅନ୍ତି ତେବେ ଜିଲ୍ଲାରେ ଥିବା ୩୦୦୦ ଦିବ୍ୟାଙ୍ଗ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ।

ତେବେ କରୋନା ସମୟରେ ଦୀପମାଳାଙ୍କ ଏହି ଅଭିଯାନରେ ବାଧା ସୃଷ୍ଟି ହୋଇଥିଲା। ଏହାପରେ ସେ ୱାନ ଟିଚର ୱାନ କଲ୍ ନାମରେ ଫେସବୁକ୍‌ରେ ଅଭିଯାନ ଜାରି ରଖିଲେ। ଶିକ୍ଷକମାନଙ୍କୁ ଯୋଡି ପିଲାମାନଙ୍କୁ ଶିକ୍ଷା ଦେଇଚାଲିଲେ। ଏହି ଫେସବୁକ୍ ପେଜ୍‌ରେ ବରେଲି, ପୀଲଭିତ, ହରଦୋଇ, ଶାହାଜାହାନପୁର, ଅଯୋଧ୍ୟା ଭଳି ବହୁ ସ୍ଥାନରୁ ଶିକ୍ଷକମାନେ ଯୋଡି ହେଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦୀପମାଳାଙ୍କୁ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *