ଦେଶର ପ୍ରଥମ ମହିଳା ଶିକ୍ଷକ ସାବିତ୍ରୀବାଇ ଫୁଲେ, ନାରୀ ଶିକ୍ଷା ପାଇଁ ପ୍ରତିଷ୍ଠା କରିଥିଲେ ୧୮ଟି ବିଦ୍ୟାଳୟ

ଭୁବନେଶ୍ଵର, ୧୮/୧୧ : ନାରୀ ଶିକ୍ଷାକୁ ପ୍ରୋତ୍ସାହନ ଦେଉଥିବା ତଥା ଜଣେ କିମ୍ଵଦନ୍ତୀ ଶିକ୍ଷକ ହେଉଛନ୍ତି ସାବିତ୍ରୀବାଇ ଫୁଲେ। ସେ ହେଉଛନ୍ତି ଦେଶର ପ୍ରଥମ ମହିଳା ଶିକ୍ଷକ। ନାରୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରିଥିଲେ। ୧୮୩୧ ମସିହା ଜାନୁଆରୀ ୩ ତାରିଖରେ ମହାରାଷ୍ଟ୍ରର ସତନା ଜିଲ୍ଲାର ନାଇଗାଓଁରେ ସେ ଜନ୍ମଗ୍ରହଣ କରିଥିଲେ। ସେହି ସମୟରେ ସମାଜରେ ଦଳିତମାନେ ଭେଦଭାବର ଶିକାର ହେଉଥିଲେ। ସେମାନଙ୍କର ଶିକ୍ଷା ଗ୍ରହଣ କରିବାର ଅଧିକାର ନଥିଲା। ମହିଳାଙ୍କୁ ଆଦୌ ପାଠ ପଢିବାକୁ ସୁଯୋଗ ଦିଆଯାଉନଥିଲା। ଥରେ ସାବିତ୍ରୀବାଇ କୌଣସି ସ୍ଥାନରୁ ଏକ ଇଂରାଜୀ ପୁସ୍ତକ ପାଇ ହାତରେ ଧରିଥିଲେ। ତାଙ୍କ ପିତା ଏହାଦେଖି ତାଙ୍କ ହାତରୁ ବହିଟିକୁ ଫିଙ୍ଗି ଦେଇଥିଲେ ଏବଂ କହିଥିଲେ ଯେ, କେବଳ ଉଚ୍ଚ ଜାତିର ପୁରୁଷମାନେ ଶିକ୍ଷା ଗ୍ରହଣ କରିପାରିବେ। ସମାଜରେ ଦଳିତ ଏବଂ ମହିଳାଙ୍କୁ ଶିକ୍ଷା ଗ୍ରହଣ କରିବାର ଅଧିକାର ନାହିଁ।

ଏହାପରେ ମାତ୍ର ୯ ବର୍ଷ ବୟସରେ ସାବିତ୍ରୀବାଇ ଫୁଲେ ଜ୍ୟୋତିରାଓ ଫୁଲେଙ୍କୁ ବିବାହ କରିଥିଲେ। ସେତେବେଳେ ସାବିତ୍ରୀବାଇ ଅଶିକ୍ଷିତା ଥିବାବେଳେ ଜ୍ୟୋତିରାଓ ଫୁଲେ ତୃତୀୟ ମାନ୍ୟତାରେ ଅଧ୍ୟୟନ କରିଥିଲେ। ସାବିତ୍ରୀବାଇଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ସ୍ୱାମୀ ତାଙ୍କୁ ଶିକ୍ଷା ଗ୍ରହଣ କରିବାକୁ ଅନୁମତି ଦେଇଥିଲେ। ବିବାହ ପରେ ସାବିତ୍ରୀବାଇ ବିଦ୍ୟାଳୟକୁ ପଢିବା ପାଇଁ ଯାଇଥିଲେ। ସେହି ସମୟରେ ସେ ବହୁ ବିରୋଧର ସମ୍ମୁଖୀନ ହୋଇଥିଲେ। ଏପରିକି ଲୋକମାନେ ତାଙ୍କ ଉପରକୁ ପଥର, ଅଳିଆ ଏବଂ କାଦୁଅ ଫିଙ୍ଗିଥିଲେ। କିନ୍ତୁ ସାବିତ୍ରୀ ବାଇ ଫୁଲେ ହାର ମାନିନଥିଲେ ଏବଂ ଅଧ୍ୟୟନ ସମାପ୍ତ କରିଥିଲେ।

ଏହାପରେ ସାବିତ୍ରୀବାଇ ହୃଦୟଙ୍ଗମ କରିଥିଲେ ଯେ, ଦେଶରେ ଏଭଳି ବହୁ ଝିଅ ଅଛନ୍ତି ଯେଉଁମାନେ ତାଙ୍କ ଭଳି ଅଧ୍ୟୟନ କରିବାକୁ ଚାହୁଁଛନ୍ତି। ଏହାପରେ ୧୮୪୮ ମସିହାରେ ମହାରାଷ୍ଟ୍ରର ପୁଣେରେ ସେ ଦେଶର ପ୍ରଥମ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ପରେ ସେ ଝିଅମାନଙ୍କ ଶିକ୍ଷା ପାଇଁ ୧୮ଟି ବିଦ୍ୟାଳୟ ନିର୍ମାଣ କରିଥିଲେ।

ସାବିତ୍ରୀବାଇ ଫୁଲେ କେବଳ ଜଣେ ସାମାଜିକ କର୍ମୀ ନୁହଁନ୍ତି, ସେ ଦେଶର ପ୍ରଥମ ମହିଳା ଶିକ୍ଷକ, ଦେଶର ପ୍ରଥମ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟ ହୋଇଥିଲେ। ସ୍ୱାମୀଙ୍କ ସାହାଯ୍ୟରେ ସେ ଝିଅମାନଙ୍କୁ ଶିକ୍ଷାର ଆଲୋକ ଆଡକୁ ନେଇଥଲେ। ସାବିତ୍ରୀବାଇ ଫୁଲେ ୧୦ ମାର୍ଚ୍ଚ ୧୮୯୭ରେ ୬୬ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ।

Leave a Reply

Your email address will not be published. Required fields are marked *