ଶ୍ରେଣୀରେ ଭଲ ସାଙ୍ଗ ସିଏ- ପାଖରେ ବସିଛି ଯିଏ

କୁହାଯାଏ ଗୋଟିଏ କ୍ଲାସରେ ପଢୁଥିବା ଛାତ୍ରଛାତ୍ରୀ ଯେତେବେଳେ ସେମାନଙ୍କର ସାଙ୍ଗ ବାଛିବା ଆରମ୍ଭ କରନ୍ତି ସେଥିରେ ସେମାନେ ସମାନତାକୁ ବେଶୀ ଗୁରୁତ୍ବ ଦେଇଥାନ୍ତି । ଯେମିତିକି ଭଲ ପାଠ ପଢୁଥିବା ପିଲାଟି ସମାନ ଭାବେ ପଢୁଥିବା ପିଲାଟି ସହିତ ସାଙ୍ଗ ହୋଇଥାଏ, ସେମିତି ଯେଉଁ ଛାତ୍ରଛାତ୍ରୀଙ୍କ ପାରିବାରିକ କିମ୍ବା ଜାତିଗତ ସାମଞ୍ଜସ୍ୟ ରହିଛି ସେମାନେ କୁଆଡ଼େ ସାଙ୍ଗ ହେବାଲାଗି ପସନ୍ଦ କରିଥାନ୍ତି । ଏହା ବର୍ଷ ବର୍ଷ ଧରି ବିଶ୍ବାସ କରାଯାଇଛି । ହେଲେ ଏହାକୁ  କିଛି ବିଶେଷଜ୍ଞ ଅସ୍ବୀକାର କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଭଲ ସାଙ୍ଗ ସିଏ ପାଖରେ ବସିଛି ଯିଏ।

PLOS ONE ନାମକ ଏକ ଜର୍ଣ୍ଣାଲରେ ପ୍ରକାଶିତ ଏହି ସାମାଜିକ ଗବେଷଣାରେ କୁହାଯାଇଛି ଯେ ଦୁଇ ଛାତ୍ରଙ୍କ ମଧ୍ୟରେ ସାମଞ୍ଜସ୍ୟ ନଥାଇବି ଯଦି ସେମାନେ ପାଖାପାଖି ବସୁଛନ୍ତି ତେବେ ସେମାନଙ୍କ ମଧ୍ୟରେ ବେଶୀ ବନ୍ଧୁତା ବଢୁଛି । ଏପରିକି ସାମଞ୍ଜସ୍ୟ ଥିବା ସାଥୀ ଛାତ୍ରଠାରୁ ତାର ବନ୍ଧୁତା, ପାଖରେ ବସୁଥିବା ପିଲାଟି ସହିତ ବେଶୀ ନିବିଡ ହେଉଛି ।  ଜଣେ ଭଲ ପାଠ ପଢୁଥିବ ଅନ୍ୟଜଣେ ଭଲ ପଢୁନଥାଇପାରେ, ଜଣେ ପୁଅ ଅନ୍ୟଜଣେ ଝିଅ ବି ହୋଇଥାଇପାରେ କିମ୍ବା ସେମାନଙ୍କର ଜାତିଗତ ପାରିବାରିକ ସାମଞ୍ଜସ୍ୟ ନଥାଇପାରେ, ଏହା ସତ୍ତ୍ବେ ବି ଯେଉଁ ଦୁଇ ଛାତ୍ର ବା ଛାତ୍ରୀ ପାଖାପାଖି ବସିଥାନ୍ତି ସେମାନଙ୍କ ମଧ୍ୟରେ ବନ୍ଧୁତା ବେଶୀ ନିବିଡ଼ ହୋଇଥାଏ।

ଜର୍ମାନୀର ଲେଇପଜିଙ୍ଗ ବିଶ୍ବବିଦ୍ୟାଳୟର ଜୁଲିଆ ଲୋହରର ଏବଂ ତାଙ୍କର ସୀଥୀମାନେ ଏହି ସାମାଜିକ ଗବେଷଣା କରିଥିଲେ। 40ଟି ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା 2966 ଛାତ୍ରଛାତ୍ରୀଙ୍କର ସିଟିଂ ଚାର୍ଟକୁ ନେଇ ସେମାନେ ଅନୁଧ୍ୟାନ କରିଥିଲେ। ଯେଉଁ ଛାତ୍ରଛାତ୍ରୀ ପାଖାପାଖି ଗୋଟିଏ ସେମେଷ୍ଟର ପର୍ଯ୍ୟନ୍ତ ବସୁଥିଲେ, ଦେଖାଯାଇଥିଲା ସେମାନଙ୍କ ମଧ୍ୟରେ ନିବିଡ଼ତା ବଢିଛି।  ଏହାକୁ ନେଇ ସେମାନେ ଯେଉଁ ତୁଳନାତ୍ମକ ଚିତ୍ର ଦେଇଛନ୍ତି ସେଥିରେ ଏମିତି କିଛି ଉଲ୍ଲେଖ କରିଛନ୍ତି ଯେ ଦୁଇ ଛାତ୍ର କିମ୍ବା ଛାତ୍ରୀଙ୍କ ମଧ୍ୟରେ ସାମଞ୍ଜସ୍ୟ ରହିଛି ହେଲେ ସେମାନେ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଖରେ ବସିଛନ୍ତି । ପରେ ଦେଖାଯାଇଛି ପାଖରେ ବସିଥିବା ପିଲା ସହିତ ସଂପୃକ୍ତ ଛାତ୍ର କିମ୍ବା ଛାତ୍ରୀର ବନ୍ଧୁତା 7 ପ୍ରତିଶତ ଅଧିକ ବଢିଛି। ତେବେ ଯଦି ସାମଞ୍ଜସ୍ୟ ଥିବା ପିଲାମାନଙ୍କୁ ପାଖାପାଖି ବସାଇ ଦିଆଯାଏ ତେବେ ସେମାନଙ୍କର ବନ୍ଧୁତା ଆହୁରି ଅଧିକ ନିବିଡ଼ ହେଉଥିବାର ପରିଲକ୍ଷିତ ହୋଇଛି।

ଏହାକୁ ଦେଖି ଛାତ୍ରଛାତ୍ରୀମାନଙ୍କର ସିଟିଂ ଆରେଞ୍ଜମେଣ୍ଟ ଉପରେ ଶିକ୍ଷକମାନେ ଗୁରୁତ୍ବ ଦେବା ଅବଶ୍ୟକ। ଭଲ ସାଙ୍ଗଟିଏ ହେଲେ ପିଲାଟି ଅଧିକ ଖୁସି ରହିଥାଏ ଆଉ ଏହି ଖୁସି ତାକୁ ଅଧିକ କିଛି କାର୍ଯ୍ୟ କରିବା ଲାଗି ପ୍ରୋତ୍ସାହିତ କରିଥାଏ।

Leave a Reply

Your email address will not be published. Required fields are marked *