ସ୍ତନ କର୍କଟ ପାଇଁ ଦାୟୀ ୪ ନୂଆ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ, ୨୨/୦୮ : ବୈଜ୍ଞାନିକମାନେ ସ୍ତନ କର୍କଟ ପାଇଁ ଦାୟୀ ୪ ନୂଆ ଜିନ୍‌ ପାଇଛନ୍ତି । ସ୍ତନ କର୍କଟ ଆଶଙ୍କାଯୁକ୍ତ ମହିଳାଙ୍କୁ ଚିହ୍ନିବାରେ ଏହା ସହାୟକ ହୋଇପାରିବ । ନେଚର୍‌ ଜେନେଟିକ୍ସ ପତ୍ରିକାରେ ସଦ୍ୟ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି । କର୍କଟ ବିକାଶର ତନ୍ତ୍ର ଉପରେ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି ଏବଂ ନୂଆ ଚିକିତ୍ସା ଚିହ୍ନଟର ମାର୍ଗ ଉନ୍ମୁକ୍ତ କରିଛି । ବ୍ରିଟେନର ୟୁନିଭର୍ସିଟି ଅଫ୍‌ କେମ୍ବ୍ରିଜ ଓ କାନାଡ଼ାର ୟୁନିଭର୍ସିଟି ଲାଭାଲର ଗବେଷକମାନେ କହିଛନ୍ତି, ସ୍ତନ କର୍କଟ ନିମନ୍ତେ ବର୍ତ୍ତମାର ଜିନ୍‌ଗତ ପରୀକ୍ଷଣ କେବଳ କିଛି ଜିନ୍‌ ଉପରେ ବିଚାର କରେ ଯଥା- ବିଆର୍‌ସିଏ୧, ବିଆର୍‌ସିଏ୨ ଓ ପିଏଏଲ୍‌ବି୨ । ଏଗୁଡ଼ିକ କେବଳ ଅଳ୍ପସଂଖ୍ୟକ ଜିନ୍‌ଗତ ଆଶଙ୍କାକୁ ବର୍ଣ୍ଣନା କରେ । ସଦ୍ୟ ଅଧ୍ୟୟନ ୟୁରୋପ ଓ ଏସିଆର ୮ଟି ଦେଶର ସ୍ତନ କର୍କଟଯୁକ୍ତ ୨୬ ହଜାର ମହିଳା ଓ ସ୍ତନ କର୍କଟ ନ ଥିବା ୨.୧୭ ଲକ୍ଷ ମହିଳାଙ୍କଠାରେ ଜିନ୍‌ଗତ ପରିବର୍ତ୍ତନ ଉପରେ ଫୋକସ୍‌ କରିଥିଲା । ଅଧ୍ୟୟନର ନେତୃତ୍ୱ ନେଇଥିବା ଅନ୍ୟତମ ଗବେଷକ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଗଲାସ ଇଷ୍ଟନ କହିଛନ୍ତି, ଏହା ଏ ଧରଣର ସର୍ବବୃହତ ଅଧ୍ୟୟନ ।

ସ୍ତନ କର୍କଟ ପାଇଁ ଦାୟୀ ନୂଆ ୪ ଜିନ୍‌ ପାଇବା ପରେ ଏଥିସହ ସଂଶ୍ଳିଷ୍ଟ ଅନେକ ଅନ୍ୟ ଜିନ୍‌ର ପ୍ରମାଣ ବିଷୟରେ ମଧ୍ୟ ସେମାନେ ସ୍ପଷ୍ଟ କରିଛନ୍ତି । ନୂଆ ଜିନ୍‌ ଚିହ୍ନଟ ହେବା ପରେ ସ୍ତନ କର୍କଟର ଜିନ୍‌ଗତ ବିପଦକୁ ବୁଝିବାରେ ସେଗୁଡ଼ିକ ସହାୟକ ହେବ । ସେତିକି ନୁହେଁ, ଉଚ୍ଚ ସ୍ତନ କର୍କଟ ଆଶଙ୍କା ଥିବା ମହିଳାଙ୍କୁ ଚିହ୍ନଟ କରିବାରେ ମଧ୍ୟ ସକ୍ଷମ ହେବ । ସ୍ତନ ଯାଞ୍ଚ୍‌କୁ ଏହି ତଥ୍ୟ ଅଧିକ ପ୍ରୋତ୍ସାହିତ କରିବ, ଏହି ରୋଗର ଆଶଙ୍କା କମାଇବ ଏବଂ ଚିକିତ୍ସକୀୟ ପ୍ରବନ୍ଧନରେ ମଧ୍ୟ ସହାୟକ ହେବ ବୋଲି ଗବେଷକମାନେ କହିଛନ୍ତି । ଏହି ନୂଆ ଜିନ୍‌ଗୁଡ଼ିକରେ ଚିହ୍ନଟ ହୋଇଥିବା ଅଧିକାଂଶ ପ୍ରକାର ବିରଳ । ଏଗୁଡ଼ିକ ଯେଉଁ ମହିଳାଙ୍କଠାରେ ଥାଏ, ସେମାନଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ ହୋଇପାରେ । ଉଦାହରଣ ସ୍ୱରୂପ, ଅନ୍ୟତମ ନୂଆ ଜିନ୍‌ରେ ପରିବର୍ତ୍ତନ ସ୍ତନ କର୍କଟର ନିର୍ଦ୍ଦିଷ୍ଟ ଆଶଙ୍କା ବଢ଼ାଇଥାଏ । ଏହି ସୂଚନାକୁ ଚିକିତ୍ସା କ୍ଷେତ୍ରରେ ପ୍ରୟୋଗ କରିବା ପୂର୍ବରୁ, ବୈଜ୍ଞାନିକଙ୍କୁ ପରବର୍ତ୍ତୀ ତଥ୍ୟ ଜରିଆରେ ଏହାର ଫଳାଫଳକୁ ବୈଧ କରିବାକୁ ହେବ ।

Leave a Reply

Your email address will not be published. Required fields are marked *