ଶିଶୁ ଚାଲାଣରେ ଆଗରେ ଓଡ଼ିଶା, ୫ ବର୍ଷ ମଧ୍ୟରେ ଚାଲାଣ ହୋଇଛନ୍ତି ୧୧୦୫

ଭୁବନେଶ୍ଵର, ୦୪/୦୮ : ରାଜ୍ୟରେ ବଢ଼ିଚାଲିଛି ନାବାଳକ-ବାଳିକା (୧୮ ବର୍ଷରୁ କମ୍‌) ଚାଲାଣ । ପଡ଼ୋଶୀ ରାଜ୍ୟମାନଙ୍କର ରେକର୍ଡ ଭାଙ୍ଗିଛି ଓଡ଼ିଶା । ଗତ ୫ ବର୍ଷ ମଧ୍ୟରେ (୨୦୧୭-୨୧) ମଧ୍ୟରେ ରାଜ୍ୟରୁ ୧୧୦୫ ଜଣ ଚାଲାଣ ହୋଇଛନ୍ତି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରାଜ୍ୟସଭାରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି ।

ଓଡ଼ିଶାରେ ପିଲା ଚାଲାଣ ୪ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୦୧୭ ମସିହାରେ ରାଜ୍ୟରୁ ୧୧୭ଜଣ ପିଲା ଚାଲାଣ ରେକର୍ଡ ହୋଇଥିବା ବେଳେ ୨୦୨୧ରେ ତାହା ୪୯୭କୁ ବୃଦ୍ଧି ପାଇଛି । ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ, ୨୦୧୭ରେ ସମଗ୍ର ଦେଶରେ ୩,୫୩୫ ପିଲା ଚାଲାଣ ହୋଇଥିଲା । ସେହିବର୍ଷ ଓଡିଶାରୁ ୧୧୭ଜଣ ଚାଲାଣ ହୋଇଥିଲେ । ଏହା ପରଠାରୁ ଦେଶରେ ପିଲା ଚାଲାଣ ସଂଖ୍ୟା କମିଥିଲା । ୨୦୧୮ ମସିହାରେ ଦେଶରେ ୨୭୭୨ ପିଲା ଚାଲାଣ ରିପୋର୍ଟ ହୋଇଥିବା ବେଳେ ୨୦୧୯ରେ ୨୮୬୩, ୨୦୨୦ରେ ୨୨୨୨ ଓ ୨୦୨୧ରେ ୨୮୭୭ ଥିଲା । କିନ୍ତୁ ଓଡ଼ିଶାରେ ହାର ବଢ଼ି ଚାଲିଥିଲା । ୨୦୧୮ରେ ରାଜ୍ୟରୁ ୧୩୧ ପିଲା ଚାଲାଣ ହୋଇଥିବା ବେଳେ, ୨୦୧୯ରେ ୨୦୨ ଜଣ, ୨୦୨୦ରେ ୧୫୯ ଜଣ ଓ ୨୦୨୧ ରେ ୪୯୭ ଜଣ ପିଲା ଚାଲାଣ ହୋଇଥିଲେ । କରୋନା କାଳରେ ଶିଶୁ ଚାଲାଣ ସଂଖ୍ୟା ରାଜ୍ୟରେ ଢେର୍‌ ବଢ଼ିଥିବା ଲକ୍ଷ୍ୟ କରାଯାଇଛି । ଓଡ଼ିଶାରେ ଶିଶୁ ଚାଲାଣ ସଂଖ୍ୟା ବଢିଥିବା ବେଳେ ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ, ପଡ଼ୋଶୀ ରାଜ୍ୟଗୁଡ଼ିକରେ ଚାଲାଣ ହାର କମ୍‌ ରହିଛି । ଆନ୍ଧ୍ରପ୍ରଦେଶରେ ଏହା ୨ ଅଙ୍କରେ ସୀମିତ ଅଛି । ୨୦୧୭ରେ ଆନ୍ଧ୍ରପ୍ରଦେଶରୁ ୨୬ଜଣ ଶିଶୁ ଚାଲାଣ ହୋଇଥିବାବେଳେ ପରବର୍ତ୍ତୀ ତିନିବର୍ଷ ଏହି ସଂଖ୍ୟା ୨୫ ତଳେ ରହିଥିଲା । ତେବେ ୨୦୨୧ରେ ହଠାତ୍‌ ଏହା ୫୮କୁ ବୃଦ୍ଧି ପାଇଥିଲା ।

ସେହିଭଳି ଛତିଶଗଡ଼ରେ ଏହା ହ୍ରାସ ପାଇ ୨୦୨୧ରେ ୪୩ ଥିବାବେଳେ ଝାଡ଼ଖଣ୍ଡରେ ୨୦୧୭ରେ ୩୩୧ରୁ ୨୦୨୧ରେ ୧୪୬କୁ ହ୍ରାସ ପାଇଛି । ସେହିଭଳି ପଶ୍ଚିମବଙ୍ଗରେ ୨୦୧୭ରେ ୩୧୯ରୁ ୨୦୨୧ରେ ୫୦କୁ ହ୍ରାସ ପାଇଛି । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି, ପିଲାମାନଙ୍କ ଥଇଥାନ ସହିତ ଅନ୍ୟ ଯେଉଁମାନେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଛନ୍ତି ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ପାଇଁ ମିଶନ ବାତ୍ସଲ୍ୟ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏଭଳି ପିଲାଙ୍କ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟର ବ୍ୟବସ୍ଥା କରାଯାଇଛି । ମାନବ ଚାଲାଣ ନିରୋଧ ୟୁନିଟ୍‌ ଗଠନ ଲାଗି ନିର୍ଭୟା ପାଣ୍ଠିରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ୨୫୦ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯାଉଛି । ସେହିଭଳି ଚାଲାଣ ରୋକିବାପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ରାଜ୍ୟ, ଜିଲ୍ଲା ଓ ଥାନାସ୍ତରରେ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

Leave a Reply

Your email address will not be published. Required fields are marked *